ନୂଆଦିଲ୍ଲୀ, ୧୧|୦୨: ଅଜିତ ପାଓ୍ୱାରଙ୍କ ମୃତ୍ୟୁକୁ ନେଇ ନୂଆ ବିବାଦ । ବିମାନ ଦୁର୍ଘଟଣାକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ପୁତୁରା ରୋହିତ ପାଓ୍ୱାର ବଡ ବୟାନ ଦେଇଛନ୍ତି । ଅଜିତ ଦାଦାଙ୍କ ମୃତ୍ୟୁ ଖୁବ୍ ଦୁଃଖ ଦେଇଛି । ସେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଏହାକୁ ନେଇ ଅନେକ କଥା ଉଠୁଛି । ତାଙ୍କ ମନରେ ମଧ୍ୟ କିଛି ସନ୍ଦେହ ଥିବା ରୋହିତ ପ୍ରକାଶ କରିଛନ୍ତି । ଦିଲ୍ଲୀରେ ଏନେଇ ସେ ଏକ ପ୍ରେଜେଣ୍ଟେସନ୍ ମଧ୍ୟ ପ୍ରଦାନ କରିଛନ୍ତି ।

​​​​​​​ଏହି ଖବରଟି ପଢନ୍ତୁ... କଟକରେ ଫୁଡ୍ ସେଫ୍ଟି ଟିମ୍‌ର ଅଚାନକ ଚଢ଼ାଉ, ସିଲ୍ ହେଲା ଦୁଇଟି ହୋଟେଲ୍

ପୂର୍ବରୁ ରୋହିତ ମଙ୍ଗଳବାର ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ସେ ପ୍ରଥମେ ବିମାନର ମୂଳ କମ୍ପାନୀ ଉପରେ ପ୍ରଶ୍ନ ଉଠାଇଥିଲେ । ବିମାନର ରୁଟିନ୍ ଚେକିଂ ହୋଇଥିଲା ନା ନାହିଁ ତାହା ସେ ପଚାରିଥିଲେ । ଏହାସହ ଏହାର ଟେକ୍ ଲଗ୍ କେଉଁଠି ଅଛି ଏବଂ ଆହୁରି ଅନେକ ରିପୋର୍ଟକୁ କାହିଁକି ସାର୍ବଜନୀନ କରାଯାଇ ନାହିଁ ବୋଲି ସେ ପଚାରିଥିଲେ । ଏହାସହ ବିମାନ ଟ୍ରାନ୍ସପଣ୍ଡରକୁ ଜାଣିଶୁଣି ବନ୍ଦ କରାଯାଇଥିଲା କି ବୋଲି ସେ ପ୍ରଶ୍ନ କରିଥିଲେ ।

ବୁଧବାର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଆହୁରି ଅଭିଯୋଗ କରିଛନ୍ତି ଯେ, ୨୦୨୩ରେ ଭିଏସଆର କମ୍ପାନୀ ଯାହାର ବିମାନରେ ଅଜିତ ପାଓ୍ୱାର ଥିଲେ, ସେହି କମ୍ପାନୀର ଅନ୍ୟ ଏକ ବିମାନ କ୍ରାଶ୍ କରିଥିଲା । ଯାହାର ରିପୋର୍ଟ ଏବେସୁଦ୍ଧା ସାର୍ବଜନୀନ କରାଯାଇ ନାହିଁ । ଡିଜିସିଏ ଉପରେ ଚାପ ପଡୁଛି । ତେଣୁ ତଦନ୍ତରେ ସ୍ୱଚ୍ଛତା ରହୁନାହିଁ ବୋଲି ସେ କହିଛନ୍ତି ।

ଆରୋ କମ୍ପାନୀ ଏବଂ ବିମାନ ବୁକିଂକୁ ନେଇ ସନ୍ଦେହ

ରୋହିତ କହିଛନ୍ତି ଯେ, ଅଜିତ ପ୍ରଥମେ ସଡକ ମାର୍ଗରେ ବାରାମତି ଗସ୍ତ କରିଥାନ୍ତେ । ତାଙ୍କ କାରକେଡ୍ ବାହାରି ସାରିଥିଲା । କିନ୍ତୁ ଶେଷ ସମୟରେ ବିମାନରେ ଯିବାକୁ ନିଷ୍ପତ୍ତି ନେଇଥିଲେ । ଏହା ପଛରେ କିଛି କାରଣ ଥାଇପାରେ । କାହିଁକି ବିଳମ୍ବିତ ରାତ୍ରରେ ଫ୍ଲାଇଟ୍ ବୁକିଂ କରାଗଲା ସେନେଇ କେହି ମୁହଁ ଖୋଲୁ ନାହାଁନ୍ତି । କାହାର ଚାପରେ ପ୍ଲାନ୍ ବଦଳିଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ପାଇଲଟଙ୍କୁ ଟାର୍ଗେଟ୍

ରୋହିତ ପାଇଲଟ କ୍ୟାପ୍ଟେନ୍ ସୁମିତ କୁମାରଙ୍କ ରେକର୍ଡ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ସୁମିତଙ୍କୁ ମଦ ପିଇବା ମାମଲାରେ ନିଲମ୍ବନ କରାଯାଇଥିଲା । ଲ୍ୟାଣ୍ଡିଂ ସମୟରେ ପାଇଲଟ୍ ଚୁପ୍ ରହିଥିଲେ । ଏହା ପଛରେ କାରଣ କେହି କହିପାରୁ ନାହାଁନ୍ତି । ୨୯ ନମ୍ବର ରନ ଓ୍ୱେରେ ଅନୁମତି ମିଳିଥିଲେ ମଧ୍ୟ ପାଇଲଟ୍ କାହିଁକି ୧୧ ନମ୍ବର୍ ମାଗିଥିଲେ । ସାମ୍ଭବି ପାଠକଙ୍କ ଅଭିଜ୍ଞତା କିଛି ମାମଲାରେ ଅଧିକ ଥିଲେ ବି ଲ୍ୟାଣ୍ଡିଂରେ କେଉଁ ଆଧାରରେ ଚ୍ୟାଲେଞ୍ଜଭରା୧୧ ନମ୍ବର ରନ ଓ୍ୱେ ମଗାଯାଇଥିଲା ସେନେଇ ରୋହିତ ପ୍ରଶ୍ନ କରିଛନ୍ତି ।