ନୂଆଦିଲ୍ଲୀ: ଭାରତୀୟ ସୁରକ୍ଷା ଓ ଗୁଇନ୍ଦା ଏଜେନ୍ସୀମାନେ ଏକ ବଡ଼ ସାଇବର ସୁରକ୍ଷା ଉଲ୍ଲଂଘନର ପର୍ଦ୍ଦାଫାସ କରିଛନ୍ତି। ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟମାନେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ଏବଂ ପ୍ରତିରକ୍ଷା ବେସାମରିକ ଅଧିକାରୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ୧୩-୧୪ଟି ବ୍ୟକ୍ତିଗତ ହ୍ୱାଟସଆପ ଗ୍ରୁପରେ ଅନୁପ୍ରବେଶ କରିଛନ୍ତି। ସୁରକ୍ଷା ଅଧିକାରୀଙ୍କ ସୂତ୍ରରୁ ଗଣମାଧ୍ୟମ ସୋମବାର ଏହି ରିପୋର୍ଟ କରିଛନ୍ତି। ଏ କଥା ଜଣାପଡିବା ପରେ ଏଜେନ୍ସୀଗୁଡିକ ସାମାଜିକ ଯୋଗାଯୋଗ ପ୍ଲାଟଫର୍ମର ବ୍ୟାପକ ଅଡିଟ ନିର୍ଦ୍ଦେଶ ଦେଇଛନ୍ତି।

ଅଧିକାରୀଙ୍କ ଅନୁସାରେ ଏହି ସିନ୍ଦିଗ୍ଧ ଏଜେଣ୍ଟମାନେ ଭାରତୀୟ ମୋବାଇଲ ନମ୍ବର ବ୍ୟବହାର କରି ଗ୍ରୁପମାନଙ୍କରେ ଯୋଗ ଦେଇଥିଲେ। ସେମାନେ ଗ୍ରୁପମାନଙ୍କରେ ନୀରବ ସଦସ୍ୟ ହୋଇ ରହିଥିଲେ ଓ ଆଲୋଚନା ଏବଂ ସେୟାର କରାଯାଉଥିବା ଡକ୍ୟୁମେଣ୍ଟ ଉପରେ ନଜର ରଖୁଥିଲେ। ଏହା ସମ୍ବେଦନଶୀଳ ସୁରକ୍ଷା ଭୂମିକାରେ ନିୟୋଜିତ କର୍ମଚାରୀଙ୍କୁ ଟାର୍ଗେଟ କରି ଏହା ଏକ ଲକ୍ଷ୍ୟଭେଦି ସାଇବର ଗୁପ୍ତଚର ଅଭିଯାନ ବୋଲି ଏବେ ସନ୍ଦେହ କରାଯାଉଛି। ଘଟଣା ଜଣାପଡିବା ପରେ ସୁରକ୍ଷା ବାହିନୀ ଓ ପ୍ରତିରକ୍ଷା ବେସାମରିକ ସଙ୍ଗଠନଗୁଡିକୁ ଚିହ୍ନଟ ହ୍ୱାଟସ୍ ଅପ ଗ୍ରୁପ ସମେତ ସେମାନଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକର ଏକ ସମ୍ପୂର୍ଣ୍ଣ ଅଡିଟ କରିବାକୁ ତଥା ସନ୍ଦିଗ୍ଧ ଏବଂ ଅଜଣା ସଦସ୍ୟମାନଙ୍କୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜନୈକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ସାଇବର ସୁରକ୍ଷା ସମ୍ପର୍କିତ ଏବେକା ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଲାଗୁ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଘଟଣା ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ କୌଣସି ଗୁପ୍ତ ସୂଚନା ଅଥବା ତଥ୍ୟ ସେୟାର ନ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ତାଜା ଆଲର୍ଟ ଏହି ଘଟଣାକ୍ରମ ପରେ ସାମ୍ନାକୁ ଆସିଛି ଯେତେବେଳେ ଅଧିକାରୀମାନେ ହ୍ୱାଟସଆପ ଗ୍ରୁପରେ ଜଣେ ସନ୍ଦିଗ୍ଧ ପାକିସ୍ତାନୀ ଏଜେଣ୍ଟଙ୍କୁ ବ୍ଲକ୍ କରିବା ପରେ ଆସିଛି। ଯିଏ ସୋନିଆ ନାମକ ଜଣେ ଡିଆରଡିଓ ଅଧିକାରୀ ଭାବେ ନିଜକୁ ପରିଚୟ ଦେଇ ଏହି ଗ୍ରୁପରେ ସାମିଲ ହୋଇଥିଲେ। ଅଧିକାରୀମାନେ ଆଶଙ୍କା କରୁଛନ୍ତି ଯେ ଏଥିରେ ଅର୍ଥ ବିନିମୟରେ କିଛି ସମ୍ବେଦନଶୀଳ ସୂଚନା ସେୟାର କରାଯାଇଛି।