ସମ୍ବଲପୁର ୧୬।୯: ପଶ୍ଚିମ ଓଡ଼ିଶାର ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥାକୁ ମିଳିଲା ନୂଆ ଶକ୍ତି । ସମ୍ବଲପୁର ଜମାଦାରପାଲି ରୋଡ୍ ସ୍ଥିତ ମଧୁପୁରରେ ନିର୍ମାଣ ହୋଇଥିବା ନୂତନ ଡପଲର୍ ପାଣିପାଗ ରାଡାର୍ ଷ୍ଟେସନ୍ର ଶୁଭ ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆଧୁନିକ କେନ୍ଦ୍ରର ଉଦଘାଟନ କରିଛନ୍ତି ।

ଭାରତୀୟ ପାଣିପାଗ ବିଭାଗ ଏବଂ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନ ଓଏସଡିଏମଏର ମିଳିତ ସହଯୋଗରେ ସମ୍ବଲପୁରରେ ଏହି ଡପଲର୍ ରାଡାର୍ କେନ୍ଦ୍ର ସ୍ଥାପନ କରାଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଯୋଗ ଦେଇଥିଲେ । ପାରାଦୀପ ଓ ଗୋପାଳପୁରରେ ଥିବା ରାଡାର୍ ଉପକୂଳ ଅଞ୍ଚଳର ପାଣିପାଗ ନିରୀକ୍ଷଣରେ ସହାୟକ ହେଉଥିବା ବେଳେ, ସମ୍ବଲପୁରରେ ନୂଆ ରାଡାର୍ ସ୍ଥାପନ ହେବା ଫଳରେ ପଶ୍ଚିମ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର ପାଣିପାଗ ଉପରେ ଅଧିକ ନଜର ରଖାଯାଇପାରିବ । ବର୍ଷା, ଝଡ଼ ଓ ଅନ୍ୟାନ୍ୟ ପାଣିପାଗଜନିତ ଘଟଣାର ପୂର୍ବ ସୂଚନା ଦେବାରେ ଏହା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କହିଛନ୍ତି ।

ସମ୍ବଲପୁରରେ ସ୍ଥାପିତ ଏହି ସି-ବ୍ୟାଣ୍ଡ ଡପଲାର ପାଣିପାଗ ରାଡାର ପ୍ରଭାବଶାଳୀ ରେଞ୍ଜ ପ୍ରାୟ ୧୫୦ କିଲୋମିଟର । ରେଡିଓ ତରଙ୍ଗର ବିଶ୍ଳେଷଣ ମାଧ୍ୟମରେ ମେଘର ଗତିବିଧି, ବର୍ଷାର ପରିମାଣ ଓ ପାଣିପାଗର ପରିବର୍ତ୍ତନ ସମ୍ପର୍କରେ ସୂଚନା ମିଳିପାରିବ । ଫଳରେ ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି ଓ ଧନଜୀବନର ସୁରକ୍ଷାରେ ଏହା ସହାୟକ ହେବ । ଏଥି ସହିତ ଆଜି ନୂଆଁଖାଇ ଉପଲକ୍ଷେ ସମ୍ବଲପୁର ୯୬୦ କୋଟି ଟଙ୍କାର ବିଭିନ୍ନ ବିଭାଗର ୫୦ଟି ପ୍ରକଳ୍ପକୁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଲୋକାର୍ପଣ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମ୍ବଲପୁର ସହରର ବିକାଶ ପାଇଁ ଚଳିତ ବର୍ଷ ୨ ହଜାର କୋଟି ଟଙ୍କାର ଭେଟି ଦିଆଯାଇଛି ସାରିଛି । ଆଗକୁ ମଧ୍ୟ ଜିଲ୍ଲାର ଉନ୍ନତି ପାଇଁ ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Also Read:- ଗଣେଶ ଭାସାଣିରେ ଖେଳିଗଲା ଶୋକର ଛାୟା : ଭାସିଗଲେ ୪ ଯୁବକ, ୩ ମୃତ, ଜଣଙ୍କୁ ଚାଲିଛି ଖୋଜା

ପଶ୍ଚିମ ଓଡ଼ିଶାର ପାଣିପାଗ ଉପରେ ଏବେ ରହିବ ଅଧିକ ନଜର । ୧୫୦ କିଲୋମିଟର ରେଞ୍ଜର ଏହି ଡପଲର୍ ରାଡାର୍ ମାଧ୍ୟମରେ ପାଣିପାଗର ତାତ୍କାଳିକ ପରିବର୍ତ୍ତନ ସମ୍ପର୍କରେ ମିଳିବ ଅଧିକ ସଠିକ ସୂଚନା । ତେବେ ଏହି ନୂଆ ବ୍ୟବସ୍ଥା ବିପର୍ଯ୍ୟୟ ପରିଚାଳନାକୁ କେତେ ଅଧିକ ସୁଦୃଢ଼ କରୁଛି, ତାହା ଆଗାମୀ ଦିନରେ ଗୁରୁତ୍ୱ ବହନ କରିବ ।