ହାଇଦ୍ରାବାଦ: ତେଲେଙ୍ଗାନାର ରଙ୍ଗା ରେଡ୍ଡି ଜିଲ୍ଲାରୁ ଲୋମହର୍ଷଣକାରୀ ଗଣହତ୍ୟା ମାମଲା ସାମ୍ନାକୁ ଆସିଛି। ଜଣେ ପୋକ୍ସୋ ମାମଲାର ଅଭିଯୁକ୍ତ ନିଜ ଉପରେ ହୋଇଥିବା କେସ୍ର ପ୍ରତିଶୋଧ ନେବାକୁ ଯାଇ ପୀଡ଼ିତା ନାବାଳିକାଙ୍କ ପରିବାର ସହ ନିଜ ସଂସାରକୁ ମଧ୍ୟ ଉଜାଡ଼ି ଦେଇଛି। ସୈତାନ ସାଜିଥିବା ଅଭିଯୁକ୍ତ ଜଣକ ଉଭୟ ପରିବାରର ମୋଟ ୬ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ଏବେ ଫେରାର୍ ହୋଇଯାଇଛି।

ପୋଲିସର ସୂଚନା ଅନୁଯାୟୀ, ୩୫ ବର୍ଷୀୟ ଅଭିଯୁକ୍ତ ରାଜୁ କୁମାର ପୂର୍ବରୁ ଏକ ନାବାଳିକା ଝିଅକୁ ଅସଦାଚରଣ କରି ପୋକ୍ସୋ ଆକ୍ଟରେ ଗିରଫ ହୋଇଥିଲା। ବର୍ତ୍ତମାନ ସେ କୋର୍ଟରୁ ଜାମିନ ପାଇ ଜେଲ୍ରୁ ବାହାରକୁ ଆସିଥିଲା। ହେଲେ ଜେଲ ବାହାରିବା ପରେ ସେ ସୁଧୁରିବା ପରିବର୍ତ୍ତେ ପ୍ରତିଶୋଧର ନିଆଁରେ ଜଳୁଥିଲା। ଶାହବାଦ ଅଞ୍ଚଳରେ ରହୁଥିବା ସେହି ପୀଡ଼ିତା ନାବାଳିକାଙ୍କ ଘରେ ପଶି ରାଜୁ ପ୍ରଥମେ ନାବାଳିକା ଝିଅ, ତାଙ୍କ ମାଆ ଏବଂ ତାଙ୍କ ଜେଜେମାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା।

ଏତିକିରେ ଅଭିଯୁକ୍ତର ମନ ଭରିନଥିଲା। ନାବାଳିକାର ପରିବାରକୁ ଶେଷ କରିବା ପରେ ସେ ନିଜ ବାସଭବନ ରାୟବଲାଗୁଡ଼ାକୁ ଯାଇ ସେଠାରେ ନିଜ ସ୍ତ୍ରୀ ଏବଂ ଦୁଇ ନିଷ୍ପାପ ସନ୍ତାନଙ୍କୁ ମଧ୍ୟ ଗଳାକାଟି ହତ୍ୟା କରିଥିଲା। ମାତ୍ର କେଇ ଘଣ୍ଟା ମଧ୍ୟରେ ସେ ଦୁଇଟି ହସୁଥିବା ଖେଳୁଥିବା ପରିବାରକୁ ଜିଅନ୍ତା କବର ଦେଇଦେଇଥିଲା।

ଏହି ସାଙ୍ଘାତିକ କାଣ୍ଡ ଭିଆଇବା ପରେ ଅଭିଯୁକ୍ତ ରାଜୁ କୁମାର ନିଜ ବାପା-ମାଆଙ୍କୁ ଫୋନ୍ କରିଥିଲା। ସେ ଫୋନ୍ରେ କହିଥିଲା ଯେ, "ମୁଁ ଉଭୟ ପରିବାରକୁ ସମ୍ପୂର୍ଣ୍ଣ ଭାବେ ସର୍ବସ୍ୱାନ୍ତ କରିଦେଇଛି, ଏବେ ମୁଁ ନିଜେ ଆତ୍ମହତ୍ୟା କରିବାକୁ ଯାଉଛି।" ଏହା ଶୁଣିବା ପରେ ଅଭିଯୁକ୍ତର ପରିବାର ଲୋକେ ସ୍ତବ୍ଧ ହୋଇଯାଇଥିଲେ ଏବଂ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ।

ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ୬ଟି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତ ଆତ୍ମହତ୍ୟା କରିବାକୁ କହିଥିଲେ ମଧ୍ୟ ସେବେଠାରୁ ସେ ଫେରାର୍ ଅଛି। ପୋଲିସ ତାକୁ ଜୀବନ୍ତ କିମ୍ବା ମୃତ ଅବସ୍ଥାରେ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ସନ୍ଦିଗ୍ଧ ଆଡ୍ଡାଗୁଡ଼ିକରେ ଘନ ଘନ ଚଢ଼ାଉ କରାଯାଉଛି। "ଅଭିଯୁକ୍ତକୁ ଖୁବ୍ ଶୀଘ୍ର ଗିରଫ କରାଯିବ ଏବଂ ମାମଲାର ପ୍ରତ୍ୟେକ ଦିଗର ଗଭୀର ତଦନ୍ତ ଚାଲିଛି" ବୋଲି ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।