କାନବେରା,୨୯ /୦୩: ମାଡି ଆସିଲା ବାତ୍ୟା । ସମୁଦ୍ରରୁ ଗର୍ଜନ କରି ସ୍ଥଳଭାଗ ଆଡେ ମୁହାଁଉଲା । ଯାହାକୁ ନେଇ ସବୁଠି ଭୟର ମାହୋଲ । ଆକାଶ ମଧ୍ୟ ପାଲଟିଗଲା ଲାଲ୍ । ବିନାଶ ପାଖେଇ ଆସୁଥିବା କହି ଘରୁ ବାହାରିଲେନି ଲୋକେ ।

ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆରେ ମାର୍ଚ୍ଚ ୨୮ ତାରିଖରେ ଦେଖାଦେଇଛି ଏକ ଭୟଙ୍କର ଦୃଶ୍ୟ । ଯାହା ଲୋକଙ୍କୁ ଚକିତ କରିଦେଇଛି । ଏଠାରେ ହଠାତ ଦିନବେଳେ ଆକାଶର ରଙ୍ଗ ବଦଳିଯାଇଛି । ନୀଳ ଆକାଶ ପାଲଟିଛି ରକ୍ତ ପରି ଲାଲ୍ । ସାର୍କ୍ ଓ୍ୱେ ଡେନହମ୍ ସହରରେ ଏହି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଖାଲି ଆକାଶ ନୁହେଁ ଏହାର ପ୍ରଭାବରେ ଘର, ସମୁଦ୍ର, ରାସ୍ତ ସବୁ ଲାଲ୍ ଦେଖାଦେଇଛି ।

ବାତ୍ୟା ହେଉଛି ବଡ କାରଣ

କୁହାଯାଉଛି ଯେ, ଆକାଶ ଲାଲ୍ ହେବା ପଛର କାରଣ ହେଉଛି ବାତ୍ୟା ନରେଲ୍ । ଏବିସି ନ୍ୟୁଜ୍ ଅନୁସାରେ ବାତ୍ୟା ପାଇଁ ପବନର ବେଗ ବଢିଛି । ଫଳରେ ବିଭିନ୍ନ ମରୁଭୂମିରୁ ଲୌହଯୁକ୍ତ ଲାଲ୍ ମାଟି ଉଡି ଆସିଛି । ଏହାର ଧୂଳି ବିଭିନ୍ନ ସହରରେ ନୂଆ ଆସ୍ତରଣ ସୃଷ୍ଟି କରିଛି । ସୂର୍ଯ୍ୟ କିରଣ ଏହି ଧୂଳିକଣାରେ ପଡିବା ପରେ ବିଚ୍ଛୁରିତ ହୋଇ ସବୁ ଆଡେ ଲାଲ୍ ରଙ୍ଗରେ ପରିବର୍ତ୍ତିତ ହୋଇଛି ।

ବାତ୍ୟାର ଅଙ୍କାବଙ୍କା ଗତିପଥ

ବାତ୍ୟା ନରେଲର ଗତିପଥ ବିଚିତ୍ର ରହିଛି । ଏହା ଇଂରାଜୀ ଅକ୍ଷର ‘U’ ଭଳି ପଥ ବଦଳାଉଛି । ମାର୍ଚ୍ଚ୨୭ତାରିଖରେ ଏହା ଦକ୍ଷିଣ ଅଷ୍ଟ୍ରେଲିଆର ଉତ୍ତର ପଶ୍ଚିମ ଉପକୂଳରେ ପହଁଚିଥିଲା । ଯେଉଁ ସମୟରେ ପବନର ବେଗ ଘଣ୍ଟା ପ୍ରତି ୨୫୦ କିଲୋମିଟର ରହିଥିଲା । ଫଳରେ ଦୃଶ୍ୟତା ଶୂନ ହୋଇଯାଇଥିଲା । ଲୋକେ ଘରୁ ବାହାରି ପାରିନଥିଲେ ।

ଭୟରେ ସ୍ଥାନୀୟ ଲୋକେ

ଆକାଶର ଏପରି ଭୟଙ୍କର ରୂପ ଦେଖି ଲୋକେ ଭୟଭୀତ ହୋଇଯାଇଛନ୍ତି । ଏହା ଭୟଙ୍କର ବୋଲି ଅନେକ ଅଷ୍ଟ୍ରେଲୀୟ ପ୍ରକାଶ କରିଛନ୍ତି ।

 

କ୍ଷୟକ୍ଷତି ଅଧିକ

ବାତ୍ୟାର ପ୍ରଭାବ ସବୁଠୁ ଅଧିକ ଏକ୍ସମାଉଥ୍ ସହରରେ ଦେଖିବାକୁ ମିଳିଛି । ଏଠାକାର ବିମାନବନ୍ଦର ଭାଙ୍ଗିରୁଜି ଯାଇଛି । ବିଜୁଳି ଚାଲିଯାଇଛି । ସମୁଦ୍ର କୂଳରେ ଥିବା ଅନେକ ଡଙ୍ଗା ବୁଡି ଯାଇଛି । ଆହୁରି କିଛି ଗ୍ୟାସ୍ ପ୍ଲାଣ୍ଟରେ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ।

Also Read :-ଯୋଗିଯୋଗୀଆଣୀ ପାହାଡ଼ରେ ବୁଲୁଛି ମହାବଳ ବାଘ, ଭୟରେ ସ୍ଥାନୀୟ ଲୋକେ !

ତିନୋଟି ଉପକୂଳରେ ଲ୍ୟାଣ୍ଡଫଲ୍

ପାଣିପାଗବିତଙ୍କ କହିବାନୁସାରେ, ଶୁକ୍ରବାର ସନ୍ଧ୍ୟାରେ ବାତ୍ୟା ନରେଲ୍ ପଶ୍ଚିମ ଅଷ୍ଟ୍ରେଲିଆ ଅତିକ୍ରମ କରିଥିଲା । ୨୦ ବର୍ଷ ପରେ ପ୍ରଥମ ଥର କୌଣସି ବାତ୍ୟା ଏହି ଅଞ୍ଚଳରେ ମାଡ ହୋଇଥିଲା । ଏହାପୂର୍ବରୁ ଏହା ମହାଦେଶର ଉତ୍ତର ପ୍ରାନ୍ତର ଥିବା ନର୍ଥ କୁଇନ୍ସଲ୍ୟାଣ୍ଡଡରେ ମାଡ଼ ହୋଇଥିଲା । ମୋଟ୍ ଭାବେ ବାତ୍ୟା ପ୍ରାୟ ୫୫୦୦ କିଲୋମିଟର ବୁଲି ସାରିଲାଣି ।