ଭୁବନେଶ୍ୱର ୨୪।୧୦ : ସିଧା ମାଡ଼ ହେଉ କି ନ ହେଉ, ଓଡ଼ିଶାକୁ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଘାଣ୍ଟିବ। ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ସାଙ୍ଗକୁ ପବନ ଭୟ ରହିଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ ଅନୁସାରେ, ୨୬ରୁ ରାଜ୍ୟରେ ଆରମ୍ଭହେବ ହାଲୁକାରୁ ମଧ୍ୟମ ବର୍ଷା । ୨୭ରୁ ବଢ଼ିବ କୋପ। ୨୭ ଓ ୨୮ରେ ଅତ୍ୟନ୍ତ ପ୍ରବଳ ବର୍ଷା ଅନାଡ଼ିପାରେ। ସ୍ଥାନେ ସ୍ଥାନେ ୨ ଶହ ମିଲିମିଟରରୁ ୩ ଶହ ମିମି ପର୍ଯ୍ୟନ୍ତ ଭୟାନକ ବର୍ଷା ହୋଇପାରେ। ୨୯ରେ ବି ଲଗାଣ ବର୍ଷା ସମ୍ଭାବନା ଅଛି। ଦକ୍ଷିଣ ଓଡ଼ିଶାରେ ୧୦୦ କିମିରୁ ଅଧିକ ବେଗରେ ବୋହିପାରେ ପବନ। ପାରାଦୀପ ସହ ଉପକୂଳ ଓଡ଼ିଶାରେ ୭୦ କିମି ବେଗରେ ପବନ ମାଡ଼ ହୋଇପାରେ । ତା ସାଙ୍ଗକୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ବାତ୍ୟା ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟା ହୋଇପାରେ। ଏହା ୨୮ ସକାଳେ କିମ୍ବା ଦିନବେଳା ଆନ୍ଧ୍ର ଉପକୂଳରେ ମାଡ଼ ହେବ। ତା'ପରେ ଦିଗ ବଦଳାଇ ଓଡ଼ିଶା ଭିତର ଦେଇ ଉପରକୁ ଉଠିପାରେ। ଏହା ପ୍ରଭାବରେ ଉପକୂଳ, ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଗଭୀର ପ୍ରଭାବ ପଡ଼ିପାରେ। ପ୍ରବଳ ବର୍ଷା କାରଣରୁ ଧାନ ଓ ରବି ଫସଲ ନଷ୍ଟ ହେବା ଆଶଙ୍କା ଚାଷୀଙ୍କୁ ଘାରିଛି । କେବଳ ସେତିକି ନୁହେଁ, ବିଭିନ୍ନ ନଦୀ ଫୁଲିଲେ ଦକ୍ଷିଣ ଓଡ଼ିଶାରେ ବନ୍ୟା ହେବାର ଆଶଙ୍କା ମଧ୍ୟ ରହିଛି। ୨୬ତାରିଖରେ ଉପକୂଳବର୍ତ୍ତୀ ଏବଂ ସଂଲଗ୍ନ ଜିଲ୍ଲାଯଥା- ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ମୟୂରଭଞ୍ଜର କିଛି ଅଂଶ, ନୟାଗଡ଼ , ଗଞ୍ଜାମ ଓ ଗଜପତିରେ 'ସତର୍କ' ରହିବାକୁ କୁହାଯାଇଛି।

Also Read:-ବିସ୍ଫୋରଣରେ ଥରିଲା ବିହାର, ୪ ଘଣ୍ଟାର ଧମାକା ପରେ ଚାଲିଛି ଜୀବନର ସନ୍ଧାନ

୨୭ତାରିଖରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ଅତି ପ୍ରବଳରୁ ଅତ୍ୟଧିକ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଜଗତସିଂହପୁର, କଟକ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ଜାଜ୍ ପୁର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

୨୮ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ଅତି ପ୍ରବଳରୁ ଅତ୍ୟଧିକ ବର୍ଷା ପାଇଁ ରେଡ୍ ଆଲର୍ଟ ରହିଛି। ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀଠାରୁ ଆରମ୍ଭ କରି ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଟକ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଏବଂ କିଛି ସ୍ଥାନରେ ସାଧାରଣରୁ ପ୍ରବଳ ବର୍ଷା ଜାରି ରହିବ।

Watch Video:-