ପାଟନା: ନିକଟରେ ଅନୁଷ୍ଠିତ ବିହାର ଏମଏଲସି ନିର୍ବାଚନ ପରେ ରାଜ୍ୟରେ ଜନତାଦଳ ୟୁନାଇଟେଡ (ଜେଡିୟୁ) ଓ ବିଜେପି ମଧ୍ୟରେ ଫାଟ ଚୌଡା ହେବାରେ ଲାଗିଛି। ଏଭଳି ପରିସ୍ଥିତି ନିର୍ବାଚନରେ ଜେଡି(ୟୁ) ପ୍ରାର୍ଥୀଙ୍କ ଖରାପ ପ୍ରଦର୍ଶନ, ମେଣ୍ଟ ସହଯୋଗୀଙ୍କ ଦ୍ୱାରା ଅନ୍ତରୀଣ ଭଙ୍ଗାରୁଜାର ଅଭିଯୋଗ ଓ ଜେଡି(ୟୁ) ପ୍ରାର୍ଥୀଙ୍କୁ ହରାଇବା ଲାଗି ବିଜେପି ନିର୍ଦ୍ଦଳୀୟ ବିଜେତାଙ୍କୁ ଆପଣେଇବା ଭଳି ବିବାଦୀୟ ପଦକ୍ଷେପ ଯୋଗୁ ଉପୁଜିଛି।

ମୁଖ୍ୟ ପ୍ରସଙ୍ଗ
ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ୮ ଟି ଏମଏଲସି ଆସନ ପାଇଁ ପ୍ରତ୍ୟେକ ୪ଟି ଲେଖାଏଁ ଆସନରେ ଲଢିଥିଲେ। ହେଲେ ଏଥିରୁ ସେମାନେ ମାତ୍ର ୩ଟି ଜିତି ପାରିଛନ୍ତି। ଜେଡି(ୟୁ)କୁ ମାତ୍ର ଗୋଟିଏ ଆସନ ମିଳିଥିବା ବେଳେ ବିଜେପିକୁ ୩ଟି ଆସନ ମିଳିଛି। ଏଥିରେ ଜିଡି(ୟୁ)ର କ୍ଷତି ହୋଇଥିବା ବେଳେ ଦଳର ପରାଜିତ ପ୍ରାର୍ଥୀମାନେ ମେଣ୍ଟ ସହଯୋଗୀ ସେମାନଙ୍କ ଲାଗି ପ୍ରଚାର କରିନଥିବାର ଖୋଲାଖୋଲି ଅଭିଯୋଗ ଆଣିଛନ୍ତି। ଏଣୁ ଉଭୟ ଦଳ ମଧ୍ୟରେ ଏବେ ଅବିଶ୍ୱାସର ପରିବେଶ ସୃଷ୍ଟି ହୋଇଛି। ତେବେ ଜେଡି(ୟୁ) ନେତୃତ୍ୱ ଏଥି ପାଇଁ ଦୁଃଖିତ ଯେ ବିଜେପି ଅକ୍ଟୋବର ୩୧ ତାରିଖ ଦିନ ନିର୍ବାଚିତ ନିର୍ଦ୍ଦଳୀୟ ଏମଏଲସି ରାହୁଲ ରାଜ (ସାରଣ ଟିଚର୍ସ) ଓ ବଂଶୀଧର ବ୍ରଜବାସୀ (ତିରହୁତ ଗ୍ରାଜୁଏଟସ୍)ଙ୍କୁ ଦଳରେ ସ୍ୱାଗତ କରିଛି।

ରାହୁଲ ରାଜ ଯିଏ ବିଜେପିର ବିଦ୍ରୋହୀ ଥିଲେ ସେ ଜେଡି(ୟୁ)ର ପୁଷ୍କର ଆନନ୍ଦଙ୍କୁ ହରାଇଥିଲେ। ସେହିପରି ବ୍ରଜବାସୀ ଜେଡି(ୟୁ)ର ଅଭିଷେକ ଝାଙ୍କୁ ହରାଇଥିଲେ। ଏଣୁ ଜେଡି(ୟୁ) ନେତାମାନେ ଏବେ ଖୋଲାଖୋଲି ପ୍ରଶ୍ନ ଉଠାଉଛନ୍ତି ବିଜେପି ଏପରି ପ୍ରାର୍ଥୀଙ୍କୁ କିପରି ଦଳରେ ସାମିଲ କରିପାରିବ, ଯେଉଁମାନେ ଏନଡିଏର ଅଧିକାରୀକ ପ୍ରାର୍ଥୀଙ୍କ ବିରୋଧରେ ନିର୍ବାଚନ ଲଢିଥିଲେ?ଏହା ଛଡା ସମ୍ବିଧାନର ୧୦ମ ସିଡ୍ୟୁଲ ଅନୁସାରେ ନିର୍ବାଚନ ପରେ କୌଣସି ନିର୍ଦ୍ଦଳୀୟ ଏମଏଲସି ଯଦି ରାଜନୈତିକ ପାର୍ଟିରେ ଅଧିକାରୀକ ଭାବେ ସାମିଲ ହୁଅନ୍ତି ତେବେ ତାଙ୍କୁ ଅଯୋଗ୍ୟତାର ସମ୍ମୁଖୀନ ହେବାକୁ ପଡିପାରେ। ଏଣୁ ବିରୋଧୀ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ତୁରନ୍ତ କାଉନସିଲ ଚେୟାରମ୍ୟାନଙ୍କୁ ପତ୍ର ଲେଖି ସେମାନଙ୍କୁ ଟର୍ମିନେଟ କରିବାକୁ ନିବେଦନ କରିଛି।

ଜେଡି(ୟୁ) ପକ୍ଷରୁ ଆଇନର ଧମକ ଓ ଜନତାଙ୍କ ବିରୋଧ ପରେ ଏନଡିଏର ଉଭୟ ପାର୍ଟି ଏବେ ଡ୍ୟାମେଜ କଣ୍ଟ୍ରୋଲ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଡିସକ୍ୱାଲିଫିକେସନରୁ ବର୍ତ୍ତିବା ଓ ଜେଡି(ୟୁ)କୁ ଶାନ୍ତ କରିବା ପାଇଁ ବିଜେପି ରାଜ୍ୟସଭାପତି ସଞ୍ଜୟ ସରାଭଗୀ ଓ ଦୁଇ ଏମଏଲସି ନିଜ ଆଭିମୁଖ୍ୟ ବଦଳାଇ ସେମାନେ ପାର୍ଟିରେ ଔପଚାରିକ ମିଶିବା ପରିବର୍ତ୍ତେ କେବଳ ବିଜେପିକୁ ସମର୍ଥନ କରୁଥିବା କଥା କହୁଛନ୍ତି। ଏପଟେ ନୀତିଶ କୁମାରଙ୍କ ପାର୍ଟି ନେତାମାନେ ଦଳର ଷ୍ଟ୍ରକ୍ଚରାଲ ଅଭାବକୁ ସ୍ୱୀକାର କରିଛନ୍ତି। ଜେଡି(ୟୁ)ର ବରିଷ୍ଠ ମନ୍ତ୍ରୀ ସ୍ରବଣ କୁମାର କହିଛନ୍ତି ଯେ ଉପୁଜିଥିବା ପରିସ୍ଥିତିକୁ ସମାଧାନ କରିବାକୁ ଏକ ଉଚ୍ଚସ୍ତରୀୟ ରିଭ୍ୟୁ ଚାଲିଛି। ତେବେ ମାନିଛନ୍ତି ମେଣ୍ଟରେ ଭରସା ତୁଟିଛି।