ନୂଆଦିଲ୍ଲୀ: ଏମଏମଏ (MMA) ଫାଇଟର କୋଲ୍ ଜନସନ୍ ଗୋଟିଏ ସିମ୍ପାଞ୍ଜି ସହ ଲଢ଼େଇ କରିବେ ବୋଲି ଦାବି କରିବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଅଗଷ୍ଟ ୩୦ରେ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରି ସେ ଏହି ଘୋଷଣା କରିଥିଲେ ଏବଂ ସେପ୍ଟେମ୍ବର ୧୧ରେ ଏହି ଲଢ଼େଇ ହେବ ବୋଲି 'ବ୍ଲଡି ଏଲବୋ' ରିପୋର୍ଟରେ କୁହାଯାଇଛି।

ଜନସନ୍ ସ୍ପଷ୍ଟ କରିଛନ୍ତି ଯେ, ପ୍ରଥମେ ସେ ଏହାକୁ କେବଳ ମଜାରେ କହିଥିଲେ। ମଜାରେ କହିବା ପରେ ତାଙ୍କୁ ଏହି ଲଢ଼େଇ ପାଇଁ ୫ ଲକ୍ଷ ଡଲାରର ଅଫର ମିଳିଥିଲା। ଏକ ବଡ଼ ଅଫର ମିଳିବାରୁ ସେ ଏହି ଚ୍ୟାଲେଞ୍ଜ ଗ୍ରହଣ କରିଥିବା କହିଛନ୍ତି । ଲଢ଼େଇ ସମୟରେ ନିକଟରେ ଟ୍ରାଙ୍କୁଇଲାଇଜର ଧରି ଲୋକମାନେ ଉପସ୍ଥିତ ରହିବେ ବୋଲି ସେ କହିଛନ୍ତି।

ସିମ୍ପାଜୀଟି ଜଣେ ସାଧାରଣ ମଣିଷଠାରୁ ଦୁଇଗୁଣ ଅଧିକ ଶକ୍ତିଶାଳୀ। ଜନସନ୍‌ କହିଛନ୍ତି ଯେ, ସେ ପ୍ରାଣୀଟିକୁ ମାରିବାକୁ କିମ୍ବା ନିଜେ ମରିବାକୁ ଚାହାଁନ୍ତି ନାହିଁ, କେବଳ ନିଜର ଶକ୍ତି ପରୀକ୍ଷା କରିବାକୁ ଚାହୁଁଛନ୍ତି। ଦର୍ଶକଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ସେ ସୋସିଆଲ ମିଡିଆରେ "ମଣିଷ ଜିତିବ" ନା "ସିମ୍ପାଜୀ ଜିତିବ" ବୋଲି ଏକ ପୋଲ୍ (Poll) ମଧ୍ୟ କରିଛନ୍ତି।

ଏହି ଦାବିକୁ ନେଇ କ୍ରୀଡ଼ାପ୍ରେମୀ ଏବଂ ପଶୁପ୍ରେମୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ପଶୁ ପ୍ରତି କ୍ରୂରତା ସହ ଆଇନଗତ ଭାବେ ଏଭଳି ଲଢ଼େଇ ସମ୍ଭବ ନୁହେଁ ବୋଲି ଅନେକ ମତ ଦେଇଛନ୍ତି।