ପୁରୀ: ଶ୍ରୀମନ୍ଦିରରୁ ମାଉସୀ ମା’ ଘରକୁ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶୁକ୍ରବାର ତିନି ରଥ ଶରଧାବାଲିରେ ପହଞ୍ଚିଥିବା ବେଳେ, ଶନିବାର ହେବ ଶ୍ରୀଜୀଉଙ୍କ ଆଡ଼ପ ବିଜେ। ସେପଟେ ଏହି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏନେଇ ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଏକ ପ୍ରେସ୍ ବିଜ୍ଞପ୍ତିରେ ଦିଆଯାଇଥିବା ସୂଚନା ଅନୁସାରେ, ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ସ୍ନାଚିଂ, ପକେଟମାରି ଓ ସମ୍ପତ୍ତି ସମ୍ବନ୍ଧୀୟ ଅପରାଧ ରୋକିବା ପାଇଁ ସ୍ୱତନ୍ତ୍ର ଆଣ୍ଟି-ସ୍ନାଚିଂ ଅଭିଯାନ ସଫଳତାର ସହ ଚାଲୁ ରହିଛି। ରଥଯାତ୍ରା ସମୟରେ ବିଭିନ୍ନ ଥାନା, ସ୍ୱତନ୍ତ୍ର ଆଣ୍ଟି-ସ୍ନାଚିଂ ଟିମ୍ ଓ ସାଧା ପୋଷାକରେ ମୁତୟନ ପୋଲିସ କର୍ମଚାରୀଙ୍କ ମିଳିତ ପ୍ରୟାସରେ ମୋଟ ୧୦୩ ଜଣ ସ୍ନାଚରଙ୍କୁ ଗିରଫ କରାଯାଇଛି। ଏହା ସହିତ ସେମାନଙ୍କ ନିକଟରୁ ୨୦୩ଟି ସ୍ନାଚିଂ ହୋଇଥିବା ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଉଦ୍ଧାର ହୋଇଥିବା ମୋବାଇଲ୍ ଫୋନ୍ଗୁଡ଼ିକୁ ଆଇନଗତ ପ୍ରକ୍ରିୟା ସମ୍ପନ୍ନ ପରେ ପ୍ରକୃତ ମାଲିକମାନଙ୍କୁ ଫେରସ୍ତ କରାଯିବ।

Also Read: ଜଗନ୍ନାଥଙ୍କ ଆଖିରେ ଥିଲା ଲୁହ.. ବିନା ଟାହିଆରେ ମହାପ୍ରଭୁଙ୍କ ପହଣ୍ଡିକୁ ନେଇ ବର୍ଷିଲେ ଭକ୍ତ

ଖାଲି ସେତିକି ନୁହେଁ ରଥଯାତ୍ରା ସମୟରେ ବଡ଼ଦାଣ୍ଡ, ଶ୍ରୀଜଗନ୍ନାଥ ମନ୍ଦିର ପରିସର, ସମୁଦ୍ରକୂଳ, ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ୍, ପାର୍କିଂ ସ୍ଥାନ ଏବଂ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପୋଲିସର ସ୍ୱତନ୍ତ୍ର ଟିମ୍ ଦିନରାତି ନିରୀକ୍ଷଣ କରୁଛନ୍ତି। ସିସିଟିଭି କ୍ୟାମେରା, ଆଧୁନିକ ବୈଷୟିକ ଉପକରଣ ଓ ଗୁଇନ୍ଦା ସୂଚନାର ସହାୟତାରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ତୁରନ୍ତ ଗିରଫ କରାଯାଉଛି।

ପୁରୀ ପୋଲିସର ଏହି ସ୍ୱତନ୍ତ୍ର ଅଭିଯାନ ଫଳରେ ସ୍ନାଚିଂ ଘଟଣା ଉପରେ ପ୍ରଭାବଶାଳୀ ନିୟନ୍ତ୍ରଣ ସମ୍ଭବ ହୋଇଛି ହୋଇପାରୁଛନ୍ତି। ପୁରୀ ପୋଲିସ ସମସ୍ତ ଭକ୍ତ ଓ ସାଧାରଣ ଜନସାଧାରଣଙ୍କୁ ଅନୁରୋଧ କରୁଛି ଯେ, ଭିଡ଼ ସ୍ଥାନରେ ନିଜର ମୋବାଇଲ୍ ଫୋନ୍, ପର୍ସ, ସୁନା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ପ୍ରତି ସତର୍କ ରୁହନ୍ତୁ। କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ସ୍ନାଚିଂ ଘଟଣା ସମ୍ପର୍କରେ ତୁରନ୍ତ ନିକଟସ୍ଥ ପୋଲିସ କର୍ମଚାରୀ କିମ୍ବା ପୋଲିସ କଣ୍ଟ୍ରୋଲ୍ ରୁମକୁ ସୂଚନା ଦିଅନ୍ତୁ। ପୁରୀ ପୋଲିସ ଭକ୍ତ, ପର୍ଯ୍ୟଟକ ଓ ସାଧାରଣ ଜନତାଙ୍କ ସୁରକ୍ଷା ପ୍ରତି ସଦା ପ୍ରତିବଦ୍ଧ।

ସ୍ନାଚିଂ ଭଳି ଅପରାଧ ବିରୋଧରେ ଏହି କଠୋର ଅଭିଯାନ ଆଗାମୀ ଦିନରେ ମଧ୍ୟ ଅଧିକ ଜୋରଦାର ଭାବେ ଜାରି ରହିବ। ଆଇନକୁ ହାତକୁ ନେଉଥିବା କୌଣସି ବ୍ୟକ୍ତିଙ୍କ ପ୍ରତି କୌଣସି ପ୍ରକାର କୋହଳ ଦେଖାଯିବ ନାହିଁ ଏବଂ ଅପରାଧୀମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ପୋଲିସ ପକ୍ଷରୁ କୁହାଯାଇଛି ।