ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ଏବଂ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଥମ ଥର ପାଇଁ ପୁରୀ ବେଳାଭୂମିରେ ମହିଳା ଲାଇଫଗାର୍ଡ (ସମୁଦ୍ର ଉଦ୍ଧାରକାରୀ) ନିୟୋଜିତ ହେବାକୁ ଯାଉଛନ୍ତି। ବିଶେଷ କରି ମହିଳା ଓ ଶିଶୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦେବା ସହ ଜରୁରୀକାଳୀନ ପରିସ୍ଥିତିର ସଫଳ ମୁକାବିଲା ପାଇଁ ଏହି ବ୍ୟବସ୍ଥା କରାଯାଉଛି।

୨୫ ଜଣଙ୍କୁ ଚୟନ

ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ମୋଟ ୨୫ ଜଣ ମହିଳାଙ୍କୁ ଚୟନ କରାଯାଇଛି। କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗାରେ ଥିବା ଓଡ଼ିଶା ଷ୍ଟେଟ୍ ୱାଟରମ୍ୟାନ୍ସିପ୍ ଆଣ୍ଡ ଲାଇଫ୍ଗାର୍ଡ ଇନ୍ଷ୍ଟିଚ୍ୟୁଟ୍ (OSWALI) ଠାରେ ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ଏହି ପ୍ରଶିକ୍ଷଣ ସମୟରେ ସମୁଦ୍ରର ଉତ୍ତାଳ ଲହଡ଼ି ମଧ୍ୟରେ ଉଦ୍ଧାର କାର୍ଯ୍ୟ, ଖୋଲା ଜଳରାଶି, ସରଫିଂ ଏବଂ ସ୍ୱିମିଂ ପୁଲ୍ରେ ଜରୁରୀକାଳୀନ ସ୍ଥିତି ସମ୍ଭାଳିବା ଭଳି କୌଶଳ ଶିଖାଯିବ। ଏହାସହିତ ବୁଡ଼ିଯାଉଥିବା ଲୋକଙ୍କୁ ପ୍ରାଥମିକ ଚିକିତ୍ସା ଦେବା, ସିପିଆର୍ (CPR) ପ୍ରଦାନ କରିବା ଏବଂ ସଙ୍କଟପୂର୍ଣ୍ଣ ଜୋନ୍ ସମ୍ପର୍କରେ ସଚେତନ କରିବାର ଦକ୍ଷତା ମଧ୍ୟ ଶିଖାଯିବ।

ଅନ୍ତର୍ଜାତୀୟ ମାନଦଣ୍ଡ ଓ ଲାଇସେନ୍ସ

ଅଗ୍ନିଶମ ଓ ଜରୁରୀକାଳୀନ ସେବା ଆଇଜିପି ଉମାଶଙ୍କର ଦାଶଙ୍କ ସୂଚନା ଅନୁସାରେ, ମହିଳା ପର୍ଯ୍ୟଟକମାନଙ୍କୁ ସମୁଦ୍ର ସ୍ନାନ ସମୟରେ ଅଧିକ ସୁରକ୍ଷିତ ଏବଂ ସହଜ ବାତାବରଣ ଯୋଗାଇଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ତାଲିମ ସଫଳତାର ସହ ଶେଷ ହେବା ପରେ ନ୍ୟାସନାଲ ଇନଷ୍ଟିଚ ଅଫ୍ ୱାଟରସ୍ପୋର୍ଟସ୍ ପକ୍ଷରୁ ସେମାନଙ୍କୁ ବୈଧ ଲାଇସେନ୍ସ ପ୍ରଦାନ କରାଯିବ। OSWALI ର ପ୍ରଶାସକ ରାଜକିଶୋର ପାଇକରାୟ କହିଛନ୍ତି ଯେ, ଆନ୍ତର୍ଜାତୀୟ ସ୍ତରର ମାନଦଣ୍ଡକୁ ଆଧାର କରି ଏହି ଉଦ୍ଧାରକାରୀ ଦଳକୁ ପ୍ରସ୍ତୁତ କରାଯାଉଛି।

ଅନ୍ୟାନ୍ୟ ଜଳ ପର୍ଯ୍ୟଟନ ସ୍ଥଳରେ ମଧ୍ୟ ହେବେ ମୁତୟନ

ନିକଟରେ ଗତ ଜୁଲାଇ ମାସରେ ପର୍ଯ୍ୟଟନ ବିଭାଗ, ଅଗ୍ନିଶମ ସେବା ଏବଂ ୱାଟରସ୍ପୋର୍ଟସ୍ ସଂସ୍ଥା ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ତାଲିମ ପ୍ରକ୍ରିୟା ଶେଷ ହେବା ପରେ ଏହି ମହିଳା ଲାଇଫ୍ଗାର୍ଡମାନଙ୍କୁ କେବଳ ପୁରୀ ସମୁଦ୍ରକୂଳ ନୁହେଁ, ବରଂ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ବେଳାଭୂମି ଓ ଜଳ ଭିତ୍ତିକ ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ମଧ୍ୟ ମୁତୟନ କରାଯିବ। ଏହା ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ ସୁରକ୍ଷା କ୍ଷେତ୍ରରେ ଏକ ନୂଆ ପରିଚୟ ସୃଷ୍ଟି ହେବ।

Also Read: ଦ୍ବିତୀୟ ଦିନରେ ଦୁବାଇରୁ ଆସିଲା ୮,୪୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ; ୧୪ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ଭାବନା