ମୁମ୍ବାଇ:  ମୁମ୍ବାଇ ସଡ଼କରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟ ଘଟଣାର ଭିଡିଓ ଭାଇରାଲ୍‌ ହୋଇଛି । ଜଣେ ମହିଳା ବାଇକର ଦୁର୍ଘଟଣାର ଶିକାର ହେବା ପରେ, ସେଥିପାଇଁ ଦାୟୀ ବ୍ୟକ୍ତିଙ୍କ ସହ ଝଗଡ଼ା କରୁଥିଲା । ଏହି ସମୟରେ ଜଣେ ଅଜଣା ପଥିକ ତାଙ୍କ ପାଖକୁ ଆସି ଫୁଲଟିଏ ଦେଇ କହିଥିଲେ ଚିଲ୍‌ ମାରୋ । 
 ଘଟଣାଟି ମହିଳା ବାଇକ୍ ଚାଳକଙ୍କ କ୍ୟାମେରାରେ କଏଦ ହୋଇଥିଲା । ପରେ ଇନଷ୍ଟାଗ୍ରାମରେ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି ।

କାଜଲ୍ ନାମକ ଏହି ମହିଳା ବାଇକ୍ ଚାଳକ ନିଜ ବାଇକରେ ଲାଗିଥିବା କ୍ୟାମେରାରେ ରେକର୍ଡ ହୋଇଥିବା ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଭିଡିଓ ସହିତ ଯୋଡ଼ା ଯାଇଥିବା ଭଏସଓଭରରେ ସେ କହିଛନ୍ତି ଯେ, ଦୁର୍ଘଟଣା ପରବର୍ତ୍ତୀ ପରିସ୍ଥିତିକୁ ସମ୍ଭାଳୁଥିବା ସମୟରେ ଜଣେ ଅଜଣା ବ୍ୟକ୍ତିଙ୍କ ଏଭଳି ଅପ୍ରତ୍ୟାଶିତ ବ୍ୟବହାର ତାଙ୍କୁ ସମ୍ପୂର୍ଣ୍ଣ ଚକିତ କରିଦେଇଥିଲା । ଭିଡିଓରେ ଦେଖାଯାଉଛି ଯେ, କାଜଲ୍ ରାସ୍ତା ମଝିରୁ ନିଜ ବାଇକ୍ ଉଠାଇବା ପରେ ଦୁର୍ଘଟଣା ପାଇଁ ଦାୟୀ ଥିବା ଅନ୍ୟ ଗାଡ଼ିର ଚାଳକଙ୍କୁ ପ୍ରଶ୍ନ କରୁଛନ୍ତି । ସେ ଯେତେବେଳେ ଅନ୍ୟ ଚାଳକଙ୍କ ସହ କଥାବାର୍ତ୍ତା କରି ସମାଧାନ ଖୋଜୁଛନ୍ତି, ଠିକ୍ ସେହି ସମୟରେ ଜଣେ ଅଜଣା ବ୍ୟକ୍ତି ହାତରେ ଫୁଲଟିଏ ଧରି ତାଙ୍କ ପାଖକୁ ଆସିଥିଲେ ।

ଯୁକ୍ତିତର୍କରେ ସାମିଲ ହେବା ପରିବର୍ତ୍ତେ, ବ୍ୟକ୍ତି ଜଣକ ତାଙ୍କୁ ଫୁଲ ବଢ଼ାଇ ଦେଇ ଶାନ୍ତ ରହିବାକୁ କହିଥିଲେ । କାଜଲ୍ ଘଟଣାକୁ ନେଇ ନିଜର ଅସନ୍ତୋଷ ଓ ବିରକ୍ତି ପ୍ରକାଶ କରୁଥିବା ବେଳେ ବ୍ୟକ୍ତି ଜଣକ ପରିସ୍ଥିତିର ଉତ୍ତେଜନା କମାଇବାକୁ ପ୍ରୟାସ କରୁଥିବା ଭିଡିଓରେ ନଜର ଆସୁଛନ୍ତି । ଦୁର୍ଘଟଣା ଏବଂ ରାଗ ଭରା ପରିସ୍ଥିତି ଭିତରେ ଏଭଳି ଏକ ପଦକ୍ଷେପ ଘଟଣାକୁ ବେଶ୍ ନିଆରା କରିଦେଇଛି । ଅଜଣା ବ୍ୟକ୍ତି ଜଣକ ରୋଡ୍ ରେଜ୍ ଭଳି ଉତ୍ତେଜନାପୂର୍ଣ୍ଣ ମୁହୂର୍ତ୍ତକୁ ଏକ ଭିନ୍ନ ଓ ସକାରାତ୍ମକ ଢଙ୍ଗରେ ବଦଳାଇବାକୁ ଚେଷ୍ଟା କରୁଥିବା ପରି ମନେହେଉଛି ।

 
 
 
 
 
 
 
 
 
 
 
 
 
 
 

A post shared by Kajal (@kajal_alia)

ରାସ୍ତା ମଝିରେ ଉତ୍ତେଜନା ଚାଲିଥିବା ବେଳେ ଫୁଲ ଦେବାର ଏହି ଘଟଣା ସୋସିଆଲ୍ ମିଡିଆରେ ଏକ ନୂଆ ବିତର୍କ ସୃଷ୍ଟି କରିଛି । ବ୍ୟକ୍ତିଙ୍କ ଏହି ପଦକ୍ଷେପ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଏକ ନିରୀହ ପ୍ରୟାସ ଭଳି ଦେଖାଯାଉଥିଲେ ମଧ୍ୟ, ଏନେଇ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଦୁଇ ଭାଗରେ ବିଭକ୍ତ ହୋଇଯାଇଛନ୍ତି । ଅନେକ ଦର୍ଶକ ଏହି ବ୍ୟବହାରକୁ ବେଶ୍ ଭଲ ବୋଲି କହିଛନ୍ତି। 

ଅନ୍ୟପଟେ ସମସ୍ତେ ଏହି ଘଟଣାକୁ ସହଜରେ ଗ୍ରହଣ କରିନାହାନ୍ତି । କେତେକ ବ୍ୟବହାରକାରୀ ପ୍ରଶ୍ନ ଉଠାଇଛନ୍ତି ଯେ, ସୋସିଆଲ୍ ମିଡିଆରେ ଅଧିକ ଭ୍ୟୁଜ୍ ଏବଂ ଏନଗେଜମେଣ୍ଟ ପାଇବା ପାଇଁ ଏହା ଏକ ପୂର୍ବ-ନିର୍ଦ୍ଧାରିତ ବା ସ୍କ୍ରିପ୍ଟେଡ୍ ଭିଡିଓ ହୋଇଥାଇପାରେ । ଆଉ କେତେକ ଲୋକ ମହିଳାଙ୍କ ବ୍ୟକ୍ତିଗତ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।