ପୁରୀ : ପୁରୀ ରଥଯାତ୍ରାରେ ଏବର୍ଷ ପୁଣି ଦେଖିବାକୁ ମିଳିଛି ଭିଡ଼ ପରିଚାଳନାକୁ ନେଇ ବ୍ୟାପକ ଅବ୍ୟବସ୍ଥା । ଶ୍ରୀଗୁଣ୍ଡିଚା ଯାତ୍ରା ବେଳେ ଇନର କର୍ଡନ ଅଞ୍ଚଳରେ ହଠାତ୍ ଭିଡ଼ ବଢ଼ିଯିବାରୁ ଦଳାଚକଟା ସଦୃଶ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ୨ ଭକ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଭକ୍ତ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ନିୟନ୍ତ୍ରଣକୁ ନେଇ ପୁଣି ଉଠିଛି ପ୍ରଶ୍ନ ।

ସୂଚନା ଅନୁସାରେ, ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ସିଂହଦ୍ୱାର ସମ୍ମୁଖରେ ଥିବା ବ୍ୟାରିକେଡ୍ ଦେଇ ବହୁ ସଂଖ୍ୟକ ଲୋକ ରଥ ନିକଟକୁ ପହଞ୍ଚିଥିଲେ। କେତେକ ଅଭିଯୋଗ ଅନୁଯାୟୀ, ଇନର କର୍ଡନରେ ପ୍ରବେଶ ପାଇଁ ପାସ୍ ବ୍ୟବସ୍ଥା ଥିବା ସତ୍ତ୍ୱେ କିଛି ବ୍ୟକ୍ତି ପାସ୍ ବିନା ମଧ୍ୟ ଭିତରକୁ ପ୍ରବେଶ କରିଥିଲେ। ଶ୍ରୀଗୁଣ୍ଡିଚା ଯାତ୍ରା ବେଳେ ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ୍ ଦେଇ ରଥ ନିକଟକୁ ବହୁ ସଂଖ୍ୟକ ବାନା କର୍ଡନଧାରୀ ବ୍ୟକ୍ତିଙ୍କୁ ପୁଲିସ ଛାଡ଼ିଥିଲା । କଡର୍ନ ଧରିଥିବା ବ୍ୟକ୍ତିଙ୍କୁ ଏହି ଗେଟ୍ରେ ପୁଲିସ ଅଧିକାରୀମାନେ ଅଟକାଇଥିଲେ। ତାଙ୍କୁ ଛାଡ଼ିବେନି ବୋଲି କହିଥିଲେ । ହେଲେ ନିଜ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଆସିଥିବା ବିନା କଡର୍ନଧାରୀଙ୍କୁ ଏଠାରେ ମୁତୟନ ଅଧିକାରୀମାନେ ଛାଡ଼ିଥିଲେ। ଇନର କର୍ଡନ ଭିତରେ ବିନା ପାସଧାରୀ ନପୂରାଇବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ଵେ ଏହାକୁ ଖାତିର କରିନାହାନ୍ତି କେତେକ ପୁଲିସ ଅଧିକାରୀ। ଫଳରେ ରଥ ନିକଟରେ ବହୁ ବିନା କର୍ଡନ ପାସ୍ଧାରୀ ପହଞ୍ଚି ପାରିଥିଲେ । ଯାହା ଇନର କର୍ଡନରେ ପ୍ରବଳ ଭିଡ଼ ସୃଷ୍ଟି ହୋଇଥିଲା।

ସେହିପରି ରଥ ପଛପାର୍ଶ୍ବ ପ୍ଲାଷ୍ଟିକ୍ ବ୍ୟାରିକେଡ୍ ପେଲି ବହୁ ସଂଖ୍ୟକ ଶ୍ରଦ୍ଧାଳୁ ରଥ ଇନର କର୍ଡନ ଭିତକୁ ପଶି ଆସିଥିଲେ। ଶ୍ରୀଗୁଣ୍ଡିଚା ଯାତ୍ରାର ମଧ୍ୟାହ୍ନ ସମୟରେ ଏହି ଅଘଟଣ ଘଟିଥିଲା। ପ୍ରାଥମିକ ସୂଚନା ଅନୁସାରେ, ଏହି ଘଟଣାରେ ଦୁଇ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଥିଲେ । ଘଟଣା ପରେ ପ୍ରଶାସନ, ପୁଲିସ, ଅଗ୍ନିଶମ ବାହିନୀ ଏବଂ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅସୁସ୍ଥ ଭକ୍ତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ପଠାଯାଇଥିଲା ଏବଂ ଭିଡ଼କୁ ନିୟନ୍ତ୍ରଣ କରି ପରିସ୍ଥିତିକୁ ସ୍ୱାଭାବିକ କରାଯାଇଥିଲା। ଭାଗ୍ୟକୁ ବଡ଼ ଦଳାଚକଟା ହୋଇନଥିଲା। ଭିଡ଼କୁ ରୋକିବାରେ ପ୍ରଶାସନ ପଦକ୍ଷେପରେ ବ୍ୟାପକ ଅବ୍ୟବସ୍ଥା ରଥଯାତ୍ରା ଭିଡ଼ ନିୟନ୍ତ୍ରଣରେ ବିଶୃଙ୍ଖଳା ସୃଷ୍ଟି କରିଥିଲା । ଯାହା ଫଳରେ ଗତକାଲି ଏତେ ବଡ଼ ଅଘଟଣ ଘଟିଥିଲା | ପ୍ରଶାସନ ଓ ସେବାୟତଙ୍କ ତତ୍ପରତା ଯୋଗୁଁ ପରିସ୍ଥିତିକୁ ଶୀଘ୍ର ନିୟନ୍ତ୍ରଣକୁ ଅଣାଯାଇଥିଲା। ଘଟଣାର କାରଣ ଓ କୌଣସି ତ୍ରୁଟି ରହିଥିଲା କି ନାହିଁ, ସେନେଇ ତଦନ୍ତ ଓ ସରକାରୀ ସମୀକ୍ଷା ପ୍ରତି ସମସ୍ତଙ୍କ ନଜର ରହିଛି।