ନୂଆଦିଲ୍ଲୀ, ୧୧।୧୧ : ସଦ୍ୟ ଅନୁଷ୍ଠିତ ଆମେରିକୀୟ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ଶାସକ ଦଳ ରିପବ୍ଲିକାନ ପାର୍ଟି ହାରିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଛି। ନିଜ ଦଳର ନେତାମାନେ ସେମାନଙ୍କୁ ଟାର୍ଗେଟ୍ କରୁଛନ୍ତି।

କେଣ୍ଟକିରୁ ରିପବ୍ଲିକାନ ସାଂସଦ ଥମାସ ମ୍ୟାସି ସୋମବାର ନିମ୍ନ ସଦନ ହାଉସ୍ ( ଅଫ୍ ରିପ୍ରେଜେଣ୍ଟେଟିଭସରେ ହେଗସେଥଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାର ଆଗତ କରିଛନ୍ତି I ସେ ନିଜେ ଏହାକୁ ପଢ଼ି ଶୁଣାଇଛନ୍ତି। ଏଥିରେ ସେ ହେଗସେଥଙ୍କ ଉପରେ କ୍ଷମତାର ଦୁରୁପଯୋଗ ଏବଂ ଇରାନ ବିରୋଧରେ ବେଆଇନ ଯୁଦ୍ଧ ଅଭିଯୋଗ ଆଣିଛନ୍ତି। ଯୁଦ୍ଧର ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ବିଦ୍ୟାଳୟ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଉଲ୍ଲେଖ କରିଛନ୍ତି ମ୍ୟାସି। ଯେଉଁଥିରେ ଆମେରିକାର ଏୟାରଷ୍ଟ୍ରାଇକରେ ୧୨୦ ଜଣ ଶିଶୁଙ୍କ ପ୍ରାଣହାନି ଘଟିଥିଲା।

Also Read :-‘ସଞ୍ଜୟଙ୍କୁ ଖଳନାୟକ ଓ ରାଜୀବଙ୍କୁ ନାୟକ’, ସୋନିଆ ଗାନ୍ଧୀଙ୍କ ପୁସ୍ତକକୁ ନେଇ ନିଶିକାନ୍ତ ଦୁବେଙ୍କ ଟାର୍ଗେଟ୍

ଖାରଜ ହେଲା ପ୍ରସ୍ତାବ 

ତେବେ ମ୍ୟାସି ଏହି ପରିପ୍ରେକ୍ଷୀରେ ଏକ ସ୍ଵତନ୍ତ୍ର ପଦ୍ଧତି ବ୍ୟବହାର କରିଛନ୍ତି। ଯାହା ଦ୍ଵାରା ହାଉସ୍ ଦୁଇ ଦିନ ମଧ୍ୟରେ ତାଙ୍କ ପ୍ରସ୍ତାବ ଉପରେ ବିଚାର କରିବାକୁ ବାଧ୍ଯ ହୋଇଛି । ଏହାର ଅର୍ଥ ବର୍ତ୍ତମାନ ରିପବ୍ଲିକାନ ନିୟନ୍ତ୍ରଣରେ ଥିବା ହାଉସରେ ବୁଧବାର ପ୍ରସ୍ତାବ ଉପରେ ଚର୍ଚ୍ଚା ହୋଇଥିଲା। ଗୃହରେ ଡେମୋକ୍ରାଟିକ ନେତା ହକିମ ଜେଫ୍ରିଜ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ହେଲେ ପ୍ରସ୍ତାବ କାଟ୍ ଖାଇଛି । ପ୍ରସ୍ତାବ ବିପକ୍ଷରେ ଅଧିକ ଭୋଟ୍ ପଡିଛି ।

ନୂଆ ନେତା ପାଇଁ ପ୍ରକ୍ରିୟା

ସେତିକି ନୁହେଁ, ଉଭୟ ଗୃହରେ ପରବର୍ତ୍ତୀ ଜିଓପି (ରିପବ୍ଲିକାନ ପାର୍ଟି) ନେତା ନିର୍ବାଚନ ଲାଗି ମଧ୍ୟ ରିପବ୍ଲିକାନ ସାଂସଦ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଜିଓପି ସଂଖ୍ୟାଲଘୁ ନେତା ହେବା ଲାଗି ଷ୍ଟିଭ ସ୍କଲାଇଜ ଓ ଜିମ୍ ଜୋର୍ଡାନ ପ୍ରତିଯୋଗିତା କରୁଛନ୍ତି। ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟିକ ପାର୍ଟିର ବିପୁଳ ବିଜୟ ସତ୍ତ୍ୱେ ଏବେ ବି ୧୩ଟି ହାଉସ ଅଫ୍ ରିପ୍ରେଜେଣ୍ଟେଟିଭସ ଆସନରେ ଭୋଟ ଗଣା ଚାଲିଛି। ଅଦ୍ୟାବଧି ଡେମୋକ୍ରାଟ ୨୫୬ ଓ ରିପବ୍ଲିକାନ ୧୬୬ ଆସନରେ ଜିତିଛନ୍ତି।

ନିଜ ଦଳ ତରଫରୁ ମହାଭିଯୋଗ ପ୍ରସ୍ତାବ ଅଣାଯିବା ପରେ ପ୍ରତିରକ୍ଷା ମନ୍ତ୍ରୀ ହେଗସେଥ ଏହାକୁ ସମାଲୋଚନା କରିଛନ୍ତି। ଏହାକୁ ସେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଦର୍ଶାଇଛନ୍ତି। ଏଥିସହ ଇରାନ ଉପରେ ଆକ୍ରମଣ ଲାଗି ରାଷ୍ଟ୍ରପତି ଟ୍ରମ୍ପଙ୍କ ନିଷ୍ପଭିକୁ ସେ ଉଚିତ ଦର୍ଶାଇଛନ୍ତି। ଟ୍ରମ୍ପ୍ ବି ଖୋଲାଖୋଲି ଭାବେ ହେଗସେଥଙ୍କୁ ଦୃଢ଼ ସମର୍ଥନ ଜଣାଇଛନ୍ତି।

ଟ୍ରମ୍ପ୍ କହିଛନ୍ତି, ହେଗସେଥ ଦୁଇଟି ଯୁଦ୍ଧ ଜିତିଛନ୍ତି। ତାଙ୍କୁ ପଦରୁ ହଟାଇବା ପାଇଁ କାହିଁକି ଦାବି ହେଉଛି ବୁଝାପଡୁ ନାହିଁ। ଇରାନ ଯୁଦ୍ଧ ଜରୁରି ଥିଲା। ପରମାଣୁ କାର୍ଯ୍ୟକ୍ରମ ରୋକିବା ଲାଗି ଏହି ଦେଶ ଉପରେ ଆକ୍ରମଣ ହୋଇଥିଲା । ଏଥିସହିତ ହେଗସେଥଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଦାବିକୁ ଖାରଜ କରି ଏହାକୁ ସେ ଭୁଲ ଦର୍ଶାଇଛନ୍ତି। ମହାଭିଯୋଗ ପ୍ରସ୍ତାବ ଆଣିଥିବା ରିପବ୍ଲିକାନ ସାଂସଦ ମ୍ୟାସିଙ୍କୁ ସେ ‘ଲୁଜର’ ବିବେଚନା କରିଛନ୍ତି।