ଭଦ୍ରକ: ମୁଁ ବଞ୍ଚିଛି ବାବୁ... ମୋ ସରକାରୀ ପ୍ରମାଣପତ୍ର ଯେମିତି ଆଧାର କାର୍ଡ , ପାସପୋର୍ଟ ଦେଖନ୍ତୁ । କିନ୍ତୁ ମୋର ନାଁରେ ଥିବା ଘର ଓ ଜମି ପୁଅ ଦୁଇ ଜଣ ନେଇ ମୋତେ ଘରୁ ତଡ଼ି ଦେଇଛନ୍ତି । ଆଉ ରାଜସ୍ୱ ନିରୀକ୍ଷକଙ୍କ ରିପୋର୍ଟ କହୁଛି ଯେ ମୁଁ କୁଆଡ଼େ ୪୦ ବର୍ଷ ପୂର୍ବରୁ ମରି ଯାଇଛି । ଏମିତି କାଗଜ ଦେଖିବା ପରେ ମା ଜଣକ ନିଜେ ମଧ୍ୟ ତାଜୁବ ହୋଇଯାଇଛନ୍ତି । ଦୁଇ ପୁଅଙ୍କ ନାଁରେ ହୋଇଥିବା ଘର ଓ ଜମି ଫେରାଇବା ସହ ନିଜେ ବଞ୍ଚିଥିବା ନେଇ ପ୍ରମାଣ ପାଇଁ ସରକାରୀ ଅଫିସ ଚକ୍କର କାଟୁଛନ୍ତି । ଭଦ୍ରକ ଜିଲ୍ଲାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ପୁଅ ମାନଙ୍କ ଅମାନବୀୟ କାଣ୍ଡକୁ କେମିତି ସହଯୋଗ କରି ରାଜସ୍ଵ ନିରୀକ୍ଷକ ଜୀବିତ ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି।

୬୪ ବର୍ଷୀୟ ମହିଳା ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅଧୀନ ଜୟନଗରର ବାସିନ୍ଦା ଆଇସା ବିବି । ଦୁଇ ପୁଅ ଓ ୬ ଝିଅ ଅଛନ୍ତି । ସେ ହଜ କରିବା ପାଇଁ ସାଉଦି ଯାଇଥିଲେ । ସେଠାରୁ ଫେରିବା ପରେ ଦୁଇ ପୁଅ ଓ ବହୁ ନିସ୍ତୁକ ମାଡ ମାରି ଘରୁ କାଢ଼ିଦେଲେ । ନିଜ ନାମରେ ଥିବା ୧୪ ଡିସିମିଲ ଘର ବାଡ଼ି ଜମି ସହ କୋଠା ଘରେ ଦୁଇ ପୁଅଙ୍କ ପରିବାର ରହୁଛନ୍ତି । କିନ୍ତୁ ତାଙ୍କ ଅଜାଣତରେ ଜମି ଓ ଘର ଏବେ ଦୁଇ ପୁଅଙ୍କ ନାମରେ ହୋଇଯାଇଥିବା ସେ ଜାଣିବାକୁ ପାଇଛନ୍ତି ।

Also Read: ଜେଲରୁ ଆସି ବଦଲା ! ଦୁଇ ପରିବାରର ୬ ଜଣଙ୍କୁ ନିର୍ମମ ହତ୍ୟା, ନିଜ ସ୍ତ୍ରୀ-ପିଲାଙ୍କୁ ବି ଛାଡିଲାନି

ଏହି ଘଟଣା ପରେ ଭଦ୍ରକ ର ସୂଚନାଧିକାର କର୍ମୀ ସୂଚନା ଅଧିକାର ବଳରେ ଯାହା ତଥ୍ୟ ପାଇଲେ ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । କାରଣ ୨୦୨୫ ମସିହାରେ ଆଈସାଙ୍କ ଦୁଇ ପୁଅ ଏକ ଘୋଷଣା ନାମା ଦେଇଥିଲେ ଯେ ତାଙ୍କ ମାଆ ୪୦ ବର୍ଷ ପୂର୍ବରୁ ମରି ଯାଇଛନ୍ତି ଓ ସେମାନଙ୍କ ର ଅନ୍ୟ କୌଣସି ଅଂଶୀଦାର ନାହାନ୍ତି । ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ମଧ୍ୟ କେମିତି କ୍ଷେତ୍ରୀୟ ତଦନ୍ତ କଲେ ଯେ ଘୋଷଣାନାମାକୁ ସତ ବୋଲି ରିପୋର୍ଟ କରିଦେଲେ ଓ ଜମି ସହ ଘର ଏବେ ଦୁଇ ପୁଅଙ୍କ ନାମ ରେ ହୋଇଗଲା ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଆଈଶା ବିବି ଏବେ ତହସିଲରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବୁଲୁଛନ୍ତି । ନିଜ ଜମି ଓ ଘର ଏବେ ଦୁଇ ପୁଅଙ୍କ ନାମରେ ହୋଇଥିବା ବେଳେ ମାଡ ଖାଇବା ସହ ଘରୁ ବାହାରି ଏବେ ଝିଅ ଘରେ ରହୁଛନ୍ତି । ତେବେ ଏବେ ଆଈସା ବିବିଙ୍କୁ ମୃତ ଘୋଷଣାନାମାକୁ ସତ ଦର୍ଶାଇଥିବା ରାଜସ୍ୱ ନିରୀକ୍ଷକ ସେହି କାର୍ଯ୍ୟାଳୟ ରୁ ବଦଳି ହେବା ପୂର୍ବରୁ ତରବରିଆ ଭାବ ପୁଣି ଏବେ ତଦନ୍ତ ରିପୋର୍ଟ ଦେଇଛନ୍ତି । ଯେଉଁଥିରେ ଦର୍ଶାଇଛନ୍ତି ଯେ ଆଇଶା ବିବି ତୀର୍ଥ ଯାଇଥିବା ବେଳେ ହଜି ଯାଇଥିଲେ ଓ ତାଙ୍କ ପୁଅ ମାନେ ମିଥ୍ୟା ତଥ୍ୟ ଦେଇଛନ୍ତି ।

Also Read: ଫିଲ୍ମରେ ଦେଖିଥିଲେ, ଏବେ ରିୟଲରେ ଦେଖନ୍ତୁ... ଦାମୀ ଗାଡ଼ି ଲଗାଇ ଏଟିଏମ୍ ମେସିନ୍ ଲୁଟ୍

ଏବେ ସଂପୃକ୍ତ ରାଜସ୍ୱ ନିରୀକ୍ଷକ , ଦୁଇ ପୁଅ ଓ ୪ ଜଣ ସାକ୍ଷୀଙ୍କ ନାମରେ ଧାମନଗର ଥାନା ରେ ଏତଲା ଦେଇଛନ୍ତି ଅଇଶା ବିବି । ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଘଟଣା ବିଷୟରେ ଅବଗତ ହୋଇଛନ୍ତି । ଘଟଣାକୁ ନେଇ ଅଭିଯୋଗ ପତ୍ର ଦେଲେ ସଂପୃକ୍ତ ରାଜସ୍ୱ ନିରୀକ୍ଷକ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଏମିତି କି ଦୁଇ ପୁଅଙ୍କ ନାମ ରେ ହୋଇଥିବା ଘର ଓ ଜମି ପୁଣି ଆଇସା ବିବିଙ୍କ ନାମକୁ କେମିତି ଫେରିବ ସେ ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ।