ଭୁବନେଶ୍ୱର ୧୩।୧୧: ଭୁବନେଶ୍ୱର ଲକ୍ଷ୍ମୀସାଗରର ବୃଦ୍ଧା କୁଞ୍ଜଲତା ନନ୍ଦ ହତ୍ୟା ମାମଲାରେ ବଡ଼ ଖୁଲାସା । ପୋଲିସ ଆଗରେ ସତ ଉଗାରିଛି ଅଭିଯୁକ୍ତ କେୟାର ଟେକର ବଳରାମ ମହାରଣା । ଲୁଟ୍ ଟଙ୍କା, ସୁନା ଅଳଙ୍କାର ଓ ସ୍କୁଟି ଜବତ କରିଛି ପୋଲିସ । ବ୍ରହ୍ମଗିରିରୁ ସମସ୍ତ ଲୁଟ୍ ସାମଗ୍ରୀକୁ ଜବତ କରିଛି ପୋଲିସ । ବ୍ରହ୍ମଗିରିରେ ବଳରାମ ଜଣେ ବନ୍ଧୁଙ୍କ ଘରେ ଏହି ଲୁଟ୍ ସାମଗ୍ରୀକୁ ଲୁଚାଇ ରଖିଥିଲା ।

ତେବେ ଜବତ ବ୍ୟାଗ୍ରେ ରହିଛି ପ୍ରାୟ ଅଧକିଲୋ ଓଜନର ସୁନା ଗହଣା । ଏହା ମଧ୍ୟରେ ରହିଛି ୫୨ଟି ସୁନା କୋଟେଡ୍ ତାସ୍ । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ l ଏହା ସହିତ ରୂପା ବାସନ ମଧ୍ଯ ଜବତ କରିଛି କମିସନରେଟ୍ ପୋଲିସ । କୁଞ୍ଜଲତାଙ୍କୁ ହତ୍ୟା କରିବା ପରେ ବଳରାମ ବାହାରକୁ କାମ କରିବାକୁ ଯାଉଛି କହି ଏହି ସୁନା ଗହଣା ଜଣେ ବନ୍ଧୁଙ୍କ ଘରେ ରଖିଥିଲା । ପୋଲିସ ବଳରାମର ବନ୍ଧୁଙ୍କୁ ଅଟକ ରଖି ପଚରାଉଚରା କରୁଛି ।

AlsoRead:- ଜଳ ସଂରକ୍ଷଣ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ, ଉପକୃତ ହେବେ ୭୪ ଗାଁର ୭୨ ହଜାର ଲୋକ

ଅନ୍ୟପଟେ ବଳରାମକୁ ରିମାଣ୍ଡରେ ଆଣି ଜେରା କରୁଛି କମିଶନରେଟ୍ ପୋଲିସ । ଲୁଟ୍ ଉଦ୍ଦେଶ୍ୟରେ ୭୬ ବର୍ଷୀୟ କୁଞ୍ଜଲତା ନନ୍ଦଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ କେୟାର ଟେକର । ଗତ ୩ ତାରିଖରେ କୁଞ୍ଜଲତାଙ୍କୁ ହତ୍ୟା କରି ଟଙ୍କା ଓ ସୁନା ଅଳଙ୍କାର ଲୁଟିଥିଲା ବଳଭଦ୍ର । ଘଟଣାର ୯ ଦିନ ପରେ ଭଦୋଦରାରୁ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ଶୁକ୍ରବାର ବଳରାମକୁ କୋର୍ଟ ଚାଲାଣ କରିବ ପୋଲିସ ।