ନୂଆଦିଲ୍ଲୀ: ରାସ୍ତାରେ କୌଣସି ଦାମିକିଆ ଜିନିଷ ଦେଖିଲେ ଖଳ ପ୍ରକୃତିର ଲୋକଟି ଏହାକୁ ଲୁଚାଇ ନେଇଯାଏ। ହେଲେ ସମସ୍ତେ ସେମିତି ନୁହଁନ୍ତି। ଦୁନିଆରେ ଏମିତି କିଛି ସଚ୍ଚୋଟ ଲୋକ ଅଛନ୍ତି, ଯେଉଁମାନଙ୍କୁ ଲୋଭ ଛୁଇଁପାରେ ନାହିଁ। ସେଥିପାଇଁ ସେମାନେ ଦୁନିଆ ଆଗରେ ହିରୋ ପାଲଟି ଯାଆନ୍ତି। ରାଜସ୍ଥାନର ରାଜେଶ କୁମାର ବି ସେମିତି ଜଣେ ହିରୋ। ଯାହାଙ୍କ ସଚ୍ଚୋଟତାର କାହାଣୀ ଆଜି ଖବରର ସିରୋନାମାରେ।

ରାଜସ୍ଥାନର ଆଜମେରରେ ସକାଳୁ ସକାଳୁ ମର୍ଣ୍ଣିଂୱାକ୍ କରୁଥିଲେ ରାଜେଶ କୁମାର। ସୋଫିଆ କଲେଜ୍ ପାଖରେ ଏକ ଚେନ ଲଗା ଭଲ ବ୍ୟାଗ୍ ପଡ଼ିଥିବାର ଦେଖିଲେ। ଏହାପରେ ସେ ବ୍ୟାଗ୍କୁ ଧରି ସିଧା ଚାଲିଲେ ପୁଲିସରେ ଯିମା ଦେବାକୁ। ଥାନାରେ ବ୍ୟାଗ୍ ଖୋଲାଯିବାର ସେଥିରୁ ବାହାରିଥିଲା ୯.୪୮ ଲକ୍ଷ ଟଙ୍କାର ବୈଦେଶିକ ମୁଦ୍ରା, ପାସପୋର୍ଟ ଓ କିଛି ଦରକାରୀ କାଗଜପତ୍ର।

ଆଜମେରର ଭୋପୋନ କା ବଡ଼ାର ବାସିନ୍ଦା ରାଜେଶ କୁମାର ବ୍ୟାଗ୍‌ଟିକୁ ରାସ୍ତାରୁ ପାଇବା ପରେ ସିଭିଲ ଲାଇନ ପୁଲିସ ଷ୍ଟେସନରେ ଜିମା ଦେଇଥିଲେ। ବ୍ୟାଗ ଖୋଲି ପୁଲିସ ସବୁ କାଗଜପତ୍ରର ଚେକ୍ କରିବା ପରେ ବେଗ୍ ମାଲିକଙ୍କୁ ଯୋଗାଯୋଗ କରାଯାଇଥିଲା।
​​​​​​​

Also Read- ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାରେ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଲେ ରାହୁଲ ଗାନ୍ଧି, ଦୁଷ୍ୟନ୍ତ ଗୌତମଙ୍କ ନିଯୁକ୍ତି ରଦ୍ଦ ଲାଗି ଦାବି କଲେ

ପରେ ଜଣାପଡ଼ିଥିଲା ଯେ ଏହି ବ୍ୟାଗଟି ହେଉଛି ସଦ୍ଦାମ ଆଲମ ନାମକ ଜଣେ ବ୍ୟକ୍ତିଙ୍କର। ସେ ପଶ୍ଚିମବଙ୍ଗରେ ଥିବା ଷ୍ଟେଟ୍ ବ୍ୟାଙ୍କର ମ୍ୟାନେଜର। ସେ ଆଜମେର ଦର୍ଘାରେ ପ୍ରାର୍ଥନା କରିବା ପାଇଁ ଆଜମେର ଆସିଥିଲେ। ଦର୍ଘାରେ ପ୍ରାର୍ଥନା ସାରି ଟେମ୍ପୋରେ ଫେରିବା ବେଳେ ତାଙ୍କ ବ୍ୟାଗଟି ଅସାବଧାନତା ବଶତଃ ରାସ୍ତାରେ ଖସିପଡ଼ିଥିଲା।

ପୁଲିସ ସଦ୍ଦାମଙ୍କୁ ତାଙ୍କ ବ୍ୟାଗ ସହ ସମସ୍ତ କାଗଜ ପତ୍ର ଫେରାଇ ଦେଇଛି। ବ୍ୟାଗ୍ରୁ ୩ଟି ୫୦୦ ଦିନାର ନୋଟ, ଗୋଟିଏ ୨୦୦ ଦିନାର ନୋଟ, ୧୧ଟି ୧୦୦ ଦିନାର ନୋଟ,ଏବଂ ୩ଟି ୧୦ ଦିନାର ନୋଟ ବାହାର କରିଥିଲା ପୁଲିସ। ଏହି କରେନ୍ସିଗୁଡ଼ିକର ଭାରତୀୟ ମୂଲ୍ୟ ୯ ଲକ୍ଷ ୪୮ ହଜାର ଟଙ୍କା ଥିଲା। ବିଦେଶୀ କରେନ୍ସି ସହିତ ସମସ୍ତ କାଗଜପତ୍ର ଆଲାମ ଫେରି ପାଇବା ପରେ ସେ ପୁଲିସକୁ ଧନ୍ୟବାଦ ଦେଇଛନ୍ତି। ଏପଟେ ରାଜେଶ କୁମାରଙ୍କୁ ତାଙ୍କ ସଚ୍ଚୋଟତା ପାଇଁ ରାଜ୍ୟରୁ ପ୍ରଶଂସାର ସୁଅ ଛୁଟିଛି। ପୁଲିସ ପ୍ରଶାସନ ମଧ୍ୟ ତାଙ୍କ ଧନ୍ୟବାଦ ଜଣାଇଛି।