ନୂଆଦିଲ୍ଲୀ: ଦୁଇ ଦିନ କମିବା ପରେ ଆଜି (ଜୁନ୍ ୧୨) ସୁନା ଏବଂ ରୁପା ମୂଲ୍ୟ ବୃଦ୍ଧି ପାଇଛି। ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ଶୁକ୍ରବାର ଏକ କିଲୋଗ୍ରାମ ରୁପାର ମୂଲ୍ୟ ₹୯,୭୦୪ ବୃଦ୍ଧି ପାଇ ୨.୪୨ ଲକ୍ଷ ଟଙ୍କା ହୋଇଛି। ଏହା ପୂର୍ବରୁ ଗୁରୁବାର ରୁପା କେଜି ୨.୩୩ ଲକ୍ଷ ଟଙ୍କା ଥିଲା।

ସେହିପରି ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ମୂଲ୍ୟରେ ୨,୮୨୭ ଟଙ୍କା ବୃଦ୍ଧି ପାଇ ₹୧.୪୮ ଲକ୍ଷରେ ପହଞ୍ଚିଛି। ପୂର୍ବରୁ, ଜୁନ୍ ୧୧ ତାରିଖରେ ଏହାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ₹୧.୪୫ ଲକ୍ଷ ଥିଲା। ପ୍ରକୃତରେ ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ ଟିକେ ବଢ଼ିବା ପରେ ସୁନା ଓ ରୁପା ଦର ହ୍ରାସ ପାଇଥିଲା। ଏବେ ଦୁଇ ଦେଶ ମଧ୍ୟରେ ସମ୍ଭାବ୍ୟ ଚୁକ୍ତି ନେଇ ଖବର ଆସିବା ପରେ ଏହି ଦୁଇ ମୂଲ୍ୟବାନ ଧାତୁର ଦାମ ପୁଣିଥରେ ବଢ଼ିଯାଇଛି।

ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ସମ୍ଭାବନା ଆସିବା ପରେ ଅଶୋଧିତ ତୈଳ ଦର ହ୍ରାସ ପାଇବା ସହ ଡଲାର ମୂଲ୍ୟ କମିଛି। ମୁଦ୍ରାସ୍ଫୀତିର ଭୟ ବି କମିଛି। ତେଣୁ ନିବେଶକମାନେ ପୁଣିଥରେ ଡଲାରରୁ ସୁନା-ରୁପା ଆଡ଼କୁ ମୁହାଁଉଛନ୍ତି।

ଚଳିତ ବର୍ଷ ସୁନା ୧୪,୪୧୦ ଓ ରୁପା ୧୧,୮୭୫ ମହଙ୍ଗା

ଏହି ବର୍ଷ, ସୁନା ଏବଂ ରୁପାର ମୂଲ୍ୟ ନିରନ୍ତର ପରିବର୍ତ୍ତନଶୀଳ ରହିଛି। ୨୦୨୬ ମସିହାରେ ଏପର୍ଯ୍ୟନ୍ତ ସୁନା ₹୧୪,୪୧୦ ଏବଂ ରୁପା ₹୧୧,୮୭୫ ବୃଦ୍ଧି ପାଇଛି। ୩୧ ଡିସେମ୍ବର ୨୦୨୫ ରେ ୧୦ ଗ୍ରାମ ସୁନାର ମୂଲ୍ୟ ₹୧.୩୩ ଲକ୍ଷ ଥିଲା, ଯାହା ଏବେ ₹୧.୪୭ ଲକ୍ଷରେ ପହଞ୍ଚିଛି।

Also Read- ପେଟ୍ରୋଲ ଓ ଡିଜେଲ କ୍ରୟ ଉପରେ କଟକଣା: ସାଧାରଣ ଗ୍ରାହକଙ୍କ ପାଇଁ ୨୦୦ ଲିଟର, ଶିଳ୍ପ ସଂସ୍ଥାଙ୍କ ପାଇଁ ନୂଆ ନିୟମ ଲାଗୁ

ସେହିପରି ଏହି ସମୟରେ ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ୩୧ ଡିସେମ୍ବର ୨୦୨୫ରେ ପ୍ରତି କିଲୋଗ୍ରାମ ₹୨.୩୦ ଲକ୍ଷ ଥିଲା, ଏବଂ ଏବେ ଏହା ବଢ଼ି ₹୨.୪୨ ଲକ୍ଷରେ ପହଞ୍ଚିଛି। ଏହି ସମୟରେ, ଜାନୁଆରୀ ୨୯ରେ ସୁନା ₹୧.୭୬ ଲକ୍ଷ ଏବଂ ରୁପା ₹୩.୮୬ ଲକ୍ଷ ସର୍ବକାଳୀନ ସର୍ବାଧିକ ମୂଲ୍ୟରେ ପହଞ୍ଚିଛି।