ନୂଆଦିଲ୍ଲୀ ୨୪।୧୦; ତିବ୍ଦତରେ ପୁଣି ଭୂକମ୍ପ ଝଟକା। ସକାଳୁ ସକାଳୁ ୪.୫ ତୀବ୍ରତାରେ ଝଟକା ଅନୁଭୂତ ହୋଇଛି। ଭାରତୀୟ ମାନକ ସମୟ ଅନୁସାରେ ଭୋର ପ୍ରାୟ ୫ଟା ୩୮ ମିନିଟ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଗତ ୫ ଘଣ୍ଟାରେ ୩ ଥର ଝଟକା ଅନୁଭୂତ ହେଲାଣି । ଏହା ପୂର୍ବରୁ ଗତ ଗୁରୁବାର ରାତିରେ ତିବ୍ଦତରେ ୭.୦ ତୀବ୍ରତାର ଭୟଙ୍କର ଭୂକମ୍ପ ଆସିଥିଲା। ଏହି ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହେବା ସହ ୧୬ ଜଣଙ୍କ ମୃତ୍ୟୁ ଏବଂ ୬୫ ଜଣ ଆହତ ହୋଇଥିବା ଖବର ମିଳିଛି। ଏଥିସହ ୧୨ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତର ତିବ୍ଦତର ନାଗଚୁ ଅଞ୍ଚଳ ଅନ୍ତର୍ଗତ ବାଚେନ୍ କାଉଣ୍ଟିରେ ଥିବା ବେଳେ, ଏହାର ଗଭୀରତା ପୃଥିବୀ ପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଥିଲା। ଭୂକମ୍ପ ସମୟରେ ଲୋକେ ଭୟଭୀତ ହୋଇ ଘର ଓ କୋଠାବାଡ଼ିରୁ ବାହାରକୁ ଦୌଡ଼ି ଆସୁଥିବାର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି। କେତେକ ସ୍ଥାନରେ କୋଠାର ଅଂଶବିଶେଷ ଭାଙ୍ଗି ଖସିପଡ଼ୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି।

ସେପଟେ, ଶକ୍ତିଶାଳୀ ଭୂକମ୍ପ ପରେ ତିବ୍ଦତରେ ଶହ ଶହ ଅନୁକମ୍ପନ ଅନୁଭୂତ ହୋଇଥିବା ଚୀନ୍ ଭୂକମ୍ପ ନିରୀକ୍ଷଣ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ, ଭୂକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମାର ସଦ୍ଗତି କାମନା କରି ହିମାଚଳ ପ୍ରଦେଶର ଧର୍ମଶାଳା ନିକଟସ୍ଥ ମ୍ୟାକଲୋଡଗଞ୍ଜରେ ତିବ୍ଦତୀୟ ଯୁବ କଂଗ୍ରେସ ପକ୍ଷରୁ ମହମବତୀ ଜାଳି ପ୍ରାର୍ଥନା ସଭା ଆୟୋଜନ କରାଯାଇଛି। ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଯାଇଛି।