ନୂଆଦିଲ୍ଲୀ ୧୦।୧୧: ବଲିଉଡର ଜଣେ ଦକ୍ଷ ଅଭିନେତା ଭାବେ ପରିଚିତ ପଙ୍କଜ ତ୍ରିପାଠୀ। ତାଙ୍କ ଅଭିନୟର ଯାଦୁରେ ଦର୍ଶକ ହୁଅନ୍ତି ମନ୍ତ୍ରମୁଗ୍ଧ। କିନ୍ତୁ ଆଜିର ଏହି ସଫଳତା ପଛରେ ରହିଛି ସଂଘର୍ଷ ଓ ପରିଶ୍ରମର ଏକ ଲମ୍ବା କାହାଣୀ। ନିକଟରେ ଏକ ଟିଭି ଶୋ'ରେ ନିଜର ପୁରୁଣା ଦିନକୁ ମନେ ପକାଇ ହୋଟେଲରେ ଦୁଇ ବର୍ଷ କାମ କରିବା ଏବଂ ପିଆଜ, ଆଳୁ ଛଡ଼ାଇବାର ଅନୁଭୂତି ବଖାଣିଛନ୍ତି ଅଭିନେତା। ନଭେମ୍ବର ୮ ତାରିଖରେ ପ୍ରସାରିତ ହେବାକୁ ଥିବା ଏକ ଶୋର ଏପିସୋଡରେ ପଙ୍କଜ ନିଜ ଛାତ୍ର ଜୀବନ ଓ ସଂଘର୍ଷର ଦିନଗୁଡ଼ିକ ବିଷୟରେ କହିଛନ୍ତି।

ସେ କହିଥିଲେ, ଅଭିନୟ ଦୁନିଆକୁ ଆସିବା ପୂର୍ବରୁ ସେ ଦୁଇ ବର୍ଷ ଧରି ଏକ ହୋଟେଲରେ କାମ କରୁଥିଲେ।ସେଠାରେ ତାଙ୍କ କାମ ଥିଲା ପିଆଜ ଓ ଆଳୁ ଛଡ଼ାଇବା। ଏହି କାମ କରୁଥିବା ସମୟରେ ତାଙ୍କ ମନରେ ଅନେକ ଥର ପ୍ରଶ୍ନ ଆସୁଥିଲା ଯେ, ତାଙ୍କ ଭାଗ୍ୟରେ କ'ଣ କେବଳ ଏତିକି କାମ କରିବା ଲେଖା ଅଛି?କେବଳ ହୋଟେଲ କାମ ନୁହେଁ, ନିଜର ଅଭିନୟ ପ୍ରତି ଥିବା ଭଲପାଇବାକୁ ମଧ୍ୟ ସେ ଛାଡ଼ି ନଥିଲେ। ରାତିରେ ହୋଟେଲରେ କାମ କରିବା ପରେ ଦିନରେ ଥିଏଟର ରିହର୍ସାଲ କରୁଥିଲେ। ଏମିତି ଭାବେ ନିଜ କାମ ଓ ସ୍ୱପ୍ନ ମଧ୍ୟରେ ସନ୍ତୁଳନ ରଖି ଆଗକୁ ବଢ଼ିଥିଲେ। ଶୋ'ରେ ସେ ନିଜ ଛାତ୍ର ଜୀବନର ଆଉ ଏକ ଘଟଣା ମଧ୍ୟ କହିଥିଲେ। ପିଲାବେଳେ ତାଙ୍କର ଛାତ୍ରନେତା ହେବାର ଇଚ୍ଛା ଥିଲା। କିନ୍ତୁ ଏକ ଆନ୍ଦୋଳନ ସମୟରେ ପୁଲିସର ମାଡ଼ ଖାଇବା ପରେ ସେହି ଦିନଠାରୁ ନିଜ ନିଷ୍ପତ୍ତି ବଦଳାଇ ଦେଇଥିଲେ।

ସେହି ଆଲୋଚନାରେ ପଙ୍କଜ OTT ପ୍ଲାଟଫର୍ମର ଗୁରୁତ୍ୱ ଉପରେ ମଧ୍ୟ କହିଥିଲେ। ତାଙ୍କ ମତରେ, OTT ଯୋଗୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ବାହାରୁ ଆସୁଥିବା କଳାକାରଙ୍କୁ ନିଜ ପ୍ରତିଭା ଦେଖାଇବାର ଅଧିକ ସୁଯୋଗ ମିଳିଛି। ସେହିପରି ଲୋକପ୍ରିୟତା ମିଳିବା ପରେ ତାଙ୍କୁ ରାଜନୀତିରେ ଯୋଗଦେବା ପାଇଁ ମଧ୍ୟ ପ୍ରସ୍ତାବ ମିଳିଥିଲା। ହେଲେ ଅଭିନୟ ତାଙ୍କର ପ୍ରଥମ ପସନ୍ଦ ଏବଂ ରାଜନୀତି ଏକ ବଡ଼ ଦାୟିତ୍ୱ ବୋଲି କହି ସେ ଏଥିରେ ରୁଚି ନଥିବା ସ୍ପଷ୍ଟ କରିଥିଲେ। ଆଜି 'ମିର୍ଜାପୁର' ଓ 'ଗ୍ୟାଙ୍ଗସ୍ ଅଫ୍ ୱାସେପୁର' ଭଳି ପ୍ରୋଜେକ୍ଟରେ ନିଜ ଅଭିନୟର ଛାପ ଛାଡ଼ିଥିବା ପଙ୍କଜଙ୍କ ଏହି କାହାଣୀ ଦର୍ଶାଉଛି ଯେ ସଫଳତା ପଛରେ କେତେ ଧୈର୍ଯ୍ୟ ଓ ପରିଶ୍ରମ ଲୁଚି ରହିଥାଏ।