ନୂଆଦିଲ୍ଲୀ: ବିହାରର ବାହୁବଳୀ ବିଧାୟକ ଅନନ୍ତ ସିଂହଙ୍କ ଝିଅ ବାହାଘର ପାଇଁ ରାଜକୀୟ ପ୍ରସ୍ତୁତି ଚାଲିଛି । ବିଶାଳ ତମ୍ବୁ ଟଣାଯାଇଥିବା ବେଳେ ଏକ ମେଗା ଅସ୍ଥାୟୀ ରୋଷେଇ ଘରେ ପ୍ରସ୍ତୁତ ହେଉଛି ବ୍ୟଞ୍ଜନ । ରାଜପଥ କଡ଼ରେ ସ୍ୱତନ୍ତ୍ର ହେଲିପ୍ୟାଡ୍ ନିର୍ମାଣ କରାଯାଇଛି ।  ଘୋଡ଼ା ଦୌଡ଼ ପ୍ରତିଯୋଗିତାର ଆୟୋଜନ କରାଯାଉଛି । ଏଥିରେ ବିଜେତାଙ୍କୁ ସ୍ନେହ ଓ ସମ୍ମାନ ସହିତ ଏକ 'ଥାର୍' ଗାଡ଼ି ପୁରସ୍କାର ଭାବରେ ଦିଆଯିବ ।   'ଛୋଟେ ସରକାର' ଭାବରେ ପରିଚିତ ଅନନ୍ତ ସିଂହ  କୌଣସି ବଲିଉଡ୍ ଚଳଚ୍ଚିତ୍ର କିମ୍ବା ଟିଭି ସିରିଏଲକୁ ମଧ୍ୟ ପଛରେ ପକାଇଦେବା ଭଳି ଆୟୋଜନ କରୁଛନ୍ତି । ଏହି ବିରାଟ ବିବାହ ଉତ୍ସବ ଆସନ୍ତା ନଭେମ୍ବର ୨୫ ତାରିଖରେ ପାଟନା ସ୍ଥିତ ଅନନ୍ତ ସିଂହଙ୍କ ପୈତୃକ ଗାଁ ଲଦମାରେ ଅନୁଷ୍ଠିତ ହେବ । ଅନନ୍ତ ସିଂହଙ୍କ ଝିଅ ଶିବାଙ୍ଗୀଙ୍କର ବିବାହ କମାଣ୍ଡାଣ୍ଟ ରଣବିଜୟ କୁମାରଙ୍କ ପୁଅ ଋଷିକେଶ କୁମାରଙ୍କ ସହ ହେବାକୁ ଯାଉଛି ।

ବର-କନ୍ୟାଙ୍କର ହଳଦୀ ଉତ୍ସବ ପାଳନ କରାଯାଉଛି । ଏହି ଉତ୍ସବ ଅବସରରେ ଅନନ୍ତ ସିଂହଙ୍କ ତିନି ପୁଅ ଅଙ୍କିତ, ଅଭିଷେକ ଏବଂ ଅଭିନବ ହଳଦିଆ ରଙ୍ଗର କୁର୍ତ୍ତା ପିନ୍ଧି ଅତିଥିମାନଙ୍କୁ ସ୍ୱାଗତ କରୁଥିବାର ଦେଖିବାକୁ ମିଳିଛି । ବିବାହ ଭୋଜି ପାଇଁ ପୂର୍ବ ପ୍ରସ୍ତୁତି ଅନୁସାରେ, ୫୦ ଲକ୍ଷରୁ ଅଧିକ ଗୋଲାପ ଜାମୁନ୍ ପ୍ରସ୍ତୁତ କରାଯାଉଛି । ସାମ୍ନାକୁ ଆସିଥିବା ଭିଜୁଆଲରେ ବଡ଼ ବଡ଼ ଷ୍ଟିଲ୍ ପାତ୍ରରେ ସିରା ଭର୍ତ୍ତି ଗୋଲାପ ଜାମୁନ୍ ରଖାଯାଇଛି ।  ଅନନ୍ତ ସିଂହଙ୍କ ଘନିଷ୍ଠ ସହଯୋଗୀ କହ୍ନେୟା ସିଂହ ସୂଚନା ଦେଇଛନ୍ତି ଯେ, ଆସନ୍ତା ଦୁଇ ଦିନ ମଧ୍ୟରେ ଆସିବାକୁ ଥିବା ହଜାର ହଜାର ଅତିଥିଙ୍କ ପାଇଁ ରୋଷେଇ କରିବାକୁ ଏହିଭଳି ଆଉ ୧୨ଟି ବଡ଼ ତମ୍ବୁ ଲଗାଯାଉଛି । ମିଠା ତିଆରି କରିବା ପାଇଁ ୧୦,୦୦୦ କିଲୋଗ୍ରାମ ବିଶିଷ୍ଟ ଟ୍ୟାଙ୍କର ଯୋଗେ ସିଧାସଳଖ ମେଗା ରୋଷେଇ ଘରକୁ କ୍ଷୀର ପଠାଯାଉଛି । 

​​​​​​​

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ଷା ଯୋଗୁଁ ପଡ଼ିଆ କାଦୁଅ ହୋଇଯାଇଥିଲା । କିନ୍ତୁ ବିବାହର ମୁଖ୍ୟ ଆକର୍ଷଣ ଘୋଡ଼ା ଦୌଡ଼ ପାଇଁ ପଡ଼ିଆକୁ ସମତଳ କରି ପ୍ରସ୍ତୁତ କରାଯାଉଛି । ଅତିଥିଙ୍କ ସ୍ୱାଗତ ପାଇଁ ହେଲିପ୍ୟାଡ୍‌ର ମଧ୍ୟ ମରାମତି ଚାଲିଛି । ଝିଅର ବାହାଘରକୁ ନେଇ ବେଶ୍ ଉତ୍ସାହିତ ଥିବା ଅନନ୍ତ ସିଂହ କହିଛନ୍ତି ଯେ, ଆଜି ସେ ବହୁତ ଖୁସି ଅଛନ୍ତି, କାରଣ ସମସ୍ତେ ତାଙ୍କ ଘରକୁ ଆସୁଛନ୍ତି ।  ସେ ସମସ୍ତଙ୍କୁ ସ୍ୱାଗତ କରୁଛନ୍ତି । ଆସନ୍ତା ଦୁଇ ଦିନ ମଧ୍ୟରେ ଘୋଡ଼ା ଦୌଡ଼ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯିବ  । ବିବାହ ଦିନ ହେବାକୁ ଥିବା ଏହି ପ୍ରତିଯୋଗିତା ପାଇଁ ସାରା ଦେଶରୁ ବିଶେଷ ପ୍ରଜାତିର ଘୋଡ଼ାମାନେ ଏଠାରେ ଏକାଠି ହେଉଛନ୍ତି । ଏହି ଅଦ୍ଭୁତ ଦୃଶ୍ୟ ଦେଖିବା ପାଇଁ ଅଶ୍ୱପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।