ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ବିଶ୍ୱ ପ୍ରସିଦ୍ଧ ଚାରିଧାମ ଯାତ୍ରା ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଦେଶ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଏହି ପବିତ୍ର ଭୂମିକୁ ଦର୍ଶନ କରିବା ପାଇଁ ଉତ୍ସାହିତ ଏବଂ ୧୦ ଲକ୍ଷରୁ ଅଧିକ ଯାତ୍ରୀ ପଞ୍ଜିକରଣ କରିସାରିଛନ୍ତି। ହେଲେ ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଆଗମନ ହେବାକୁ ଥିବା ବେଳେ ତୀର୍ଥସ୍ଥଳୀରେ ନୂଆ ସଙ୍କଟ ଦେଖାଦେଇଛି । ଏଲପିଜି ଗ୍ୟାସ ସିଲିଣ୍ଡରର ଘୋର ଅଭାବ ଚିନ୍ତା ବଢ଼ାଇ ଦେଇଛି।

ପରିସ୍ଥିତି ଏପରି ହୋଇଛି ଯେ, ହରିଦ୍ୱାର, ଋଷିକେଶ ଏବଂ ଡେରାଡୁନ ଭଳି ପ୍ରମୁଖ ସହରଗୁଡ଼ିକରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକମାନେ ଚିନ୍ତିତ। ଗ୍ୟାସ ଯୋଗାଣ ଅଭାବରୁ ହୋଟେଲ ବନ୍ଦ ହେବାକୁ ବସିଲାଣି । କିଛି ହୋଟେଲ କୋଇଲା ଏବଂ ଡିଜେଲ ଚୁଲିକୁ ଫେରିବାକୁ ବାଧ୍ୟ ହେଉଛନ୍ତି। ପର୍ଯ୍ୟଟନ ବିଭାଗ ତୀର୍ଥଯାତ୍ରାକୁ ସଫଳ କରିବାର ଦାବି କରୁଥିବା ବେଳେ, ହୋଟେଲ ମାଲିକମାନେ ଏକକାଳୀନ ଆସୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କୁ କିପରି ଖାଦ୍ୟ ଯୋଗାଇବେ ସେ ବିଷୟରେ ଚିନ୍ତିତ। ପରିସ୍ଥିତି ଏତେ ଭୟଙ୍କର ହୋଇଛି ଯେ, ଗ୍ୟାସ ସଙ୍କଟ ଯୋଗୁଁ ଅନେକ ହୋଟେଲ ଆଗୁଆ ବୁକିଂ ମଧ୍ୟ ଗ୍ରହଣ କରୁନାହାନ୍ତି।

୨୦ ଲକ୍ଷ ସିଲିଣ୍ଡର ଆବଶ୍ୟକ

ଚାରିଧାମ ଯାତ୍ରା ସମୟରେ, ୭ଟି ଜିଲ୍ଲା (ହରିଦ୍ୱାର, ଡେରାଡୁନ, ପାଉରୀ, ତେହରି, ଉତ୍ତରକାଶୀ, ଚମୋଲି ଏବଂ ରୁଦ୍ରପ୍ରୟାଗ) ରେ ହୋଟେଲ, ରେଷ୍ଟୁରାଣ୍ଟରେ ଅତ୍ୟଧିକ ଗ୍ୟାସ ବ୍ୟବହାର କରାଯାଏ । ଗତବର୍ଷ ମେ’ ଏବଂ ଜୁନରେ ୧୬ଲକ୍ଷରୁ ଅଧିକ ଘରୋଇ ଏବଂ ବାଣିଜ୍ୟିକ ସିଲିଣ୍ଡର ବ୍ୟବହାର ହୋଇଥିଲା । ଏହାକୁ ନଜରରେ ରଖି ଚାରିଧାମ ଯାତ୍ରା ପ୍ରଶାସନର ସ୍ବତନ୍ତ୍ର ଅଧିକାରୀ ପ୍ରଜାପତି ନୌଟିଆଲ ସରକାରଙ୍କୁ ଏକ ରିପୋର୍ଟ ଦେଇଛନ୍ତି । ଚାରିଧାମ ଯାତ୍ର ସମୟରେ ହୋଟେଲ ରେଷ୍ଟୁରାଣ୍ଟ ଏବଂ ରାସ୍ତାକଡ଼ ଖାଇବା ଦୋକନ ଲାଗି ୨୦ ଲକ୍ଷ ଘରୋଇ ଏବଂ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଆବଶ୍ୟକତା ପଡ଼ିବ ବୋଲି ସେ କହିଛନ୍ତି ।

ଏଏନଆଇକୁ ପ୍ରତିକ୍ରିୟା ଦେଇ ପ୍ରଜାପତି ନୌଟିଆଲ କହିଛନ୍ତି, ଚାରିଧାମ ଯାତ୍ରା ୨୦୨୬ ଆୟୋଜନ ପାଇଁ ପ୍ରସ୍ତୁତି ଜାରି ରହିଛି । ସିଲିଣ୍ଡର ଆବଶ୍ୟକତା ନେଇ ସରକାରଙ୍କୁ ରିପୋର୍ଟ ଦିଆଯାଇଛି । ଆମେ ୨୦୨୫ ମେ’ ଏବଂ ଜୁନ୍ରେ ବ୍ୟବହାର ହୋଇଥିବା ସିଲିଣ୍ଡର ସଂପର୍କରେ ତଥ୍ୟ ସଂଗ୍ରହ କରିଛି । ଏହି ସମୟ ମଧ୍ୟରେ ପ୍ରାୟ ୧୬ ଲକ୍ଷ ସିଲିଣ୍ଡର ବ୍ୟବହାର ହୋଇଥିଲା ବୋଲି ସେ କହିଛନ୍ତି ।

Also Read: ଗ୍ୟାସ୍ ସଙ୍କଟ ବେଳେ ମାତିଛନ୍ତି ଠକ, ସିଲିଣ୍ଡରରେ ପାଣି ପୂରାଇ ବିକୁଥିବା ଏଜେଣ୍ଟ ଗିରଫ

ହରିଦ୍ୱାରରେ ସ୍ଥିତି ଭଲ ନାହିଁ

ହରିଦ୍ୱାର ହେଉଛି ଚାରିଧାମ ଯାତ୍ରାର ପ୍ରବେଶ ପଥ। ଏଠାରେ ଛୋଟ ଏବଂ ବଡ଼ ପ୍ରାୟ ୧୭୦୦ ରୁ ୧୮୦୦ ହୋଟେଲ ଅଛି। ହରିଦ୍ୱାର ହୋଟେଲ ଆସୋସିଏସନର ସଭାପତି ଅଖିଳେଶ କୁମାର କହିଛନ୍ତି ଯେ, ଗ୍ୟାସ ସଙ୍କଟ ସମଗ୍ର ବ୍ୟବସାୟକୁ ପ୍ରଭାବିତ କରିଛି । ସେ କହିଛନ୍ତି, ‘ପରିସ୍ଥିତି ବହୁତ ଗମ୍ଭୀର। ହୋଟେଲ ରୋଷେଇ ଘର ବନ୍ଦ ହେବାକୁ ଯାଉଛି। ପୂର୍ବରୁ ଆମେ ଆମ କର୍ମଚାରୀଙ୍କ ପାଇଁ ପ୍ରତି ମାସରେ ୩୦୦୦ ଟଙ୍କା ଖର୍ଚ୍ଚ କରୁଥିଲୁ, କିନ୍ତୁ ଏବେ ଏହା ୬୦୦୦ ଟଙ୍କାରେ ପହଞ୍ଚିଛି । ଲୋକେ ବୁକିଂ କରିବାକୁ ଚାହୁଁଛନ୍ତି, ହେଲେ ଆମେ ସ୍ପଷ୍ଟ କରିପାରୁ ନାହୁଁ । ଆମେ ନିଜେ ଜାଣିନାହୁଁ ଯେ, ଯାତ୍ରୀମାନଙ୍କୁ ଖାଦ୍ୟ ଯୋଗାଇ ପାରିବୁ କି ନାହିଁ।’

ଋଷିକେଶରେ ଡିଜେଲ ଚୁଲା ପରିବେଶକୁ କ୍ଷତି ପହଞ୍ଚାଉଛି

ଋଷିକେଶରେ ଥିବା ୧୪୫ରୁ ଅଧିକ ହୋଟେଲ ଏହି ସମାନ ସଙ୍କଟ ସହିତ ସଂଘର୍ଷ କରୁଛନ୍ତି। ଋଷିକେଶ ହୋଟେଲ ଆସୋସିଏସନର ସଭାପତି ମଦନ ନାଗପାଲ କହିଛନ୍ତି ଯେ, ସେମାନେ ପ୍ରଶାସନକୁ ଲିଖିତ ଭାବରେ ସେମାନଙ୍କର ଚିନ୍ତା ଜଣାଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଠୋସ୍ ସମାଧାନ ମିଳିନାହିଁ। ସେ କହିଛନ୍ତି, ‘ବାଣିଜ୍ୟିକ ଗ୍ୟାସ୍ ଆଦୌ ଉପଲବ୍ଧ ନାହିଁ। ହୋଟେଲଗୁଡ଼ିକରେ ଆମେ ଘରୋଇ ସିଲିଣ୍ଡର ଲଗାଇପାରିବୁ ନାହିଁ । କାରଣ ଏହା ବେଆଇନ । ଗ୍ୟାସ୍ ବିନା ଯାତ୍ରା କିପରି ଚାଲିବ ? ଆମେ ବିକଳ୍ପ ଭାବରେ ଡିଜେଲ ଚୁଲା ଅର୍ଡର କରିଛୁ, କିନ୍ତୁ ଏହା ଅନେକ ସମସ୍ୟା ସୃଷ୍ଟି କରେ। ଡିଜେଲ ଚୁଲା ପରିବେଶକୁ ପ୍ରଚୁର କ୍ଷତି ପହଞ୍ଚାଏ, ଧୂଆଁ ନିର୍ଗତ କରେ ଏବଂ ବହୁତ ଶୀଘ୍ର ଗରମ ହୋଇଯାଏ । ଫଳରେ ରୋଷେଇ କଷ୍ଟକର ହୋଇଯାଏ। ଯଦି ପରିସ୍ଥିତିରେ ଉନ୍ନତି ନହୁଏ, ତେବେ ଯାତ୍ରା ସମୟରେ ଢାବାଗୁଡ଼ିକ ବନ୍ଦ ହୋଇଯିବ ଏବଂ ଯାତ୍ରୀମାନଙ୍କୁ ଖାଦ୍ୟ ପାଇଁ ହଇରାଣ ହେବାକୁ ପଡିବ।’

Also Read: LPG Crisis India: ୧୪ କେଜି ସିଲିଣ୍ଡରରେ ମିଳିବ ୧୦ କେଜି ଗ୍ୟାସ୍! ଏଲପିଜି ସଙ୍କଟ ରୋକିବାକୁ ତୈଳ କମ୍ପାନୀଙ୍କ ନୂଆ ରଣନୀତି

ରାଜଧାନୀରେ ବି ସ୍ଥିତି ସମାନ

ରାଜଧାନୀ ଡେରାଡୁନ ଏବଂ ମସୁରୀ ମଧ୍ୟ ପ୍ରମୁଖ ପର୍ଯ୍ୟଟନ ସ୍ଥଳ। ଡେରାଡୁନ ହୋଟେଲ ଆସୋସିଏସନର ସଭାପତି କହିଛନ୍ତି ଯେ, ଗ୍ୟାସ କମ୍ପାନୀଗୁଡ଼ିକ ବାଣିଜ୍ୟିକ ଗ୍ୟାସ ଯୋଗାଣ ବନ୍ଦ କରିଦେଇଛନ୍ତି କିମ୍ବା ଯଥେଷ୍ଟ ହ୍ରାସ କରିଛନ୍ତି। ସେ କହିଛନ୍ତି, ‘ଯାତ୍ରୀମାନେ ଡେରାଡୁନ ଏବଂ ମସୁରୀ ଦେଇ ଯାତ୍ରା କରନ୍ତି। ଯଦି ଏଠାରେ ଖାଦ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡ଼େ, ତେବେ ପର୍ବତମାଳାରେ ଆହୁରି ଆଗକୁ ପରିସ୍ଥିତି ଭୟଙ୍କର ହେବ। ଆମେ କମ୍ପାନୀଗୁଡ଼ିକୁ ଇମେଲ୍ କରିଛୁ, କିନ୍ତୁ କୌଣସି ସ୍ପଷ୍ଟ ଉତ୍ତର ପାଇନାହୁଁ।’