ନୂଆଦିଲ୍ଲୀ:  ବିହାରରେ ନିକଟରେ ସଂପନ୍ନ ହୋଇଛି ବିଧାନ ପରିଷଦ ନିର୍ବାଚନ। ଏଥିରେ ସ୍ଵାଧୀନ ପ୍ରାର୍ଥୀ ଭାବେ ବିଧାନ ପରିଷଦକୁ  ନିର୍ବାଚିତ ହୋଇଛନ୍ତି ବଂଶୀଧର ବ୍ରଜବାସୀ ଏବଂ ରାହୁଲ ରାଜ। ହେଲେ ଉଭୟ ଏବେ ବିବାଦ ଘେରରେ। ଉଭୟଙ୍କ ସଦସ୍ୟତା ରଦ୍ଦ ହେବାର ସମ୍ଭାବନା ବଢିବାରେ ଲାଗିଛି। କାରଣ ନିର୍ବାଚିତ ହେଉ ହେଉ ଦୁଇ ନେତା ଭାରତୀୟ ଜନତା ପାର୍ଟି(ବିଜେପି)ରେ ସାମିଲ୍ ହୋଇ ଯାଇଛନ୍ତି। ହେଲେ ଯେତେବେଳେ ସେମାନେ ଜାଣି ପାରିଲେ ଯେ, ଦଳବଦଳ ଆଇନ ଆଧାରରେ ସେମାନଙ୍କ ସଦସ୍ୟତା ରଦ୍ଦ ହୋଇପାରେ, ଦୁହେଁ ନିଜର ସ୍ଵର ବଦଳାଇ କହୁଛନ୍ତି ଯେ, ସେମାନେ ବିଜେପିର ସଦସ୍ୟତା ଗ୍ରହଣ କରି ନାହାନ୍ତି। ହେଲେ ଦୁଇ ଏମଏଲସିଙ୍କୁ ଏବେ ପ୍ରମାଦ ଗଡ଼ିବାକୁ ପଡ଼ିବ। ଏହି ଦୁଇ ନବ ନିର୍ବାଚିତ ଏମଏଲସି  ଯେତେ ମନା କଲେ ମଧ୍ୟ ସେମାନଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି। ଦୁହିଁଙ୍କ ସଦସ୍ୟତା ରଦ୍ଦ ପାଇଁ ବିଧାନ ପରିଷଦର ଉପାଧ୍ୟକ୍ଷଙ୍କ ନିକଟରେ ଦାବି କରିଛନ୍ତି ରାଜ୍ୟର ବିରୋଧୀ ଦଳ ନେତା ତେଜସ୍ଵୀ ଯାଦବ।

ଆରଜେଡିର ମୁଖ୍ୟ ମୁଖପାତ୍ର ମନୋଜ ଝା ଆରଜେଡି ମୁଖ୍ୟାଳୟରେ ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦୁଇ ନେତାଙ୍କ ବିଜେପିରେ ସାମିଲ୍ ହେବାର ଭିଡିଓ ଜାରି କରିଛନ୍ତି। ଏହାସହ ଅଭିଯୋଗ କରିଛନ୍ତି ଯେ, ଦୁଇ ଏମଏଲସି ଦଳବଦଳ ଆଇନର ଉଲ୍ଲଂଘନ କରିଛନ୍ତି। ଯଦି ଏହି ପ୍ରସଙ୍ଗରେ ଆରଜେଡିର ଦାବି ଗ୍ରହଣ ନ କରାଯାଏ ତେବେ ପାର୍ଟି କୋର୍ଟଙ୍କ ଦ୍ଵାରସ୍ଥ ହେବା ସହ ଜନତା ଦରବାରକୁ ମଧ୍ୟ ଯିବ। ବିଜେପି ଜନାଦେଶ ଚୋରି କରିବା ସହ ବିରୋଧୀ ଦଳଗୁଡ଼ିକୁ ଦୁର୍ବଳ କରିବା ପାଇଁ ଷଡ଼ଯନ୍ତ୍ର ରଚା ଯାଉଥିବା ସେ ଅଭିଯୋଗ କରିଛନ୍ତି।

Also Read: ‘ଗଣତନ୍ତ୍ର ବଞ୍ଚାଅ-ଅରାଜକତା ହଟାଅ’ ନାରାରେ ଓଡ଼ିଶାରେ ବିଜେପିର ନୂଆ ଅଭିଯାନ

କୋର୍ଟ ଯିବାକୁ ଧମକ ଦେଲା ଜନ ସୁରାଜ

ଦୁଇ ନବ ନିର୍ବାଚିତ ସ୍ଵାଧୀନ ଏମଏଲସିଙ୍କ ମୁସ୍କିଲ ସେହି ସମୟରେ ଆହୁରି ବଢି ଯାଇଛି ଯେତେବେଳେ ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ପାର୍ଟି ମଧ୍ୟ ଏହା ବିରୋଧରେ କୋର୍ଟ ଯିବାକୁ କହିଛି। ଜନ ସୁରାଜର ଜାତୀୟ ମୁଖପାତ୍ର କୁମାର ସୌରଭ ଦାବି କରିଛନ୍ତି ଯେ, ନବନିର୍ବାଚିତ ଦୁଇ ଏମଏଲସିଙ୍କ ସଦସ୍ୟତା ଯିବା ଥୟ। ନିର୍ବାଚନ ଫଳାଫଳ ଆସିବାର ୭୨ ଘଣ୍ଟା ଯାଇନି ଦୁଇ ଏମଏଲସି ବିଜେପିରେ ମିଶି ଯାଉଛନ୍ତି। ଶିକ୍ଷକ-ସ୍ନାତକଙ୍କ ଜନାଦେଶକୁ ଚୋରି କରାଯାଉଛି। ଏମିତି ନୀଚ ପ୍ରବୃତି ଦେଖାଇ ବିଜେପି ନିଜ ଦଳରେ ଦୁଇ ନେତାଙ୍କୁ ସାମିଲ୍ କରାଉଛି।

କଣ କହୁଛି ସମ୍ବିଧାନ ଏବଂ ନିୟମ

ସେ ସମ୍ବିଧାନର ଅନୁଚ୍ଛେଦ ୧୦, ଧାରା ୧୦୨-୨, ୧୯୨-୨ ଆଧାରରେ ବିଧାନ ପରିଷଦକୁ ନେଇ ନିୟମ କଣ କହୁଛି ତାହା ବଖାଣିଛନ୍ତି। ଏହି ଆଧାରରେ ପୂର୍ବରୁ ଏହି ପରି ୨୦ରୁ ଅଧିକ ମାମଲା ଉପରେ ନିର୍ଣ୍ଣୟ ନିଆଯାଇଛି। ନିୟମ କହୁଛି ନିର୍ବାଚନ ପରେ କୌଣସି ବି ସମୟରେ କୌଣସି ସ୍ଵାଧୀନ ପ୍ରାର୍ଥୀ ଯଦି କୌଣସି ରାଜନୈତିକ ଦଳରେ ସାମିଲ ହୁଅନ୍ତି ତେବେ ତାଙ୍କର ସଦସ୍ୟତା ରଦ୍ଦ ହୋଇଯାଏ।

Also Read: ଜ୍ଞାନେଶ କୁମାର ସିଇସି ପଦରୁ ହଟିବ, ମୋଦୀ-ଶାହଙ୍କ ବିରୋଧରେ ଆକ୍ସନ ହେବ; ରାମଲୀଲା ମଇଦାନରୁ ଗର୍ଜିଲେ ରାହୁଲ

ଜନ ସୁରାଜର ଲିଗାଲ୍ ସେଲ ନେତା କୁମାର ଅମିତ କହିଛନ୍ତି, ଅନୁଚ୍ଛେଦ ୧୯୧ ଆଧାରରେ ସ୍ଵାଧୀନ ନିର୍ବାଚିତ ପ୍ରାର୍ଥୀ ଏହିପରି କୌଣସି ରାଜନୈତିକ ଦଳରେ ସାମିଲ୍ ହୋଇ ପାରିବେ ନାହିଁ। ଏହି ମାମଲାରେ ପାର୍ଟି ପରିଷଦର ଉପାଧ୍ୟକ୍ଷଙ୍କୁ ଆବେଦନ ଦେଇ ପୂରା ପ୍ରକରଣର ଯାଞ୍ଚ କରିବା ଏବଂ ସଂପୃକ୍ତ ପ୍ରାର୍ଥୀଙ୍କ ସଦସ୍ୟତା ରଦ୍ଦ କରିବାକୁ ଦାବି କରିବ। ଯଦି ନିୟମ ଅନୁସାରେ ନିର୍ଣ୍ଣୟ ନିଆ ନ ଯାଏ ତେବେ ଜନ ସୁରାଜ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେବ।