ନୂଆଦିଲ୍ଲୀ ୨୪।୦୫; ପାକିସ୍ତାନର କ୍ୱେଟା ସହରର ରେଳ ଟ୍ରାକରେ ଏକ ବଡ଼ ବିସ୍ଫୋରଣ । ଯେଉଁଥିରେ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୭ ଜଣ ଆହତ ହୋଇଥିବା ଜଣାପଡ଼ିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ସମଗ୍ର ଅଞ୍ଚଳରେ ଉତ୍ତେଜନା ଏବଂ ଆତଙ୍କ ସୃଷ୍ଟି କରିଥିଲା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସରକାରୀ ଚିକିତ୍ସା ପ୍ରତିଷ୍ଠାନଗୁଡ଼ିକରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ବିସ୍ଫୋରଣ ଫଳରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଟ୍ରେନ୍ ଟି କ୍ୱେଟା କ୍ୟାଣ୍ଟ ଅଞ୍ଚଳ ଆଡକୁ ଯାଉଥିବା ବେଳେ ରେଳ ଲାଇନରେ ବିସ୍ଫୋରଣ ଘଟିଥିଲା।

ବିସ୍ଫୋରଣ ପରେ, ଆଖପାଖ ଅଞ୍ଚଳରେ ଗୁଳି ଫୁଟିବାର ଶବ୍ଦ ମଧ୍ୟ ଶୁଣାଯାଇଥିଲା, ଯାହାଦ୍ୱାରା ବାସିନ୍ଦାଙ୍କ ମଧ୍ୟରେ ଆହୁରି ଭୟ ବ୍ୟାପିଥିଲା। ପାକିସ୍ତାନର ବଲୁଚିସ୍ତାନ ପ୍ରାନ୍ତର କ୍ୱେଟାରେ ଭୟଙ୍କର ବିସ୍ଫୋରଣ । ଚମନ ଫାଟକ ନିକଟରେ ଏକ ପ୍ୟାସେଞ୍ଜର ଟ୍ରେନକୁ ଟାର୍ଗେଟ କରି ସନ୍ଦିଗ୍ଧ ଆତ୍ମଘାତୀ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ଅତି କମରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଧୂଆଁ ଓ ନିଆଁ ଦେଖିବାକୁ ମିଳିଥିଲା। ଖବରପାଇ ସୁରକ୍ଷାବାହିନୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ ।

ପ୍ରାରମ୍ଭିକ ତଦନ୍ତରୁ ଏହା ଆତ୍ମଘାତୀ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣର ଦାୟିତ୍ୱ ନେଇନାହାନ୍ତି । ବାଲୁଚିସ୍ତାନରେ ପୂର୍ବରୁ ମଧ୍ୟ ଏଭଳି ଆତଙ୍କୀ ଆକ୍ରମଣ ଘଟିଥିବାବେଳେ, ଏହି ଘଟଣା ପୁଣିଥରେ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି । ତେବେ ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Also Read-America : ହ୍ୱାଇଟ୍ ହାଉସରେ ଗୁଳିମାଡ଼ ଘଟଣା, ଲାଇଭ୍ ରିପୋର୍ଟିଂ କରୁଥିଲେ ମହିଳା ସାମ୍ବାଦିକ, କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ