ନୂଆଦିଲ୍ଲୀ: ମେ ମାସରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି (Retail Inflation) ସାମାନ୍ୟ ବୃଦ୍ଧି ପାଇ ୩.୯୩ ପ୍ରତିଶତରେ ପହଞ୍ଚିଛି। ଖାଦ୍ୟ ସାମଗ୍ରୀର ଦରଦାମ ବଢ଼ିବା ଯୋଗୁ ଏହି ସ୍ଥିତି ସୃଷ୍ଟି ହୋଇ ଥିବା ବେଳେ ପୂର୍ବ ମାସ ଅର୍ଥାତ୍ ଏପ୍ରିଲରେ ଏହା ୩.୪୮ ପ୍ରତିଶତ ଥିଲା। ଏନେଇ ଶୁକ୍ରବାର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ତଥ୍ୟ ଜାରି କରିଛି। ତେବେ ବଡ଼ କଥା ହେଲା ୫ ମାସରେ ପ୍ରଥମ ଥର ଖୁଚୁରା ମୁଦ୍ରାସ୍ଫୀତି ଭାରତୀୟ ରିଜର୍ଭ ବ୍ୟାଙ୍କ୍ (RBI)ର ଧାର୍ଯ୍ୟ ସୀମା ୪% ଖୁବ୍ ନିକଟରେ ପହଞ୍ଚିଛି।

ଖାଦ୍ୟ ସାମଗ୍ରୀ ଦରରେ ବୃଦ୍ଧି ବଡ଼ କାରଣ

ସେହିଭଳି ଖାଦ୍ୟ ମୁଦ୍ରାସ୍ଫୀତିରେ ମଧ୍ୟ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ରିପୋର୍ଟ  ଅନୁଯାୟୀ, ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) ଆଧାରିତ ଖାଦ୍ୟ ମୁଦ୍ରାସ୍ଫୀତି ମେ ମାସରେ ୪.୭୮ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ଏପ୍ରିଲ ମାସରେ ଏହା ୪.୨ ପ୍ରତିଶତ ରହିଥିଲା। ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ପନିପରିବା, ଖାଇବା ତେଲ, ଶସ୍ୟ, ଡାଲି ଏବଂ କ୍ଷୀର ଜାତୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି, ଯାହା ମୁଦ୍ରାସ୍ଫୀତି ଉପରେ ଚାପ ପକାଇଛି। ତା’ ସହ ମେ ମାସ ମଧ୍ୟଭାଗରୁ ପେଟ୍ରୋଲ, ଡିଜେଲ, ସିଏନଜି ଏବଂ କମର୍ସିଆଲ ଏଲପିଜି ଦର ବଢ଼ିବା ମଧ୍ୟ ମୁଦ୍ରାସ୍ଫୀତି ବୃଦ୍ଧିର ଅନ୍ୟ ଏକ ପ୍ରମୁଖ କାରଣ।

Also Read: ଦୁଇ ଦିନ କମିବା ପରେ ଆଜି ଏକାଥରେ ରକେଟ୍ ବେଗରେ ବଢ଼ିଲା ସୁନା ଓ ରୁପା ଦର

ଆରବିଆଇ (RBI)ର ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରହିଛି ସ୍ଥିତି

ଡିବିଏସ୍ ବ୍ୟାଙ୍କର ବରିଷ୍ଠ ଅର୍ଥନୀତିଜ୍ଞ ରାଧିକା ରାଓଙ୍କ କହିବା ଅନୁଯାୟୀ, ମେ ମାସର ମୁଦ୍ରାସ୍ଫୀତି ହାର ବଜାର ଅନୁମାନଠାରୁ ସାମାନ୍ୟ କମ୍ ରହିଛି। ବର୍ତ୍ତମାନର ମୁଦ୍ରାସ୍ଫୀତି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ୨-୬ ପ୍ରତିଶତ ଲକ୍ଷ୍ୟର ମଧ୍ୟରେ ଅର୍ଥାତ ୪ ପ୍ରତିଶତ ପାଖାପାଖି ରହିଛି। ଯାହା ସନ୍ତୋଷଜନକ। ତେବେ ଆଗାମୀ ଦିନରେ ମୌସୁମୀ ବାୟୁର ଗତିପଥ ଏବଂ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଉପରେ ନଜର ରଖାଯିବ। କାରଣ ଆରବିଆଇ ଚଳିତ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ଅନୁମାନକୁ ୪.୬%ରୁ ୫.୧%କୁ ବୃଦ୍ଧି କରିଛି।