ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜିଠାରୁ (ମଙ୍ଗଳବାର) ଆରମ୍ଭ ହେବାକୁ ଯାଉଛି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍। କ୍ରମାଗତ ପରାଜୟର ସାମ୍ନା କରୁଥିବା ଟିମ୍ ଇଣ୍ଡିଆ ପାଇଁ ଏହି ସିରିଜ୍ କେବଳ ଏକ ଦ୍ୱିପାକ୍ଷିକ ମୁକାବିଲା ନୁହେଁ, ବରଂ ଆତ୍ମବିଶ୍ୱାସ ଫେରି ପାଇବାର ଏକ ବଡ଼ ସୁଯୋଗ। ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ରେ ୦-୪ ଏବଂ ଆୟରଲ୍ୟାଣ୍ଡ ବିପକ୍ଷରେ ୦-୨ ରେ ହାରିବା ପରେ ଭାରତୀୟ ଦଳର ମନୋବଳ ଭାଙ୍ଗି ପଡ଼ିଛି। ଏଭଳି ସ୍ଥିତିରେ ସମସ୍ତଙ୍କ ନଜର ଦୁଇ ଭେଟେରାନ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପରେ ରହିଛି।

ଦିନିକିଆ ଫର୍ମାଟ୍କୁ ଫେରୁଛନ୍ତି ରୋକୋ। ରୋହିତ-ବିରାଟଙ୍କ ପାଇଁ ଅଗ୍ନି ପରୀକ୍ଷା। ଦୀର୍ଘ ଦୁଇ ଦଶନ୍ଧି ଧରି ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ସାଜିଥିବା ରୋହିତ ଶର୍ମା ଏବଂ ବିରାଟ କୋହଲି ପୁଣିଥରେ ମୈଦାନକୁ ଫେରିଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ଉପରେ ଏହି ଦୁଇ ଦିଗ୍ଗଜଙ୍କ ଉପରେ ନଜର ରହିବ। ବର୍ମିଂହାମର ପିଚ୍ରେ ଜୋଫ୍ରା ଆର୍ଚ୍ଚର, ଜୋଶ ଟଙ୍ଗ ଏବଂ ଗସ ଏଟକିନସନଙ୍କ ଭଳି ଘାତକ ବୋଲରଙ୍କ ସାମ୍ନା କରିବା ସହଜ ହେବନି। କିନ୍ତୁ ରେକର୍ଡ ଦର୍ଶାଉଛି ଯେକୌଣସି ସମୟରେ ମ୍ୟାଚ୍ର ମୋଡ଼ ବଦଳାଇ ପାରିବେ ରୋହିତ ଓ ବିରାଟ।

ଭାରତୀୟ ଦଳର ବ୍ୟାଟିଂ ଏଥର ବେଶ୍ ମଜଭୁତ ଦେଖାଯାଉଛି । ଅଧିନାୟକ ଶୁଭମନ ଗିଲ୍ଙ୍କ ପ୍ରତ୍ୟାବର୍ତ୍ତନ ଦଳକୁ ଶକ୍ତିଶାଳୀ କରିବ। ମିଡିଲ ଅର୍ଡରେ କେଏଲ୍ ରାହୁଲ ଏବଂ ଶ୍ରେୟସ ଆୟରଙ୍କ ଅନୁଭବ ଭଲ ପୋଜିସନ ରଖିବ। ଯଦି ଏହି ଚାରି ବ୍ୟାଟର ନିଜ ଶୈଳୀରେ ଖେଳନ୍ତି, ତେବେ ଇଂଲଣ୍ଡ ବୋଲରଙ୍କ ପାଇଁ ତାଙ୍କୁ ରୋକିବା କଷ୍ଟକର ହେବ।

ବୋଲିଂକୁ ନେଇ ଏବେ ଟେନସନ। କେବଳ ବୁମରାଙ୍କ ଉପରେ ଭରସା। ଟି-୨୦ ସିରିଜ୍ରେ ଭାରତୀୟ ବୋଲିଂ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ତେବେ ଦିନିକିଆରେ ଜସପ୍ରୀତ ବୁମରାଙ୍କ କମବ୍ୟାକ ବୋଲିଂ ବାହିନୀକୁ ନୂଆ ବେସ୍ ଦେବ। ବୁମରାଙ୍କ ସହ ରହିବେ ଅର୍ଶଦୀପ ସିଂ। ନୂଆ ବଲ୍ରେ ଚକମା ଦେଖାଇବେ ଏହି ଯୁବ ବୋଲର। ଯୁବ ଖେଳାଳି ଗୁରନୁର ବ୍ରାରଙ୍କ ପାଇଁ ଅଗ୍ନି ପରୀକ୍ଷା ହେବ। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନୀତିଶ କୁମାର ରେଡ୍ଡୀଙ୍କ ଅନୁପସ୍ଥିତିରେ ଅଲରାଉଣ୍ଡର ଶିବମ ଦୁବେଙ୍କ ଉପରେ ଅଧିକ ଦାୟିତ୍ୱ ରହିବ।

ସ୍ପିନ ବିଭାଗରେ ୱାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲଙ୍କ ବ୍ୟାଟିଂ ଦକ୍ଷତାକୁ ଦେଖି ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ଉପରେ ଭରସା ରଖିପାରେ, କିନ୍ତୁ ୱିକେଟ୍ ନେବାରେ ସବୁଠୁ ବଡ଼ ହତିଆର ସାଜିବେ କୁଲଦୀପ ଯାଦବ।

ସେପଟେ ସିରିଜ କବଜା କରିବ ପରେ ଆତ୍ମବିଶ୍ୱାସରେ ଭରପୂର ଇଂଲଣ୍ଡ। ଅନ୍ୟପଟେ ଇଂଲଣ୍ଡ ଦଳ ଗତ ଜାନୁଆରୀ ମାସ ପରଠାରୁ କୌଣସି ଦିନିକିଆ ମ୍ୟାଚ୍ ଖେଳିନାହିଁ। କିନ୍ତୁ ଭାରତ ବିପକ୍ଷ ଟି-୨୦ ସିରିଜ୍କୁ ୪-୦ ରେ ଜିତିବା ପରେ ଇଂଲିଶ ବାହିନୀର ବଢ଼ିଛି ଆତ୍ମବିଶ୍ୱାସ। ଅଧିନାୟକ ହ୍ୟାରୀ ବ୍ରୁକ୍, ଜୋ ରୁଟ୍, ଜୋସ୍ ବଟଲର୍, ଜାକବ୍ ବେଥେଲ୍ ଏବଂ ବେନ୍ ଡକେଟ୍ଙ୍କ ଭଳି ଷ୍ଟାର୍ ଖେଳାଳିଙ୍କୁ ନେଇ ଇଂଲଣ୍ଡର ବ୍ୟାଟିଂ ଲାଇନ୍-ଅପ୍ ଅତ୍ୟନ୍ତ ଭୟଙ୍କର ମନେହେଉଛି। ମୈଦାନରେ ଶୁବମନ ସେନା କେମିତି ଲଢ଼ିବେ, ତାହା ଉପରେ କ୍ରୀଡାପ୍ରେମୀଙ୍କ ନଜର।