ଜୟପୁର: ରାଜସ୍ଥାନକୁ ହରାଇ ବଡ଼ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ରାଜସ୍ଥାନ ରୟାଲ୍ସକୁ ୭ ଓ୍ବିକେଟରେ ପରାସ୍ତ କରିଛି ଡିସି । ୨୨୬ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦିଲ୍ଲୀ ୫ ବଲ୍ ବାକି ଥାଇ ବିଜୟୀ ହୋଇଛି । ଟ୍ରିଷ୍ଟାନ ଷ୍ଟବ୍ସ (୧୮) ଏବଂ ଆଶୁତୋଷ ଶର୍ମା (୨୫) ଅପରାଜିତ ରହି ଦଳକୁ ଏକ ରୋମାଞ୍ଚକର ବିଜୟ ଦେଇଛନ୍ତି । ଦିଲ୍ଲୀ ପକ୍ଷରୁ କେଏଲ ରାହୁଲ ଏବଂ ପାଥୁମ ନିଶାଙ୍କା ଓପନ କରିଥିଲେ । ଉଭୟଙ୍କ ୧୧୦ ରନ୍ ପାର୍ଟନରସିପ୍ ଦଳକୁ ବିଜୟ ଆଡ଼କୁ ଭିଡ଼ି ନେଇଥିଲା । ନିଶାଙ୍କା ୬୨ ରନ୍ କରି ଆଉଟ୍ ହୋଇଥିଲେ ।

ନିଶାଙ୍କାଙ୍କ ପରେ ନୀତିଶ ରାଣା ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଥିଲେ । ନୀତିଶ ୩୩ ରନ୍ କରି ଆଉଟ୍ ହୋଇଥିଲେ । ହେଲେ କେଏଲ ରାହୁଲ କ୍ରିଜରେ ଜମି ଯାଇଥିଲେ ଏବଂ ସର୍ବାଧିକ ୭୫ ରନ୍ କରି କ୍ୟାଚ ଆଉଟ୍ ହୋଇଥିଲେ । ତାପରେ ଟ୍ରିଷ୍ଟାନ ଷ୍ଟବ୍ସ ଏବଂ ଆଶୁତୋଷ ଶର୍ମା ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ । ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର, ତୁଷାର ଦେଶପାଣ୍ଡେ ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

IPL ୨୦୨୬ ସଂସ୍କରଣର ୪୩ ତମ ମ୍ୟାଚରେ ଶୁକ୍ରବାର ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଆଜିର ମ୍ୟାଚ୍ରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ୬ ୱିକେଟ ହରାଇ ୨୨୫ ରନ୍ କରିଥିଲା ।

ରାଜସ୍ଥାନ ପକ୍ଷରୁ କ୍ୟାପ୍ଟେନ୍ ରିଆନ ପରାଗ ସର୍ବାଧିକ ୯୦ ରନ୍ କରିଥିବା ବେଳେ ଧ୍ରୁବ ଜୁରେଲ ୪୨ ରନ୍ କରିଥିଲେ। ତେବେ ଡେଥ୍ ଓଭରରେ ବ୍ୟାଟିଂ କରିବାକୁ ଆସିଥିବା ଡୋନାଭନ ଫରେରା ଶେଷ ବେଳକୁ ଧୂଆଁଦାର ବ୍ୟାଟିଂ କରିଥିଲେ। ଏମିତି ମିଚେଲ ଷ୍ଟାର୍କ୍ଙ୍କ ଘାତକ ବୋଲିଂକୁ ବି ସେ ମାନି ନଥିଲେ। ଫଳରେ ସେ ମାତ୍ର ୧୪ ବଲ୍ରେ ୪୭ ରନ୍ କରିଥିଲେ। ସେପଟେ ଦିଲ୍ଲୀ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ।