ନୂଆଦିଲ୍ଲୀ, ୦୯/୧୦ : ୟୁକ୍ରେନର କ୍ରାମାଟୋରସ୍କ ଅଞ୍ଚଳରେ ଥିବା ଏକ ବସଷ୍ଟାଣ୍ଡ ଉପରେ ରୁଷ ଗ୍ଲାଇଡ୍ ବୋମା ମାଡ଼ କରିଛି। ଫଳରେ ୨ଟି ବସ୍ କ୍ଷତିଗ୍ରସ୍ତ ହେବା ସହ ୩୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୧୮ ଜଣ ଆହତ ହୋଇଛନ୍ତି। ଚଳିତ ବର୍ଷ ୟୁକ୍ରେନ ଉପରେ ରୁଷର ଏହା ଅନ୍ୟତମ ଘାତକ ଆକ୍ରମଣ ।

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ରୁଷୀ ସେନା ନିର୍ଦ୍ଦୟ ଭାବେ ଜନବସତିକୁ ଟାର୍ଗେଟ କରି ଆକ୍ରମଣ କରୁଛି। ବୋମା ମାଡ଼ ହୋଇଥିବା ସ୍ଥାନ ହେଉଛି ସିଟି ବସଷ୍ଟାଣ୍ଡ। ଦୁଇଟି ବସ୍ ଯାତ୍ରୀଙ୍କୁ ଧରି ବସଷ୍ଟାଣ୍ଡରୁ ବାହାରୁଥିବା ବେଳେ ରୁଷ ପକ୍ଷରୁ ଗ୍ଲାଇଡ ବୋମା ମାଡ଼ କରାଯାଇଥିଲା। ଫଳରେ ପ୍ରଚଣ୍ଡ ବିସ୍ଫୋରଣ ହେବା ସହ ବସ୍ ଦୁଇଟି ଜଳିବାକୁ ଲାଗିଥିଲା। ବିସ୍ଫୋରଣ ପରେ ବସଷ୍ଟାଣ୍ଡରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ଯାତ୍ରୀମାନେ ଯିଏ ଯୁଆଡେ ପାରିଲେ ଦୌଡି ପଳାଇବାକୁ ଲାଗିଥିଲେ। ତେବେ ବସ୍ରେ ଥିବା ଯାତ୍ରୀମାନେ ବାହାରି ପାରି ନଥିଲେ। ବୋମାମାଡ଼ରେ ବସ୍ ଦୁଇଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି।

Also Read :- ସାଉଦି ବିମାନବନ୍ଦର ଉପରେ ହୁତିର ମିସାଇଲ୍ ଆକ୍ରମଣ, ୩ ବିଦେଶୀ ନାଗରିକ ମୃତ

୨୦୨୨ ଫେବ୍ରୁଆରୀରେ ୟୁକ୍ରେନ ବିରୋଧରେ ସାମରିକ ଅଭିଯାନ ଆରମ୍ଭ କରିବା ପରଠାରୁ ରୁଷ ଜନବସତିକୁ ଟାର୍ଗେଟ କରିବା ଅଭିଯୋଗ ଗକୁ ଖଣ୍ଡନ କରିଆସିଛି। କ୍ରାମାଟୋରସ୍କ ହେଉଛି ହେଉଛି ଡୋନେସ୍କ ଅଞ୍ଚଳର ଏକ ପ୍ରମୁଖ ସହର। ଡୋନେସ୍କ ଅଞ୍ଚଳରେ ୟୁକ୍ରେନ ପାଇଁ ସୁରକ୍ଷିତ ଦୁର୍ଗ ଭାବେ ପରିଚିତ। ତେଣୁ ଅନେକ ସମୟରେ ଏହି ସହର ରୁଷୀ ସେନା ଆକ୍ରମଣର ଶିକାର ହୋଇଆସିଛି।