ନୂଆଦିଲ୍ଲୀ ୨୭।୦୩ : ହୋଟେଲ ଏବଂ ରେସ୍ତୋରାଁଗୁଡ଼ିକ ଗ୍ରାହକଙ୍କଠାରୁ ଏଲ୍ପିଜି ଚାର୍ଜ ଆଦାୟ କରିପାରିବେ ନାହିଁ। କେନ୍ଦ୍ର ସରକାରଙ୍କ କହିବାନୁସାରେ, ରେସ୍ତୋରାଁଗୁଡ଼ିକ ନିଜ ବିଲ୍ରେ ଖାଦ୍ୟ ଦର ବ୍ୟତୀତ କେବଳ ସରକାରୀ ଟିକସ ହିଁ ଯୋଡ଼ିପାରିବେ । ଏଲ୍ପିଜି ସଂକଟ ମଧ୍ୟରେ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧୀକରଣ(ସିସିପିଏ) ପ୍ରକାଶ କରିଛି ଯେ, ହୋଟେଲ ଏବଂ ରେସ୍ତୋରାଁଗୁଡ଼ିକୁ ନିଜର ସମସ୍ତ ଖର୍ଚ୍ଚକୁ ମେନ୍ୟୁରେ ଦିଆଯାଇଥିବା ଦରରେ ହିଁ ସାମିଲ କରିବାକୁ ହେବ । ଯଦି କୌଣସି ରେସ୍ତୋରାଁ ଗ୍ୟାସ୍ର ବର୍ଦ୍ଧିତ ଦର କିମ୍ବା ଅନ୍ୟକୌଣସି ପରିଚାଳନା ଖର୍ଚ୍ଚର ବାହାନା ଦେଇ ବିଲ୍ରେ ପୃଥକ ଭାବେ ଚାର୍ଜ ଯୋଡ଼ନ୍ତି ତେବେ ଏହାକୁ ନିୟମର ଉଲ୍ଲଂଘନ ଭାବେ ଗଣନା କରାଯିବ ଏବଂ ରେସ୍ତୋରାଁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପ୍ରକାଶଯୋଗ୍ୟ, ବେଙ୍ଗାଲୁରୁରେ ଏକ କ୍ୟାଫେ ଲେମ୍ବୁ ପାଣି ବିଲ୍ରେ ୫%ର ‘ଗ୍ୟାସ ସଂକଟ ଚାର୍ଜ’ ଲଗାଇଥିଲା । ଗ୍ରାହକ ଦୁଇଟି ମିଣ୍ଟ୍ ଲେମୋନେଡ୍ ଅର୍ଡର କରିଥିଲେ, ଯାହାର ମୋଟ ମୂଲ୍ୟ ଥିଲା ୩୫୮ ଟଙ୍କା । କ୍ୟାଫେ ୧୭.୯୦ ଟଙ୍କା (୫%) ରିହାତି ଦେଇଥିଲା । ପୁଣି ଜିଏସ୍ଟି ସହ ୫% ଅର୍ଥାତ ୧୭.୦୧ ଟଙ୍କାର ‘ଗ୍ୟାସ ସଂକଟ’ ଚାର୍ଜ ଯୋଡ଼ିଥିଲା । ଫଳରେ ମୋଟ ବିଲ୍ ୩୭୪ ଟଙ୍କା ହୋଇଯାଇଥିଲା । ସିସିପିଏ ଯାଞ୍ଚରୁ ଜାଣିବାକୁ ପାଇଛି ଯେ, ହୋଟେଲ ଏବଂ ରେସ୍ତୋରାଁ ସେବା ଦେୟ ରୋକ୍କୁ ବାଇପାସ୍ କରିବା ପାଇଁ ନୂଆ ନାମରେ ଚାର୍ଜ ଲଗାଉଛନ୍ତି । ଏହାକୁ ଉପଭୋକ୍ତା ଅଧିକାରର ବିରୋଧ ଭାବେ ସମ୍ବୋଧିତ କରି ସିସିପିଏ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛି ।

ସିସିପିଏ ପ୍ରକାଶ କରିଛି ଯେ, ଯଦି ବିଲ୍ରେ ଏଲ୍ପିଜି ଚାର୍ଜ, ଇନ୍ଧନ କିମ୍ବା ଅନ୍ୟ କୌଣସି ଅତିରିକ୍ତ ଫି’ ଯୋଡ଼ାଯାଏ ତେବେ ସର୍ବପ୍ରଥମେ ହୋଟେଲ ତଥା ରେସ୍ତୋରାଁ ମ୍ୟାନେଜ୍ମେଣ୍ଟକୁ ଏହାକୁ ହଟାଇବାକୁ କହିପାରିବେ ଗ୍ରାହକ । ଯଦି ମ୍ୟାନେଜ୍ମେଣ୍ଟ ମନା କରେ ତେବେ ଗ୍ରାହକ ୪ଟି ଉପାୟରେ ଏହାର ଅଭିଯୋଗ କରିପାରିବେ । ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବର ୧୯୧୫ରେ କଲ୍ କରି ଅଭିଯୋଗ କରିପାରିବେ । ଏନ୍ସିଏଚ୍ ଆପ୍ ମାଧ୍ୟମରେ ଅଭିଯୋଗ ଦାଖଲ କରାଯାଇପାରିବ । ଅନ୍ଲାଇନ୍ ଅଭିଯୋଗ କରିବା ପାଇଁ ଇ-ଜାଗୃତି ପୋର୍ଟାଲ ବ୍ୟବହାର କରାଯାଇପାରିବ । ଜିଲ୍ଲାପାଳ କିମ୍ବା ସିସିପିଏରେ ବି ଅଭିଯୋଗ ଦାଖଲ କରାଯାଇପାରିବ ।

Also Read-LPG Crisis: ଚାରିଧାମ ଯାତ୍ରା ପାଇଁ ଦରକାର ୨୦ ଲକ୍ଷ ଗ୍ୟାସ ସିଲିଣ୍ଡର, ଆସିବ କେଉଁଠୁ ?