ରାଉରକେଲା ୦୮।୦୬ : ରାଉରକେଲା ସହରର ଲୁହାକେରା ଅଞ୍ଚଳରେ ପୋଲିସ ଏକ ବଡ଼ ଧରଣର ଜୁଆ ନେଟୱର୍କର ପର୍ଦ୍ଦାଫାଶ କରିଛି। ଦୁଇ ପ୍ରମୁଖ ଜୁଆ ମାଫିଆ ଦିଲୀପ କଂସାରୀ ଏବଂ ବାହନ କଂସାରୀଙ୍କ ଘରେ ଚଢ଼ାଉ କରିଛି ପୋଲିସ । ଅଭିଯୁକ୍ତଙ୍କ ଘରୁ ୧୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ଟଙ୍କା ସହ ଜୁଆ ଖେଳରେ ବ୍ୟବହୃତ ହେଉଥିବା ଅନେକ ସାମଗ୍ରୀକୁ ମଧ୍ୟ ପୋଲିସ ନିଜ ହେପାଜତକୁ ନେଇଛି।

ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଦୁଇ ଜଣ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ମଧ୍ୟ ନିଜର ଜୁଆ ସାମ୍ରାଜ୍ୟ ବିସ୍ତାର କରିଥିଲେ। ଦୀର୍ଘ ଦିନ ଧରି ଏହି ଦୁଇ ଜଣ ଜୁଆ ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର କରୁଥିବା ନେଇ ପୋଲିସ ପାଖରେ ଅଭିଯୋଗ ହୋଇଥିଲା। ପୋଲିସ ପୂର୍ବରୁ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲା। ଆଜି ସଠିକ୍ ସୂଚନା ପାଇବା ପରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଲୁହାକେରା ଗାଁରେ ଅତର୍କିତ ଚଢ଼ାଉ କରିଥିଲା। କେଉଁ ସ୍ଥାନରେ ଏମାନଙ୍କର କାରବାର ଚାଲିଥିଲା ସେ ନେଇ ତନାଘନା ଜାରି ରହିଛି। ବର୍ତ୍ତମାନ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି, ତାହାର ଖୋଳତାଡ଼ କରୁଛି।

Also Read:-Bhubaneswar News : ରାତିରେ ଯୁବତୀଙ୍କୁ ହୋଟେଲକୁ ଡାକିଲା ପୁରୁଷ ବନ୍ଧୁ, ବଳପୂର୍ବକ କରିଲା ଦୁଷ୍କର୍ମ !