ପାଟଣା: ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ଦିନଦ୍ୱିପ୍ରହରରେ ସଶସ୍ତ୍ର ଡକାୟତମାନେ ବଡ଼ଧରଣର ଲୁଟ୍ କରିଛନ୍ତି। ଜିଲ୍ଲାର ବେତିଆ ସହରରେ ଥିବା ଅଳଙ୍କାର ଶୋ’ରୁମ୍‌ରେ ପଶି ଲୁଟେରାମାନେ ପ୍ରାୟ ୪୦ କୋଟି ଟଙ୍କା ମୂଲ୍ୟର ସୁନା ଓ ହୀରା ଅଳଙ୍କାର ଲୁଟି ନେଇଛନ୍ତି। ଏହି ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ସୂଚନା ଅନୁଯାୟୀ, ୮ ଜଣ ସଶସ୍ତ୍ର ଡକାୟତ ତିନୋଟି ମୋଟରସାଇକେଲରେ ଆସି ବେତିଆ ସ୍ଥିତ ଏହି ଅଳଙ୍କାର ଶୋ’ରୁମ୍‌ରେ ପହଞ୍ଚିଥିଲେ। ଶୋ’ରୁମ୍ ଭିତରେ ପଶିବା ମାତ୍ରେ ସେମାନେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ସେଠାରେ ଉପସ୍ଥିତ ଥିବା କର୍ମଚାରୀ ଏବଂ ଗ୍ରାହକମାନଙ୍କୁ ଭୟଭୀତ କରାଇଥିଲେ । ଏହା ସହ ସେମାନଙ୍କୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ଡକାୟତମାନେ ସମସ୍ତଙ୍କର ହାତ ବାନ୍ଧି ଦେଇଥିଲେ । ଏହା ସହ ମୋବାଇଲ୍ ଫୋନ୍ ଗୁଡ଼ିକୁ ଛଡ଼ାଇ ନେଇ ଗୋଟିଏ ସ୍ଥାନରେ ଏକାଠି ରଖିଦେଇଥିଲେ।

ଫିଲ୍ମ ଷ୍ଟାଇଲରେ ଧମକ ଦେଇ ଫେରାର 
ଏହାପରେ ଲୁଟେରାମାନେ ଶୋ’ରୁମ୍‌ରେ ପ୍ରଦର୍ଶିତ ମୂଲ୍ୟବାନ ଅଳଙ୍କାରଗୁଡ଼ିକୁ ବ୍ୟାଗରେ ଭର୍ତ୍ତି କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଲୁଟ୍ ସମୟରେ ଡକାୟତମାନେ ଦୁଇ ଜଣ ବ୍ୟକ୍ତିଙ୍କ ମୁଣ୍ଡକୁ ଆଘାତ ଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଶୋ’ରୁମ୍ ଛାଡ଼ିବା ପୂର୍ବରୁ ଡକାୟତମାନେ କହିଥିଲେ ଯେ, ଆମେ ପୁଣି ଆସିବୁ, ଏହା ଏକ ସିନେମା।

ପୋଲିସର ତଦନ୍ତ ଜାରି
ଏହି ଲୁଟ୍ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଡିଆଇଜି ହରିକିଶୋର ରାୟ, ଏସପି କୁମାର ଗୌତମ ଏବଂ ଡିଏସପି ଅଜିତ କୁମାରଙ୍କ ସମେତ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ବରିଷ୍ଠ ପୋଲିସ ଅଧିକାରୀମାନେ ଶୋ’ରୁମ୍‌ର କର୍ମଚାରୀମାନଙ୍କୁ ପଚରାଉଚରା କରିଛନ୍ତି। ତେବେ ଅପରାଧୀମାନେ ୩୦ ରୁ ୪୦ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ଲୁଟି ନେଇଥିବା ଅନୁମାନ କରାଯାଉଛି। ପୋଲିସ ପକ୍ଷରୁ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଜାରି ରଖିଛି ପୋଲିସ ।