ଛତ୍ରପୁର ୧୮।୧୧: ଗଞ୍ଜାମ ଆର୍ଯ୍ୟପଲ୍ଲୀ ଜେଟି ନିକଟରେ ଆଶ୍ରୟ ନେଇଛନ୍ତି ଆନ୍ଧ୍ର ଟ୍ରଲର । ୧୦ରୁ ଅଧିକ ଆନ୍ଧ୍ର ଟ୍ରଲରକୁ ସୁରକ୍ଷିତ ଭାବେ ଆଶ୍ରୟ ଦିଆଯାଇଛି । ସମୁଦ୍ର ଅଶାନ୍ତ ହେତୁ ସେମାନେ ନିଜ ଅଞ୍ଚଳକୁ ଫେରିପାରି ନଥିଲେ । ଜାହାଜ ଗୁଡିକ ଆନ୍ଧ୍ର ପ୍ରଦେଶ କାକିନାଡା ଅଞ୍ଚଳର । ସାଗର ମିତ୍ର ସେମାନଙ୍କ ସମସ୍ତ କାଗଜ ପତ୍ର ଆଦି ଯାଞ୍ଚ କରୁଛନ୍ତି । ଏବେ ବାତ୍ୟା ଅକଭାନ୍ ପାଇଁ ସମୁଦ୍ର ଅଶାନ୍ତ ରହିଛି । ତେଣୁ ସମୁଦ୍ରରେ ମାଛ ଧରିବା ଉପରେ ରୋକ୍ ଲଗାଯାଇଛି । ତେଣୁ ଗଞ୍ଜାମ ଜିଲ୍ଲାର କୌଣସି ମସ୍ୟଜୀବୀ ସମୁଦ୍ର ଯାଇନଥିବା ବେଳେ ସେମାନଙ୍କ ଡ଼ଙ୍ଗା ଓ ଜାଲକୁ ସୁରକ୍ଷିତ ଭାବେ ରଖିଛନ୍ତି ।

ସେପଟେ ପ୍ରସିଦ୍ଧ ପର୍ଯ୍ୟଟନ ଓ ମତ୍ସ୍ୟଜୀବୀ କ୍ଷେତ୍ର ଆର୍ଯ୍ୟପଲ୍ଲୀ ବେଳାଭୂମିରେ ଏବେ ସମୁଦ୍ରର ରୂପ ଅତ୍ୟନ୍ତ ଭୟଭୀତ ଓ ଅଶାନ୍ତ ହୋଇପଡ଼ିଛି । ସମୁଦ୍ରରେ ଏବେ ବଡ଼ ବଡ଼ ଜୁଆର କୂଳ ଲଙ୍ଘିବା ସହ ବଡ଼ ବଡ଼ ଲହଡ଼ିଗୁଡ଼ିକ କୂଳ ଉପରେ ଭୀଷଣ ଭାବରେ ମାଡ଼ ହେଉଛି । ସମୁଦ୍ର ଅଶାନ୍ତ ଥିବାରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ସମସ୍ତ ବେଳାଭୂମି ତିନି ଦିନ ପାଇଁ ପର୍ଯ୍ୟଟକଙ୍କ ପାଇଁ ବାରଣ କରାଯାଇଛି । ଏପରିକି ମସ୍ୟଜୀବୀଙ୍କୁ ମଧ୍ୟ ମାଛ ଧରିବାକୁ ଯିବା ପାଇଁ ବାରଣ କରାଯାଇଛି ।

Also Read:- ବାତ୍ୟାକୁ ନେଇ SRCଙ୍କ ବଡ଼ ନିଷ୍ପତ୍ତି, ୬ ଜିଲ୍ଲାରେ ତିନି ଦିନ ବନ୍ଦ ରହିବ ସ୍କୁଲ

ଉଲ୍ଲେଖଯୋଗ୍ୟ ଯେ, ଭୀଷଣ ବାତ୍ୟା 'ଅକଭାନ୍‌'ର ଗତିପଥ ବଦଳିଛି । ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 'ଅକଭାନ୍‌'। ଘଣ୍ଟାପ୍ରତି ୭ କି.ମି. ବେଗରେ ଆଗକୁ ବଢୁଛି 'ଅକଭାନ୍‌'। କଳିଙ୍ଗପଟ୍ଟନମ୍-ଗୋପାଳପୁର-ପୁରୀ ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ୍ । ଗୋପାଳପୁର ଠାରୁ ୭୦୦ କି.ମି., ପୁରୀ ଠାରୁ ୭୫୦ କି.ମି. ଦୂରରେ ଏବଂ ବିଶାଖାପଟନମ୍ ଠାରୁ ୫୮୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି । ବାତ୍ୟା ଅତିକ୍ରମ କରିବା ସମୟରେ ଘଣ୍ଟା ପ୍ରତି ୧୦୦ରୁ ୧୧୦ କି.ମି. ଗେବରେ ପବନ ବହିବ । ଏହି ସମୟରେ ଝଟ୍‌କା ପବନ ୧୨୦ କି.ମି. ପର୍ଯ୍ୟନ୍ତ ରହିବ । ବାତ୍ୟା ପ୍ରଭାବରେ ୧୯ ଏବଂ ୨୦ ତାରିଖରେ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।