ନୂଆଦିଲ୍ଲୀ ୧୦।୧୧: ଦକ୍ଷିଣ ସିନେମାର ସୁପରଷ୍ଟାର ଏବଂ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ। ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ଉତ୍ଥାନ ପତ୍ଥନ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏବେ ଏକ ପୋଷ୍ଟ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ ତାଙ୍କର ତୃତୀୟ ବିବାହ ଭାଙ୍ଗିଯାଇଛି। ଭାଇରାଲ ପୋଷ୍ଟ ଅନୁଯାୟୀ, ପବନ କଲ୍ୟାଣ ଏବଂ ତାଙ୍କ ପତ୍ନୀ ଆନ୍ନା କୋନିଡେଲା ୧୩ ବର୍ଷର ବିବାହ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।

ତୃତୀୟପତ୍ନୀଙ୍କଠାରୁ ଅଲଗା ହେଲେ

ଭାଇରାଲ ହୋଇଥିବା ବିବୃତ୍ତିରେ ଲେଖାଯାଇଛି, "ଆମ ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ ବର୍ଷ ଏକାଠି ବିତାଇବା ପରେ, ଆମେ ପରସ୍ପର ସହମତ ହୋଇ ସମ୍ମାନର ସହିତ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ତଥାପି, ଆମ ବିବାହର ଅନ୍ତ ସତ୍ତ୍ୱେ, ଆମର ବନ୍ଧୁତା ଏବଂ ସମ୍ମାନ ବଜାୟ ରହିବ। ଆମେ ଆମ ପିଲାମାନଙ୍କ ପାଇଁ ଆମର ଦାୟିତ୍ୱ ବାଣ୍ଟିବା ଜାରି ରଖିବୁ। ସେମାନଙ୍କ ଖୁସି ଏବଂ ମଙ୍ଗଳ ସର୍ବଦା ଆମର ପ୍ରାଥମିକତା ରହିବ। ଏହି କଷ୍ଟକର ସମୟରେ, ଆମେ ଆମର ଗୋପନୀୟତାକୁ ସମ୍ମାନ ଦେବାକୁ ଅନୁରୋଧ କରୁଛୁ। ଏହି ଯାତ୍ରାରେ ଯେଉଁମାନେ ଆମ ସହିତ ଠିଆ ହୋଇଥିଲେ ଏବଂ ସମର୍ଥନ କରିଥିଲେ ସେମାନଙ୍କୁ ଆମେ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଉଛୁ।

 

ପବନ କଲ୍ୟାଣ ତିନିଥର ବିବାହ କରିଥିଲେ

୫୫ ବର୍ଷୀୟ ପବନ କଲ୍ୟାଣ ୨୦୧୩ ସେପ୍ଟେମ୍ବରରେ ଆନ୍ନା କୋନିଡେଲାଙ୍କୁ ତୃତୀୟ ବିବାହ କରିଥିଲେ। ଆନ୍ନା ମୂଳତଃ ରୁଷର। ରିପୋର୍ଟ ଅନୁଯାୟୀ, ସେମାନେ ୨୦୧୧ ତେଲୁଗୁ ଚଳଚ୍ଚିତ୍ର "ତିନ୍ ମାର"ର ସେଟରେ ଭେଟିଥିଲେ। ପବନ କଲ୍ୟାଣ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ, ଯେତେବେଳେ ଆନ୍ନାଙ୍କ ଭୂମିକା ଛୋଟ ଥିଲା। ସେଟରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । ଦୁଇ ବର୍ଷ ପରେ ଉଭୟ ବିବାହ କରିଥିଲେ। ଏହି ସମ୍ପର୍କରୁ ସେମାନଙ୍କର ଦୁଇଟି ସନ୍ତାନ ଅଛି: ଗୋଟିଏ ପୁଅ ଏବଂ ଗୋଟିଏ ଝିଅ।

ପବନ କଲ୍ୟାଣ ପୂର୍ବରୁ ୧୯୯୭ ମସିହାରେ ନନ୍ଦିନୀଙ୍କୁ ବିବାହ କରିଥିଲେ, କିନ୍ତୁ ଏହି ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିନଥିଲା। ସେ ୨୦୦୯ ମସିହାରେ ଅଭିନେତ୍ରୀ ରେଣୁ ଦେଶାଇଙ୍କୁ ବିବାହ କରିଥିଲେ। ଏହି ବିବାହରୁ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। କିନ୍ତୁ, ବିବାହ ଅଧିକ ଦିନ ତିଷ୍ଠି ନଥିଲା। ୨୦୧୨ ମସିହାରେ ସେମାନଙ୍କର ଛାଡପତ୍ର ହୋଇଥିଲା। ପବନ କଲ୍ୟାଣ ଏବେ ତାଙ୍କ ତୃତୀୟ ପତ୍ନୀଙ୍କଠାରୁ ମଧ୍ୟ ଅଲଗା ହୋଇଯାଇଛନ୍ତି। କହିବାକୁ ଗଲେ ଅଭିନେତାଙ୍କର ସମସ୍ତ ବିବାହରୁ ଛଅଟି ସନ୍ତାନ ଅଛନ୍ତି।