ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ କେମ୍- ୨୦୨୬ରେ ଓଡ଼ିଶା ଏକ ଅଗ୍ରଣୀ ପୁଞ୍ଜି ଆକର୍ଷଣକାରୀ ରାଜ୍ୟ ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିଛି। ମୁଖ୍ୟମନ୍ତ୍ରୀ ଟିମ୍ ଓଡ଼ିଶାର ନେତୃତ୍ୱ ନେଇ କେମିକାଲ ଓ ପେଟ୍ରୋ କେମିକାଲ କ୍ଷେତ୍ରରେ ଆୟୋଜିତ ଏହି କନକ୍ଲେଭରେରେ ଅକ୍ଟୋବର ୨୨ ଏବଂ ୨୩ ତାରିଖରେ ଯୋଗ ଦେବା ପରେ ଶୁକ୍ରବାର ଭୁବନେଶ୍ୱର ଫେରିଛନ୍ତି ।

ଏନେଇ ସନ୍ଧ୍ୟାରେ ଗଣମାଧ୍ୟମ ଆଗରେ ବିବୃତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁମ୍ୱାଇରେ ଏହି ଦୁଇ ଦିନରେ ୯ଟି MoU ସହିତ ୪ଟି ଇନ୍ଭେଷ୍ଟମେଣ୍ଟ ଇଣ୍ଟେଣ୍ଟ ସ୍ୱାକ୍ଷରିତ ହୋଇଛି ଏବଂ ଏହାଦ୍ୱାରା ଓଡ଼ିଶାକୁ ସମୁଦାୟ ୫୩,୮୯୩.୫୧ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଯାହା ଦ୍ୱାରା ୨୦,୨୧୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆସନ୍ତା ବର୍ଷ ଏହି ସମ୍ମିଳନୀ ଓଡ଼ିଶାରେ ଆୟୋଜନ କରିବା ପାଇଁ ସେ କେନ୍ଦ୍ର ସରକାର ଓ FICCI ସହିତ ଆଲୋଚନା କରିଥିଲେ ଏବଂ ଏଥିପାଇଁ ଉଭୟେ ଗ୍ରୀନ ସିଗ୍ନାଲ୍ ଦେଇଛନ୍ତି । ଆସନ୍ତା ବର୍ଷ ୨୦୨୭ ଅକ୍ଟୋବର ମାସରେ ଓଡ଼ିଶା କେମ- ୨୦୨୭ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଅବସରରେ ବିଭିନ୍ନ ବିଜନେସ୍ ଲିଡରମାନଙ୍କ ସହିତ ୨୫ଟି ଓ୍ବାନ ଟୁ ଓ୍ବାନ ମିଟିଙ୍ଗ୍ ଅନୁଷ୍ଠିତ ହୋଇଛି । ପସ୍କୋ ଇଣ୍ଡିଆ, ଜେ.ଏସ୍.ଡବ୍ଲ୍ୟୁ, ଏଲ୍ ଆଣ୍ଡ୍ ଟି ଆଦି କମ୍ପାନୀମାନଙ୍କ ସହିତ ଆମେରିକା ଓ ୟୁରୋପିଆନ୍ ୟୁନିଅନର ବିଭିନ୍ନ ଦେଶର କମ୍ପାନୀମାନଙ୍କ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ ।

ଏହି ଆଲୋଚନା ଦ୍ୱାରା ସେମାନଙ୍କର ଆବଶ୍ୟକତା ବିଷୟରେ ଜାଣିବା ସହିତ ଓଡ଼ିଶାରେ ନିବେଶ କରିବା ପାଇଁ କେଉଁ ସୁବିଧା ସୁଯୋଗ ଉପଲବ୍ଧ ଅଛି, ସେମାନେ ମଧ୍ୟ ଜାଣିପାରିଛନ୍ତି । ଏହାଦ୍ୱାରା ବିଭିନ୍ନ ସମ୍ଭାବ୍ୟ ନିବେଶକମାନଙ୍କ ସହିତ ଉତ୍ତମ ବୁଝାମଣା ସୃଷ୍ଟି ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶାରେ ନିବେଶ ପାଇଁ ଏହି କମ୍ପାନୀମାନଙ୍କର ଖୁବ୍ ଆଗ୍ରହ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କମ୍ପାନୀମାନଙ୍କ ସହିତ ଏହି ଆଲୋଚନା ପାଇଁ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେ.ପି. ନଡ୍ଡାଙ୍କର ଖୁବ୍ ସହଯୋଗ ରହିଛି ବୋଲି ମତ ଦେଇ ଏଥିପାଇଁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏକ ମେଟାଲଭିତ୍ତିକ ଅର୍ଥନୀତିରୁ କେମିକାଲଭିତ୍ତିକ ଅର୍ଥନୀତିକୁ ଡାଇଭର୍ସିଫାଇ କରିବା ପାଇଁ ଆମର ଯେଉଁ ଲକ୍ଷ୍ୟ ରହିଛି, ତାକୁ ସାକାର କରିବା ଦିଗରେ ଏହି ସମ୍ମିଳନୀ ସହାୟକ ହୋଇଛି । ଓଡ଼ିଶାରେ ମେଟାଲ, ମେଟାଲ ଡାଉନଷ୍ଟ୍ରିମ୍, କେମିକାଲ, ପେଟ୍ରୋ କେମିକାଲ ଏବଂ ପ୍ଲାଷ୍ଟିକ୍ ଆଦି ସମସ୍ତ ପ୍ରକାର ପରସ୍ପର ନିର୍ଭରଶୀଳ ଶିଳ୍ପ ସ୍ଥାପନ କରି ଓଡ଼ିଶାରେ ଏକ କମ୍ପ୍ଲିଟ୍ ଇଣ୍ଡଷ୍ଟ୍ରିଆଲ୍ ଇକୋସିଷ୍ଟମ୍ ଗଠନ କରାଯିବ ବୋଲି ମୁଖ୍ୟମନ୍ତୀ କହିଛନ୍ତି । ଏହାଦ୍ୱାରା ଆତ୍ମନିର୍ଭର ଭାରତ ଗଠନର ଲକ୍ଷ୍ୟ ପୂରଣରେ ଓଡ଼ିଶା ଏକ ମଜବୁତ୍ ସ୍ତମ୍ଭ ହୋଇପାରିବ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳ ଅଭିଯାନ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ବହୁ ସଂଖ୍ୟକ ଜନସାଧାରଣଙ୍କ ସହିତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ସମବାୟ, ହସ୍ତତନ୍ତ ଓ ବୟନ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏବଂ ଅନେକ ବିଧାୟକ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧନା ଜଣାଇଥିଲେ ।