ମୁମ୍ବାଇ : ରିଅଲିଟି ଶୋ’ରେ ରୋମାନ୍ସକୁ ନେଇ ଥମୁନି ହଙ୍ଗାମା । କ୍ୟାମେରା ସାମ୍ନାରେ ଦୁଇ କନ୍ଟେଷ୍ଟାଣ୍ଟଙ୍କ ଘନିଷ୍ଠତାକୁ ନେଇ ଚର୍ଚ୍ଚା ଜୋର୍ଦାର। ଆଉ ଏହାକୁ ନେଇ କଡା ଟାର୍ଗେଟ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ତଥା ଶୋ’ର ହୋଷ୍ଟ ସୌରଭ ଗାଙ୍ଗୁଲି। ଶେଷରେ ଦୁଇ କନ୍ଟେଷ୍ଟାଣ୍ଟଙ୍କୁ ଦେବାକୁ ପଡ଼ିଲା କଡ଼ା ଚେତାବନୀ। ଏବେ ସୋସିଆଲ୍ ମିଡିଆରେ ଏହି ଘଟଣାକୁ ନେଇ ଚାଲିଛି ଜୋର୍ଦାର ଚର୍ଚ୍ଚା।

ବଙ୍ଗଳା ଭାଷାର ଲୋକପ୍ରିୟ ରିଅଲିଟି ଶୋ’ ‘ବିଗବସ ବାଂଲା’ ଏବେ ଚର୍ଚ୍ଚାରେ। ଏହାର କାରଣ ହେଉଛନ୍ତି ଦୁଇ କନ୍ଟେଷ୍ଟାଣ୍ଟ ରାଜବୀର ଦେ ଏବଂ ନନ୍ଦିନୀ ଦତ୍ତ। ଶୋ’ରେ ଉଭୟଙ୍କ ମଧ୍ୟରେ ବଢ଼ୁଥିବା ଘନିଷ୍ଠତା ଦର୍ଶକଙ୍କ ନଜରକୁ ଆସିଛି। ଭିଡ଼ିଓଟିରେ ଅଶ୍ଲୀଳତାର ଚରମ ସୀମା ଉଲ୍ଲଂଘନ କରିଛନ୍ତି ଏହି ଦୁଇ କନ୍ଟେଷ୍ଟାଣ୍ଟ । ଉଭୟଙ୍କ ଚୁମ୍ବନ ଓ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହାକୁ ନେଇ ବଢ଼ିଛି ଚର୍ଚ୍ଚା ।

ଏହି ଘଟଣାକୁ ନେଇ ଶୋ’ର ଉଇକେଣ୍ଡ କା ୱାର ‘ଦାଦାର ଦରବାର’ରେ ଉଭୟଙ୍କୁ ତାଗିଦ୍ କରିଛନ୍ତି ସୌରଭ । ବିଗବସ ଭଳି ଏକ ପାରିବାରିକ ମନୋରଞ୍ଜନ କାର୍ଯ୍ୟକ୍ରମରେ କନ୍ଟେଷ୍ଟାଣ୍ଟଙ୍କ ଏଭଳି ଆଚରଣ ଦର୍ଶକଙ୍କୁ ଅସହଜ ପରିସ୍ଥିତିରେ ପକାଇଛି । ଯାହାକି ଉଚିତ ନୁହେଁ ବୋଲି ଚେତାଇଛନ୍ତି ସୌରଭ । କେବଳ ସେତିକି ନୁହେଁ, ଏଭଳି ଆଚରଣ ଆଗକୁ ଦେଖାଗଲେ କଠୋର ପଦକ୍ଷେପ ନିଆଯାଇପାରେ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି।

ତେବେ ରାଜବୀର ଓ ନନ୍ଦିନୀଙ୍କ ଏହି ଘଟଣାକୁ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ରିଅଲିଟି ଶୋ’ରେ ପ୍ରତିଯୋଗୀଙ୍କ ବ୍ୟକ୍ତିଗତ ସମ୍ପର୍କର ସୀମା କେଉଁଠି ରହିବା ଉଚିତ, ତାହାକୁ ନେଇ ମଧ୍ୟ ଆଲୋଚନା ଚାଲିଛି। ଏବେ ଦେଖିବାକୁ ବାକି ସୌରଭ ଗାଙ୍ଗୁଲିଙ୍କ ଚେତାବନୀ ପରେ ଶୋ’ରେ ଆଗକୁ କ’ଣ ହେଉଛି | ଦୁଇ କନ୍ଟେଷ୍ଟାଣ୍ଟ ଏଥିରୁ ଚେତୁଛନ୍ତି ନା ଆଗକୁ ଆହୁରି ଭୁଲ କରୁଛନ୍ତି ତାହା ଉପରେ ଦର୍ଶକଙ୍କ ନଜର ।