ଭୁବନେଶ୍ବର ୧୩।୧୧: ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଥିବା ବୃଦ୍ଧା ହତ୍ୟା ଓ ଲୁଟ୍ ମାମଲାରେ ପୋଲିସକୁ ବଡ଼ ସଫଳତା । ଅଭିଯୁକ୍ତ କେୟାରଟେକରକୁ ଗିରଫ କରିବା ପରେ ଆଉ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ । ଲୁଟ୍ ସାମଗ୍ରୀ କିଣିଥିବା ଜଣେ ମହିଳାଙ୍କୁ ବ୍ରହ୍ମଗିରିରୁ ପୋଲିସ ଗିରଫ କରିଛି ।

ଗତ ନଭେମ୍ବର ମାସ ୪ ତାରିଖରେ ଅଭିଯୋଗକାରୀ ଲକ୍ଷ୍ମୀସାଗର ଥାନାରେ ଏକ ଲିଖିତ ଏତଲା ଦେଇଥିଲେ । ଅଭିଯୋଗକାରୀଙ୍କ ଶାଶୂ ତଥା ମୃତ ବୃଦ୍ଧା କୁଞ୍ଜଲତା ନନ୍ଦ ନିଜ ଘରେ ଏକା ରହୁଥିଲେ । ତାଙ୍କର ଯତ୍ନ ନେବା ପାଇଁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ବଳଭଦ୍ର ମହାରାଣାଙ୍କୁ କେୟାରଟେକର ଭାବେ ନିୟୋଜିତ କରାଯାଇଥିଲା । ୪ ତାରିଖ ସକାଳେ ଘରର କବାଟ ଭିତରୁ ବନ୍ଦ ରହିଥିବା ଦେଖି ଭଡ଼ାଟିଆ ମାନେ ସନ୍ଦେହ କରି ବୃଦ୍ଧାଙ୍କ ଝିଅଙ୍କୁ ଖବର ଦେଇଥିଲେ । ସୂଚନା ପାଇ ସକାଳ ପ୍ରାୟ ୮ଟା ସମୟରେ ପରିବାର ଲୋକେ ପହଞ୍ଚି ପୋଲିସ କଣ୍ଟ୍ରୋଲ୍ ରୁମ୍ (PCR)କୁ ଜଣାଇଥିଲେ । ପୋଲିସ ଉପସ୍ଥିତିରେ ଗ୍ରୀଲ୍ କବାଟ ଭଙ୍ଗାଯାଇ ଭିତରକୁ ଯିବାପରେ କୁଞ୍ଜଲତା ନନ୍ଦଙ୍କୁ ଗୁରୁତର ଆହତ ଅବସ୍ଥାରେ ତଳେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

ଏନେଇ ଲକ୍ଷ୍ମୀସାଗର ଥାନା ପୋଲିସ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ କେୟାର ଟେକର ମୁଖ୍ୟ ଅଭିଯୁକ୍ତ ଅଭିଯୁକ୍ତ ବୋଲି ପୋଲିସ ଜାଣିବାକୁ ପାଇଥିଲା । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର କେୟାର ଟେକର ବଳଭଦ୍ର ମହାରାଣା ଓରଫ ବଳିଆଙ୍କୁ ୭ ଦିନ ପରେ ପୋଲିସ ଭଦୋଦରାରୁ ଗିରଫ କରିଥିଲା । ତାକୁ ଗିରଫ କରାଯାଇ ପୋଲିସ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ପଚରାଉଚରା ଜାରି ରଖିଛି ।

​​​​​​​

ତେବେ ତଦନ୍ତରୁ ଜଣାପଡିଥିଲା ଯେ, ଲୁଟ୍ ହୋଇଥିବା ସୁନା, ରୁପା ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଜଣେ ମହିଳା କିଣିଥିଲେ । ସପୃକ୍ତ ମହିଳାଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଛି । ଏ ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ପୋଲିସ ଦ୍ୱାରା ଜବତ ହୋଇଥିବା ସାମଗ୍ରୀ:

୧. ଦୁଇ ଯୋଡ଼ା ସୁନା ଚୁଡ଼ି

୨. ଲକେଟ୍ ସହିତ ଗୋଟିଏ ସୁନା ଚେନ୍

୩. ଦୁଇଟି ସୁନା ମୁଦି

୪. ଗୋଟିଏ ଯୋଡ଼ା ସୁନା କାନଫୁଲ

୫. ଚାରୋଟି ସୁନା ପ୍ଲେଟେଡ୍ ପ୍ଲେଇଙ୍ଗ୍ କାର୍ଡ (ତାସ୍)

୬. ପ୍ରାୟ ୧ କେଜି ଓଜନର ୧୫ଟି ରୁପା ଅଳଙ୍କାର

୭. ଗୋଟିଏ ସ୍କୁଟର