ଭୁବନେଶ୍ୱର: ଅମାବାସ୍ୟାର ପୂର୍ବ ରାତି। ଚାରିଆଡେ ଅନ୍ଧାର ଆଉ ନିରବତା। ଦୂରରୁ ଶୁଭିଲା କିଛି ଝିଅଙ୍କ ଚିତ୍କାର। ଶବ୍ଦ ଶୁଣି ସେହି ଦିଗକୁ ଦଉଡ଼ି ଗଲେ ଗାଁଲୋକ। ମନରେ ଥାଏ ଭୟ କିନ୍ତୁ ସାହାସ ଜୁଟାଇ ଆଗକୁ ବଢ଼ୁଥିଲେ। ଆଉ ଯାହା ଦେଖିଲେ ପାଦ ତଳୁ ମାଟି ଖସିଗଲା। ମଶାଣି ଭିତରେ ଥିଲେ ୧୦ ଝିଅ। ସମସ୍ତଙ୍କ ହାତ-ପାଦରୁ ବୋହିଯାଉଥିଲା ରକ୍ତର ଧାର। ଭୟରେ ଥରୁଥାନ୍ତି ସମସ୍ତେ। ବିକଳ ହୋଇ କହୁଥାନ୍ତି- ଆମକୁ ଛାଡ଼ିଦିଅ। ହେଲେ ନିର୍ଦ୍ଦୟୀ ଗୁଣିଆ ପଢ଼ିଚାଲୁଥାଏ ମନ୍ତ୍ର। ଛୋଟ ଝିଅଙ୍କ ଏଭଳି ଅବସ୍ଥା ଦେଖି ତାତି ଉଠିଥିଲେ ଗାଁ ଲୋକେ। ଆଉ ତାପରେ

AI ଯୁଗରେ ବିଜ୍ଞାନ ରଚୁଛି ନୂଆ ଇତିହାସ। ଜହ୍ନରେ ପହଞ୍ଚିଲାଣି ମଣିଷ। ମହାକାଶରେ ଚାଲିଛି ଗବେଷଣା। ହେଲେ ଆଜି ବି ମଣିଷ ମନରେ ଘର କରିଛି ତନ୍ତ୍ରମନ୍ତ୍ରର ଅନ୍ଧକାର ଦୁନିଆ। କେଉଁଠି ଗୁଣିଗାରେଡ଼ି ନାଁରେ ରକ୍ତର ଖେଳ, ତ ଆଉ କେଉଁଠି ନାବାଳିକାଙ୍କୁ ନେଇ ରହସ୍ୟମୟ ଘଟଣା। ଉପକୂଳରୁ ଆଭ୍ୟନ୍ତରୀଣ ଗୁଣିଗାରେଡ଼ିକୁ ନେଇ ଆସିଛି ସାଂଘାତିକ ଚିତ୍ର।

ପୁରୀ ଜିଲ୍ଲା ନିମାପଡାରୁ ଯେଉଁ ଘଟଣା ସାମନାକୁ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ନିମାପଡ଼ା ବ୍ଲକ୍‌ ବନ୍ତୁଗ୍ରାମ ଦଳିତ ସାହିର ସନ୍ତୋଷ ବେହେରା ମଶାଣିରେ ଗୁଣି ବିଦ୍ୟା ଅଭ୍ୟାସ କରୁଥିଲା । ଦୀପାବଳି ପୂର୍ବଦିନ ଅର୍ଥାତ୍‌ ୭ ତାରିଖ ରାତି ପ୍ରାୟ ୧୦ଟାରେ ବାଲିପାଟଣା ଅଞ୍ଚଳର ଏକ ଗ୍ରାମର ୧୦ ଜଣ ଝିଅଙ୍କୁ ବନ୍ତୁଗ୍ରାମ ଶ୍ମଶାନକୁ ଡାକିଥିଲା ।

ସମ୍ପୃକ୍ତ ନାବାଳିକାଙ୍କର ହାତ-ପାଦକୁ ବ୍ଲେଡ୍‌ରେ କାଟି ଏକ ସରାରେ ରକ୍ତ ସଂଗ୍ରହ କରିଥିଲା । ସେଠାରେ ସେମାନଙ୍କ ହାତ-ପାଦ ବାନ୍ଧି ହାତ, ପାଦ କାଟି ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିଲା। ଶ୍ମଶାନରୁ ନାବାଳିକାମାନଙ୍କର ଚିତ୍କାର ଶୁଣି ସ୍ଥାନୀୟ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ସାହସର ସହ ଗୁଣିଆକୁ ଘେରିଯାଇଥିଲେ। ଝିଅମାନଙ୍କୁ ଉଦ୍ଧାର କରିଥିଲେ।  ଭୟ ଓ ଗୁଣିବିଦ୍ୟାର ପ୍ରଭାବରେ ଉଦ୍ଧାର ହୋଇଥିବା ଦଶ ଜଣ ନାବାଳିକା ବହୁ ସମୟ ଧରି ଅଚେତ ହୋଇଥିଲେ। ଖବର ପାଇ ନିମାପଡା ପୋଲିସ ପହଞ୍ଚିଥିଲା। ପୋଲିସ ଗୁଣିଆକୁ ଅଟକ ରଖିବା ସହ ଶ୍ମଶାନରୁ ମଣିଷ ହାଡ଼ ଏବଂ ବିଭିନ୍ନ ଗୁଣି ସାମଗ୍ରୀ ଜବତ କରିଛି। ଶୁଣନ୍ତୁ ଏନେଇ କଣ କହୁଛି ଗୁଣିଆ

ଏଥି ବତ୍ତମାନ ବଡ ପ୍ରଶ୍ନ, ଗୁଣି କରି ଘରୁ ଏତେ ଝିଅମାନଙ୍କୁ ଡାକିବା କଣ ସମ୍ଭବ ? କେମିତି ଜାଣିପାରିଲେ ନାହିଁ ପରିବାର ଲୋକ ? ତଦନ୍ତ ଚାଲୁଥିବା ବେଳେ ରାଜଧାନୀ ଉପକଣ୍ଠରୁ ବି ଏଭଳି ଖବର ଆସିବା ନିହାତି ପକ୍ଷେ ଚିନ୍ତାଜନକ। ଭୁବନେଶ୍ୱର ଠାରୁ ମାତ୍ର କେଇ ବାଟ ଦୂରରେ ଥିବା ବାଲିପାଟଣାରୁ ଆସିଛି କିଛି ଏଭଳି ସମାନ ଅଭିଯୋଗ।

ବାଲିପାଟଣା ଥାନା ଅନ୍ତର୍ଗତ ଖୁଣ୍ଟିଆସାହିର କିଛି ନାବାଳିକାଙ୍କ ଠାରେ ଅସ୍ୱାଭାବିକ ଲକ୍ଷଣ ଦେଖା ଦେଇଥିଲା। ପିଲାମାନଙ୍କ ହାତ ଏବଂ ଗୋଡରେ କଟା ଦାଗ ହୋଇ ରକ୍ତସ୍ରାବ ହେଉଥିଲା। ଏପରିକି ହାତରେ କଟା ଦାଗରେ କିଛି ଲେଖା ମଧ୍ୟ ହୋଇଥିଲା। ଗାଁରେ ଏ କଥା ଖେଳିଗଲା। କିନ୍ତୁ ତମାମ ଘଟଣା ପଛରେ ପାଖ ଗ୍ରାମର ୨ ଜଣ ଯୁବକଙ୍କୁ ଦାୟୀ କଲେ ଗାଁଲୋକେ। ଗାଁର କିଛି ବ୍ୟକ୍ତି ସଂପୃକ୍ତ ଦୁଇ ଯୁବକଙ୍କୁ ଯାଇ ପଚରାଉଚରା କରିଥିଲେ । ପରେ ବାଲିପାଟଣା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ୨ ଯୁବକଙ୍କୁ ଥାନାରେ ଅଟକ ରଖିଥିଲେ।

କିନ୍ତୁ ପୋଲିସ କହୁଛି, ଗୁଣି ଗାରେଡି କିଛି ନୁହେଁ। ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣଛି। ମାତ୍ର ତଦନ୍ତ କରିବା ଭିତରେ ଗୁଣି ଗାରେଡିର ସନ୍ଦେହ କରାଯାଉଛି। ଯେହେତୁ ଠୋସ୍‌ ପ୍ରମାଣ ନାହିଁ, ସେଥିପାଇଁ ପୋଲିସ ବି ନିରବ। କିନ୍ତୁ ଡାକ୍ତରଙ୍କ ମତ ଭିନ୍ନ।  ଏହା ଏକ ମାନସିକ ରୋଗ। କେହି କାହାରିକୁ ଗୁଣି କରିନଥାନ୍ତି। ସେମାନେ ନିଜେ ନିଜେ ଏପରି କରିଥାନ୍ତି। ଯାହା ପରବର୍ତ୍ତୀ ସମୟରେ କୁହାଯାଇଥାଏ ଯେ, ଗୁଣି କରାଯାଇଛି ବୋଲି।

ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସର ଅନ୍ଧାରରୁ ମୁକୁଳି ପାରିନି ସମାଜ। ଗୁଣିଗାରେଡ଼ି ନାଁରେ ଭୟ, ରହସ୍ୟ ଆଉ ଅନେକ ଅକୁହା କାହାଣୀ ଆଜି ବି ଲୋକଙ୍କ ମନରେ ଘର କରିଛି। କିନ୍ତୁ ଅନ୍ଧବିଶ୍ୱାସର ଆଢ଼ୁଆଳରେ ଯଦି ନିରୀହ ନାବାଳିକାଙ୍କୁ ଶୋଷଣ କରାଯାଏ, ତେବେ ତାହା କେବଳ ଅନ୍ଧବିଶ୍ୱାସ ନୁହେଁ, ଏକ ଗମ୍ଭୀର ଅପରାଧ।