ଡେରାଡୁନ୍: ବହୁଚର୍ଚ୍ଚିତ ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାରେ ଏକ ନୂଆ ମୋଡ଼ ଆସିଛି। ଟେଲିଭିଜନ୍ ଅଭିନେତ୍ରୀ ଉର୍ମିଳା ସନାୱରଙ୍କ ନାର୍କୋ ଆନାଲିସିସ୍ ଓ ପଲିଗ୍ରାଫ୍ ଟେଷ୍ଟ କରିବାକୁ ଶୁକ୍ରବାର ଦେହରାଡୁନ୍ର ସିବିଆଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରୀକ୍ଷା ଗୁଜରାଟର ଗାନ୍ଧୀନଗରରେ କରାଯିବ। କିନ୍ତୁ ଏଥିପାଇଁ ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ତାରିଖ ସ୍ଥିର ହୋଇନାହିଁ।

ଉର୍ମିଳା ସନାୱରଙ୍କ ଓକିଲ ଶିବାନୀ ତୋମର ପିଟିଆଇକୁ କହିଛନ୍ତି ଯେ, କୋର୍ଟରେ ଶୁଣାଣି ସମୟରେ ନାର୍କୋ ଓ ପଲିଗ୍ରାଫ୍ ଟେଷ୍ଟ ପାଇଁ ସେ ସମ୍ମତି ଜଣାଇଛନ୍ତି। ଏଥିସହ ତାଙ୍କ ବୟାନକୁ ମଧ୍ୟ ରେକର୍ଡ କରାଯାଇଛି। ଓକିଲଙ୍କ କହିବା ଅନୁଯାୟୀ, ଏହି ଦୁଇଟି ପରୀକ୍ଷା ଗାନ୍ଧୀନଗରରେ କରାଯିବାକୁ ସ୍ଥିର ହୋଇଛି। ତେବେ ପରୀକ୍ଷାର ତାରିଖ ଚୂଡ଼ାନ୍ତ ହୋଇନାହିଁ। ନଭେମ୍ବର ତୃତୀୟ ସପ୍ତାହ ସୁଦ୍ଧା ଉର୍ମିଳାଙ୍କ ଡାକ୍ତରୀ ପରୀକ୍ଷା କରାଯିବାର ସମ୍ଭାବନା ରହିଛି। ଏହା ପରେ ନାର୍କୋ ଓ ପଲିଗ୍ରାଫ୍ ଟେଷ୍ଟର ତାରିଖ ଧାର୍ଯ୍ୟ କରାଯିବ।

ଗତ ଅକ୍ଟୋବର ୨୬ ତାରିଖରେ ଦେହରାଡୁନ୍ କୋର୍ଟରେ ହାଜର ହେବା ପୂର୍ବରୁ ଉର୍ମିଳା ସନାୱରଙ୍କ ବିରୋଧରେ ଆଉ ଏକ ଏଫ୍ଆଇଆର୍ ରୁଜୁ ହୋଇଥିଲା। ଏହା ପରେ ତାଙ୍କୁ ସାହାରନପୁରସ୍ଥିତ ବାସଭବନରୁ ଗିରଫ କରାଯାଇଥିଲା।ତେବେ ଗତ ସପ୍ତାହରେ ହରିଦ୍ୱାରର ଏକ କୋର୍ଟ ମାନହାନି ଓ ଜବରଦସ୍ତି ଟଙ୍କା ଆଦାୟ ମାମଲାରେ ତାଙ୍କୁ ଜାମିନ୍ ପ୍ରଦାନ କରିଥିଲେ।

କ’ଣ ଥିଲା ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା?

ଉତ୍ତରାଖଣ୍ଡର ଋଷିକେଶ ନିକଟସ୍ଥ ବନନ୍ତରା ରିସର୍ଟରେ ରିସେପ୍ସନିଷ୍ଟ ଭାବେ କାମ କରୁଥିଲେ ୧୯ ବର୍ଷୀୟା ଅଙ୍କିତା ଭଣ୍ଡାରୀ। ୨୦୨୨ ସେପ୍ଟେମ୍ବର ୧୮ ତାରିଖରେ ତାଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ରିସର୍ଟ ମାଲିକ ପୁଲକିତ ଆର୍ଯ୍ୟଙ୍କ ସମେତ ତାଙ୍କର ଦୁଇ କର୍ମଚାରୀ ସୌରଭ ଭାସ୍କର ଓ ଅଙ୍କିତ ଗୁପ୍ତାଙ୍କ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଥିଲା। ଏହି ତିନିଜଣଙ୍କୁ ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଏହି ହତ୍ୟା ମାମଲା କିଛି ସମୟ ପାଇଁ ଚର୍ଚ୍ଚାରୁ ଦୂରେଇ ଯାଇଥିଲା। କିନ୍ତୁ ଗତବର୍ଷ ହରିଦ୍ୱାରର ଜ୍ୱାଲାପୁରର ପୂର୍ବତନ ବିଧାୟକ ସୁରେଶ ରାଠୋର ଏବଂ ନିଜକୁ ତାଙ୍କ ପତ୍ନୀ ବୋଲି ଦାବି କରୁଥିବା ଉର୍ମିଳା ସନାୱରଙ୍କ ମଧ୍ୟରେ ହୋଇଥିବା କଥିତ ଫୋନ୍ ବାର୍ତ୍ତାଳାପର ଏକ ଅଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏହି ଅଡିଓରେ ଅଙ୍କିତା ହତ୍ୟା ମାମଲାରେ ଜଣେ କଥିତ 'ଭିଆଇପି'ଙ୍କ ସମ୍ପୃକ୍ତି ଏବଂ ତାଙ୍କ ନାମକୁ ନେଇ ଆଲୋଚନା ହୋଇଥିବା ଦାବି କରାଯାଇଥିଲା। ଏହା ପରେ ମାମଲାଟି ପୁଣିଥରେ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲା।

ALSO READ- କୁଞ୍ଜଲତା ହତ୍ୟା ଓ ଲୁଟ୍ ମାମଲାରେ ଖୋର୍ଦ୍ଧାରୁ ପୁରୀ ଲିଙ୍କ୍ : ଲୁଟ୍ ସାମଗ୍ରୀ କିଣିଥିବା ମହିଳା ବ୍ରହ୍ମଗିରିରୁ ଗିରଫ

ଅଙ୍କିତାଙ୍କ ପରିବାର, କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ପକ୍ଷରୁ ମାମଲାର ନିରପେକ୍ଷ ତଦନ୍ତ ଦାବି ହୋଇଥିଲା। ଏହା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଚଳିତ ବର୍ଷ ଜାନୁଆରୀରେ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିସ୍ କରିଥିଲେ।

ବର୍ତ୍ତମାନ ସିବିଆଇ ଅଙ୍କିତା ହତ୍ୟା ମାମଲାରେ କଥିତ 'ଭିଆଇପି'ଙ୍କ ଭୂମିକାକୁ ନେଇ ତଦନ୍ତ ଜାରି ରଖିଛି। ଉର୍ମିଳା ସନାୱର ଓ ସୁରେଶ ରାଠୋରଙ୍କ ନାର୍କୋ ଏବଂ ପଲିଗ୍ରାଫ୍ ଟେଷ୍ଟ ଏହି ତଦନ୍ତରେ କେତେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।