ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗୁରୁବାର ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଛନ୍ତି। ଚିଠିରେ ରାହୁଲ ଲେଖିଛନ୍ତି ଯେ ୧୯ ବର୍ଷ ବୟଷ୍କା ଅଙ୍କିତା ଭଣ୍ଡାରୀ ଜଣେ ଭିଆଇପିଙ୍କ ଲାଗି ତାଙ୍କ ଗାରିମା ସହ ବୁଝାମଣା କରିବାକୁ ଅସ୍ୱୀକାର କରିଥିଲେ, ଏଥି ପାଇଁ ତାଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ସିବିଆଇ ତଦନ୍ତ ଜାରି ରହିଛି। ତେବେ ଧିମା ଯାଞ୍ଚ ଯୋଗୁ ୪ ବର୍ଷ ପରେ ମଧ୍ୟ ଏହା ଏବେବି ପ୍ରଶ୍ନବାଚୀ ହୋଇ ରହିଛି ସେ ଭିଆଇପି ଥିଲେ କିଏ?

ଚିଠିରେ ରାହୁଲ ଲେଖିଛନ୍ତି ଯେ ଅଙ୍କିତାଙ୍କ ପରିବାର ସମେତ ଅନେକ ଲୋକେ ଭାବନ୍ତି ଦୁଷ୍ୟନ୍ତ ଗୌତମ ଏହି ମାମଲା ସହ ସମ୍ପୃକ୍ତ। ଏଥିରେ ତାଙ୍କୁ ସିକ୍କିମ ରାଜ୍ୟପାଳ ନିଯୁକ୍ତ କରାଯିବା ଘଟଣାରେ ମୁଁ ସ୍ତବ୍ଦ। ରାଜ୍ୟପାଳ ପଦବୀରେ ଅବସ୍ଥାପିତ ହେବା ପରେ ତାଙ୍କ ବିରୋଧରେ କୌଣସି ଅପରାଧିକ କାର୍ଯ୍ୟାନୁଷ୍ଠାନ ହୋଇ ପାରିବନି। ରାହୁଲ ଲେଖିଛନ୍ତି ଯେ ଦୁଷ୍ୟନ୍ତ ଗୌତମଙ୍କୁ ନିଯୁକ୍ତି ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ ମୋଦି ପ୍ରମାଣିତ କରିଛନ୍ତି ଯେ ମହିଳାଙ୍କ ସୁରକ୍ଷା ଲାଗି ତାଙ୍କର ଆଦୌ ପରୁଆ ନାହିଁ। ଏଣୁ ମୁଁ ଆପଣଙ୍କୁ ଅପିଲ କରୁଛି ସରକାରଙ୍କ ଏହି ନିଯୁକ୍ତି ଉପରେ ପୁନର୍ବିଚାର କରିବା ଓ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଦୁଷ୍ୟନ୍ତ ଗୌତମଙ୍କୁ ପଦବୀରୁ ଦୂରେଇ ରଖିବାକୁ ପରାମର୍ଶ ଦିଅନ୍ତୁ।

ଉଲ୍ଲେଖଯୋଗ୍ୟ ଯେ ଅଙ୍କିତା ଭଣ୍ଡାରୀ ଋଷିକେଶ ନିକଟସ୍ଥ ବନ୍ତରା ରିସର୍ଟରେ ରିସେପସନିଷ୍ଟ ଭାବେ କାମ କରୁଥିଲେ। ସେପ୍ଟେମ୍ବର ୨୦୨୨ରେ ତାଙ୍କୁ ନିର୍ମମ ହତ୍ୟା କରାଯାଇଥିଲା। ପରେ ଏହି ମାମଲାରେ ରିସର୍ଟ ମାଲିକ ପୁଲକିତ ଆର୍ଯ୍ୟ ଓ ଅନ୍ୟ ୨ ଅଭିଯୁକ୍ତଙ୍କୁ କୋର୍ଟ ଆଜୀବନ ଜେଲଦଣ୍ଡାଦେଶ କରିଛନ୍ତି। ତେବେ ପରେ ଏହି ମାମଲାରେ ଜଣେ ଭିଆଇପିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା। ଅଙ୍କିତାଙ୍କ ପରିବାର ଏହି ଘଟଣାର ଏବେ ତଦନ୍ତ ଦାବି କରୁଛନ୍ତି।