ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ ଙ୍କୁ ଗୁଳିମାଡ଼ ଘଟଣାର ତଦନ୍ତ ବେଳେ ପୁଲିସକୁ ମିଳିଛି ଏକ ନୂଆ ତଥ୍ୟ। ତଦନ୍ତରୁ ଯାହା ଜଣା ପଡ଼ିଛି ଟାଇଗର ଶ୍ରଫ୍ ନୁହେଁ ବଲିଉଡ୍ର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍ ଟାର୍ଗେଟରେ ଥିଲେ। ତେବେ ଆମୀର ଖାନଙ୍କ ବଦଳରେ ଟାଇଗର ଶ୍ରଫଙ୍କୁ କାହିଁକି ଆକ୍ରମଣ କରାଗଲା? କେଉଁ କାରଣରୁ ବଦଳିଲା ଯୋଜନା? ସେ ନେଇ ମଧ୍ୟ ନୂଆ ତଥ୍ୟ ସାମ୍ନାକୁ ଆସିଛି।

ପୁଲିସର ତଦନ୍ତ ସମ୍ପର୍କିତ ସୂତ୍ର ଅନୁସାରେ, ଏହି ଗ୍ୟାଙ୍ଗର ଉଦ୍ଦେଶ୍ୟ ଥିଲା ବଲିଉଡ୍ର କୌଣସି ଜଣେ ବଡ଼ ଷ୍ଟାରଙ୍କୁ ଟାର୍ଗେଟ୍ କରି ଦେଶବ୍ୟାପୀ ଭୟର ବାତାବରଣ ସୃଷ୍ଟି କରିବା। ଏଥିପାଇଁ ମୁମ୍ବାଇର ବାନ୍ଦ୍ରାସ୍ଥିତ କାର୍ଟର ରୋଡ୍ରେ ଥିବା ଏକ ବିଲ୍ଡିଂରେ ରହୁଥିବା ଆମୀର ଖାନଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖାଯାଇଥିବା ଜଣାପଡ଼ି। ହେଲେ ଆମୀରଙ୍କ ସୁରକ୍ଷା ବ୍ୟବସ୍ଥା ଏତେ କଡ଼ା କଡ଼ି ଥିଲା ଯେ, ଏହା ଆକ୍ରମଣକାରୀଙ୍କ କାମରେ ବାଧା ସୃଷ୍ଟି ହୋଇଥିଲା। ଏଭଳି ପରିସ୍ଥିତିରେ ତାଙ୍କୁ ଟାର୍ଗେଟ୍ କରିବା କଷ୍ଟକର ଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି।

ଖାଲି ସେତିକି ନୁହେଁ, ଆମୀରଙ୍କ ସମେତ ଅନ୍ୟ କିଛି ବଲିଉଡ୍ ତାରକାଙ୍କ ଗତିବିଧି ଓ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଥିଲେ ଦୁର୍ବୃତ୍ତମାନେ। କିନ୍ତୁ ଟାଇଗର ଶ୍ରଫଙ୍କୁ ଟାର୍ଗେଟ୍ କରିବା ଅନ୍ୟ ସେଲିବ୍ରିଟିଙ୍କ ଠାରୁ ଅପେକ୍ଷାକୃତ ସହଜ ବୋଲି ସେମାନେ ଭାବିଥିଲେ। କାରଣ ମିଳିଥିବା ତଥ୍ୟ ଅନୁସାରେ , ଟାଇଗରଙ୍କ ଜିମ୍ ଯିବା ଏବଂ ଖେଳକୁଦ କରିବାର ସମୟ ପ୍ରାୟତଃ ନିର୍ଦ୍ଦିଷ୍ଟ ରହୁଥିଲା। ଏହି ନିୟମିତ ଦୈନନ୍ଦିନ କାର୍ଯ୍ୟସୂଚୀ ଆକ୍ରମଣକାରୀଙ୍କୁ ତାଙ୍କ ଗତିବିଧି ଆକଳନ କରିବା ସହଜ ହୋଇଥିଲା। ଅନ୍ୟପଟେ, ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ଥିବାରୁ ଟାଇଗରଙ୍କୁ ଟାର୍ଗେଟ୍ କରିବାର କାରଣ ଭାବେ ଦେଖାଯାଉଛି।

Also Read- ବିଗବସରେ ଲିପଲକ୍‌ ରୋମାନ୍ସ ; ୨ କନ୍ଟେଷ୍ଟାଣ୍ଟଙ୍କୁ ସୌରଭ ଗାଙ୍ଗୁଲିଙ୍କ କଡ଼ା ଚେତାବନୀ

ଟାଇଗର ଶ୍ରଫଙ୍କ ଘଟଣାରେ ଆଉ ଏକ ବଡ଼ ତଥ୍ୟ ଆସିଛି ସାମ୍ନାକୁ । ଗୁଳିମାଡ଼ ପାଇଁ ତୁର୍କୀରେ ନିର୍ମିତ ‘ଜିଗାନା’ ପିସ୍ତଲ ସହ ଏକ ଦେଶୀ ବନ୍ଧୁକ ମଧ୍ୟ ବ୍ୟବହାର କରାଯାଇଥିବା ସୂତ୍ରରୁ ଜଣାପଡ଼ିଛି। କୁହାଯାଉଛି, ଗୁଳିମାଡ଼ ସମୟରେ ଦେଶୀ ପିସ୍ତଲଟି ଜାମ୍ ହୋଇ ଯାଇଥିଲା। ଫଳରେ ଆକ୍ରମଣକାରୀମାନେ ଟାଇଗର ଶ୍ରଫଙ୍କ କାରର ପାର୍ଶ୍ୱ କାଚକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ। ଯେଉଁଥିପାଇଁ ଏତେ ବଡ଼ ଆକ୍ରମଣରୁ ଟାଇଗର ଅଳ୍ପକେ ବର୍ତ୍ତି ଯାଇଥିବା କୁହାଯାଉଛି। ତେବେ ଗୁଳିମାଡ଼ରେ କେଉଁ ବନ୍ଧୁକରୁ କେତୋଟି ଗୁଳି ଫୁଟିଥିଲା ଏବଂ ବନ୍ଧୁକ ଜାମ୍ ହେବାର ପ୍ରକୃତ କାରଣ କ’ଣ, ତାହା ଫରେନ୍ସିକ୍ ଯାଞ୍ଚ ପରେ ଅଧିକ ସ୍ପଷ୍ଟ ହୋଇପାରିବ। ଏହି ମାମଲାର ତଦନ୍ତ ବେଳେ ପୋଲିସ ସୁରତରୁ ଦୁଇଟି ପିସ୍ତଲ ଏବଂ ୧୦ଟି ଜୀବନ୍ତ ଗୁଳି ଜବତ କରିଥିବା ସୂଚନା ମିଳିଛି। ତେବେ ସମୟ ଗଡ଼ିବା ସହିତ, ତଦନ୍ତ ଯୋଗୁ ଘଟଣାର ଏଭଳି ବିଭିନ୍ନ ଦିଗ ଖୋଲିବ ବୋଲି ଯାହା ଆଶଙ୍କା କରାଯାଉଛି।