ଭୁବନେଶ୍ୱର ୦୨।୧୧ : କଂଗ୍ରେସ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । ଏସ୍ଆଇଆର୍କୁ ନେଇ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ ତଥା ଜାତୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ। ଭାରତର ବିଶ୍ୱସ୍ତରୀୟ ଅଗ୍ରଗତିକୁ କିଛି ଶକ୍ତି ସହ୍ୟ କରିପାରୁନାହାନ୍ତି। ଦେଶ ଭିତରେ ଓ ବାହାରେ ଏଭଳି ଶକ୍ତି ସକ୍ରିୟ ଥିବାବେଳେ ବିରୋଧୀ ଦଳ ସେମାନଙ୍କ ହାତରେ ଖେଳନା ସାଜିଛନ୍ତି। ଭୁବନେଶ୍ୱରରେ ଗଣମାଧ୍ୟମକୁ ସମ୍ବୋଧନ କରି ସେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି।

ରାମଲୀଳା ମଇଦାନରେ ବିରୋଧୀ ଦଳଗୁଡ଼ିକର ସମାବେଶକୁ ନେଇ ମଧ୍ୟ ବର୍ଷିଛନ୍ତି ସୁଧାଂଶୁ ତ୍ରିବେଦୀ। ତାଙ୍କ କହିବା ଅନୁସାରେ, ସେଠାରେ ଏକାଠି ହୋଇଥିବା ଦଳଗୁଡ଼ିକ ଗଣତନ୍ତ୍ରର ଆବରଣ ତଳେ ପରିବାରବାଦକୁ ପ୍ରୋତ୍ସାହିତ କରୁଛନ୍ତି। ୨୦୪୭ ସୁଦ୍ଧା ଭାରତକୁ ମହାନ କରିବା ପରିବର୍ତ୍ତେ ନିଜ ପରିବାରର ଭବିଷ୍ୟତ ନେଇ ସେମାନେ ଚିନ୍ତିତ ବୋଲି କଟାକ୍ଷ କରିଛନ୍ତି।

ଭାରତ ଏଆଇ, ପ୍ରତିରକ୍ଷା ଉତ୍ପାଦନ, ଆଧୁନିକ ଜ୍ଞାନକୌଶଳ ଓ ଜାତୀୟ ସୁରକ୍ଷା କ୍ଷେତ୍ରରେ ଆଗକୁ ବଢ଼ୁଥିବାବେଳେ ବିରୋଧୀ ଏହି ପ୍ରଗତିକୁ ଗ୍ରହଣ କରିପାରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସରକାର ବିରୋଧୀ ଜନମତକୁ ନେଇ ରାହୁଲ ଗାନ୍ଧୀ ଭୁଲ୍ ଧାରଣା ସୃଷ୍ଟି କରୁଛନ୍ତି । ଓଡ଼ିଶା, ଗୁଜରାଟ, ଉତ୍ତରପ୍ରଦେଶ ଓ ବିହାରରେ କଂଗ୍ରେସର ଦୀର୍ଘକାଳୀନ ନିର୍ବାଚନୀ ସ୍ଥିତିକୁ ଉଦାହରଣ ଦେଇ ସେ ଦଳର ଆସନ ଜିତିବା ଆଶା ଉପରେ ପ୍ରଶ୍ନ ଉଠାଇଛନ୍ତି।

Also Read:-IMD ଡିଜି ଦେଲେ ବଡ଼ ସୂଚନା : ସୋମବାର ରାତିରୁ ମଙ୍ଗଳବାର ଭୋର ମଧ୍ୟରେ ଲ୍ୟାଣ୍ଡଫଲ୍, ଓଡ଼ିଶାରେ ୭୦ କି.ମି. ଝଟ୍‌କା ପବନ

ଅନ୍ୟପଟେ ଏସ୍ଆଇଆର୍ ପ୍ରକ୍ରିୟାକୁ ନେଇ ବିରୋଧୀଙ୍କ ଅଭିଯୋଗର ମଧ୍ୟ ଜବାବ ରଖିଛନ୍ତି । ଭୋଟର ତାଲିକା ଯାଞ୍ଚ ଓ ସଂଶୋଧନ ପ୍ରକ୍ରିୟାରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ BLO ଏବଂ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ BLA ନିଯୁକ୍ତ ହୋଇଥାନ୍ତି। ଦେଶରେ ୧୨ ଲକ୍ଷ BLO ଓ ୨୨ ଲକ୍ଷ BLA ନିଯୁକ୍ତ ହୋଇଥିବା କହି କଂଗ୍ରେସର BLAମାନେ ଭୋଟର ତାଲିକା ଯାଞ୍ଚ ବେଳେ କ'ଣ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି।

ତାଲିକାରେ ତ୍ରୁଟି ଥିଲେ ସେମାନେ କାହିଁକି ଆପତ୍ତି ଉଠାଇନଥିଲେ ଏବଂ ଯାଞ୍ଚ ସମୟରେ ସ୍ୱାକ୍ଷର କରିଥିଲେ କି ନାହିଁ, ସେନେଇ ମଧ୍ୟ କଟାକ୍ଷ କରିଛନ୍ତି। ଏସ୍ଆଇଆର୍କୁ ନେଇ ବିରୋଧୀଙ୍କ ଆଭିମୁଖ୍ୟ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ସଂସ୍ଥାଗୁଡ଼ିକ ପ୍ରତି ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ବୋଲି ଅଭିଯୋଗ ଆଣିଛନ୍ତି ସୁଧାଂଶୁ। କେରଳରେ ଏସ୍ଆଇଆର୍ ପ୍ରକ୍ରିୟାରୁ ନିଜ ଦଳ ଲାଭବାନ ହୋଇଥିବା ନେଇ ରମେଶ ଚେନ୍ନିଥାଲାଙ୍କ ବକ୍ତବ୍ୟର ଉଦାହରଣ ମଧ୍ୟ ଦେଇଛନ୍ତି।