ନୂଆଦିଲ୍ଲୀ, ୧୦।୧୧ : ଆମେରିକାର ତମାମ ଆର୍ଥିକ କଟକଣା ସତ୍ତ୍ବେ ଇରାନ ଏଥିରୁ ନିଜକୁ ସୁରକ୍ଷିତ ରଖିବା ଲାଗି ଅନେକାଂଶରେ ସଫଳ ହୋଇଛି। ନିଜ ଅର୍ଥ ବ୍ୟବସ୍ଥାକୁ ସ୍ବାଭାବିକ ରଖିବା ସହ ପ୍ରତିରକ୍ଷା କ୍ଷେତ୍ରକୁ ବି ଶକ୍ତିଶାଳୀ ରଖିପାରିଛି। ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣର ଦୃଢ଼ ଜବାବ ଦେଇ ଇରାନ ନିଜ ଶକ୍ତି ପ୍ରମାଣିତ କରିସାରିଛି। ଏବେ ଏହାର ଆଉ ଏକ ବଡ଼ ରଣନୀତିର ଖୁଲାସା ହୋଇଛି।

ଆମେରିକାର କଟକଣା ସତ୍ତ୍ୱେ ଇରାନର ଅଶୋଧିତ ତୈଳ ପରିବହନ ଓ ବିକ୍ରି ଉପରେ ସେତେ ପ୍ରଭାବ ପଡ଼ିପାରି ନାହିଁ । ଚୀନରେ ଏହାର ଗୁପ୍ତ ତୈଳ ନେଟଓ୍ୱର୍କ ହିଁ ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରିଛି। ଚାନର କେତେକ ସ୍ଥାନରେ ଥିବା ତୈଳ ଟର୍ମିନାଲ ଓ ସଂରକ୍ଷଣ ବ୍ୟବସ୍ଥା ଉପରେ ଇରାନର ନିୟନ୍ତ୍ରଣ ରହିଛି। ଏଥିପାଇଁ ଚୀନ୍ ସବୁ ସୁବିଧା ଖଞ୍ଜି ଦେଇଛି। ‘ଇରାନ ଇଣ୍ଟରନ୍ୟାସନାଲ’ ଦ୍ୱାରା ହାସଲ କରାଯାଇଥିବା ଏକ ଗୋପନ ଚିଠି ଏବଂ ଇରାନୀ ତୈଳ ମନ୍ତ୍ରଣାଳୟ ସୂତ୍ରରୁ ଏହା ଜଣାପଡ଼ିଛି।

Also Read :-୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ କସରତ : ଜାନୁଆରୀ ୧୫ ସୁଧା ତାରିଖ ଘୋଷଣା କରିବେ କମିଶନ

ଏହି ବ୍ୟବସ୍ଥାରେ ଇରାନ ନିୟନ୍ତ୍ରିତ ବନ୍ଦର ସୁବିଧା, ଦୀର୍ଘମିଆଦୀ ଲିଜ୍ ଏବଂ ତୈଳ ସଂରକ୍ଷଣ ଟ୍ୟାଙ୍କ ଅନ୍ତର୍ଭୁକ୍ତ। କଟକଣା ପରିସରରେ ରହିଥିବା ଟ୍ୟାଙ୍କରଗୁଡ଼ିକୁ ଚୀନରେ ସିଧାସଳଖ ଅଶୋଧିତ ତେଲ ଖାଲି କରିବା ପାଇଁ ଏହି ବ୍ୟବସ୍ଥା ଅନୁମତି ପ୍ରଦାନ କରୁଛି। ଏହାଦ୍ଵାରା ଜାହାଜଗୁଡ଼ିକ ମଧ୍ୟରେ ତେଲ ସ୍ଥାନାନ୍ତର କରିବାର ଆବଶ୍ୟକତା କମିଯାଏ କିମ୍ବା ପାରମ୍ପରିକ ଜଳପଥ ଉପରେ ନିର୍ଭର କରିବାକୁ ପଡ଼ି ନ ଥାଏ। ନ୍ୟାସନାଲ ଇରାନିଆନ ଅଏଲ୍ କମ୍ପାନି (ଏନଆଇଓସି)ର ପୂର୍ବତନ ମୁଖ୍ୟ ତଥା ବର୍ତ୍ତମାନର କାର୍ଯ୍ୟକାରୀ ତୈଳ ମନ୍ତ୍ରୀ ହମିଦ ବୋଭାର୍ଡ ଇରାନର ଶୀର୍ଷ ଜାତୀୟ ସୁରକ୍ଷା ପରିଷଦର ପୂର୍ବତନ ସଚିବ ତଥା ତତ୍କାଳୀନ ସର୍ବୋଚ୍ଚ ନେତା ଅଲୀ ଖାମେନେଇଙ୍କ ରାଜନୈତିକ ଉପଦେଷ୍ଟା ଅଲୀ ଶାମଖାନିଙ୍କୁ ଲେଖିଥିବା ଚିଠିରୁ ଏହା ଖୁଲାସା ହୋଇଛି। ଚିଠିରେ ବୋଲାର୍ଡ ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମଙ୍କ ତୈଳ ବାଣିଜ୍ୟ ନୀତିକୁ ସମାଲୋଚନା କରିଥିଲେ ଏବଂ ରାଷ୍ଟ୍ରପତି ମସୁଦ ପେଜେଶକିୟାନଙ୍କ ଅଧୀନରେ ବିକଶିତ ଏକ ବିକଳ୍ପ ବ୍ୟବସ୍ଥା ବିଷୟରେ ବର୍ଣ୍ଣନା କରିଥିଲେ। ଏଥିରେ ଚୀନର ଗୁପ୍ତ ସହଯୋଗ ସାମିଲ ଥିବା ସେ ଦର୍ଶାଇଥିଲେ।

ଚୀନ୍ ବଜାରରେ ଇରାନୀ ଅଶୋଧିତ ତୈଳର ସିଧାସଳଖ ବିକ୍ରିକୁ ସହଜ କରିବା ପାଇଁ ଇରାନର ବିଦେଶ ମନ୍ତ୍ରଣାଳୟ ବନ୍ଦର ସୁବିଧା ଏବଂ ତୈଳ ଟର୍ମିନାଲ ବ୍ୟବହାର ଲାଗି ଆଲୋଚନା କରିଥିଲା। ସଂରକ୍ଷଣ ଭିରିଭୂମି ଉପରେ ଦୀର୍ଘମିଆଦୀ ଲିଜ୍ ହାସଲ କରିଥିଲା ତେହରାନ । ତେହରାନ ଚୀନର ୩ଟି ସ୍ଥାନରେ ଭିତ୍ତିଭୂମି ବ୍ୟବସ୍ଥାର ନିୟନ୍ତ୍ରଣ ହାସଲ କରିଛି। ଏହା ମଧ୍ୟରେ ନିଙ୍ଗବୋ-ଝୋଉସାନ୍ ମୁକ୍ତ ବଣିଜ୍ୟ କ୍ଷେତ୍ରର ଏକ ଟର୍ମିନାଲ୍ ଅନ୍ତର୍ଭୁକ୍ତ । ଏହା ସହିତ ସାଣ୍ଡୋଙ୍ଗ ପ୍ରଦେଶର କିଙ୍ଗଡାଓ ଏବଂ ପାଣ୍ଟଠାରେ ଥିବା କ୍ଷୁଦ୍ର ଡକ୍ ଗୁଡ଼ିକରେ ଅଂଶଧନ ମଧ୍ୟ ସାମିଲ ଅଛି।

ସୂତ୍ର ଅନୁଯାୟୀ ଏହି ଡକ୍ ଗୁଡ଼ିକ ପାଇପଲାଇନ୍ ନିକଟରେ ଅବସ୍ଥିତ, ଯହା ଅନ୍ୟ ଜାହାଜକୁ ସ୍ଥାନାନ୍ତର ନ କରି ଅଶୋଧିତ ତୈଳକୁ ଚୀନ୍ ରିଫାଇନାରିକୁ ପରିବହନ ଲାଗି ଅନୁମତି ଦିଏ । ଇରାନ ଚୀନରେ ୭ଟି ତୈଳ ସଂରକ୍ଷଣ ଟ୍ୟାଙ୍କ ମଧ୍ୟ କିଣିଛି। ତତ୍ ମଧ୍ୟରୁ ଡାଲିଆନ୍ ଏବଂ ହୁଇଝୋର ବନ୍ଦରରେ ୪ଟି ରହିଛି। ନିଙ୍ଗବୋ-ଝୋଉସାନ୍ ଦ୍ଵୀପପୁଞ୍ଜର ଝୋଉସାନ୍ କ୍ଷେତ୍ରରେ ତୈଳ ମନ୍ତ୍ରଣାଳୟ ଅନ୍ୟ ୩ଟିକୁ ନିୟନ୍ତ୍ରଣ କରୁଛି । ଏଠାରେ ଆଓଶାନ୍ ଏବଂ ଶୁଲାଙ୍ଗ ଦ୍ଵୀପପୁଞ୍ଜ ଓ ଜେଙ୍ଗଯାମୁଓ ତୈଳ କ୍ଷେତ୍ରର ବ୍ୟବସ୍ଥା ସାମିଲ ଅଛି।