ନୂଆଦିଲ୍ଲୀ: ଅକ୍ଟୋବର ୨୭ (ମଙ୍ଗଳବାର)ରେ ଇସ୍ରାଏଲରେ ଅନୁଷ୍ଠିତ ହେବ ସଂସଦୀୟ ନିର୍ବାଚନ । ଏନେଇ ସାରା ଦେଶରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଇସ୍ରାଏଲ୍‌ର ୧୨୦ ଆସନ ବିଶିଷ୍ଟ ସଂସଦୀୟ ନିର୍ବାଚନ ଲାଗି ମୋଟ ୭୩ ଲକ୍ଷ ଯୋଗ୍ୟ ଭୋଟର ଅଛନ୍ତି । 

ସାରା ଦେଶରେ ୧୨,୦୧୮ଟି ପୋଲିଂ ଷ୍ଟେସନ୍ ଏବଂ ୧୮,୦୦୦ଟି ବାଲଟ୍ ବାକ୍ସ ସ୍ଥାପନ କରାଯାଇଛି। ନିର୍ବାଚନ ପରିଚାଳନା ପାଇଁ ପ୍ରାୟ ୧ ଲକ୍ଷ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହି ନିର୍ବାଚନ ପରିଚାଳନା ପାଇଁ ୬୯୦ ମିଲିୟନ୍ ଇସ୍ରାଏଲୀ ସେକେଲ୍ ବଜେଟ୍ ଆବଣ୍ଟନ କରାଯାଇଛି। ପ୍ରାୟ ୨୫୦ ଟନ୍ କାଗଜ ବ୍ୟବହାର କରି ୪୫୦ ମିଲିୟନ୍ ବାଲଟ୍ ସ୍ଲିପ୍ ଛପାଯାଇଛି । ଅର୍ଥାତ ପ୍ରତ୍ୟେକ ଦଳ ପାଇଁ ପ୍ରାୟ ୧୧.୫ ମିଲିୟନ୍ ସ୍ଲିପ୍ । ସେହିଭଳି ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ବିଶେଷ ସୁବିଧା କରାଯାଇଛି । 

ଦିବ୍ୟାଙ୍ଗ ଭୋଟରଙ୍କ ସୁବିଧା ପାଇଁ ୬,୨୦୯ଟି ପୋଲିଂ ଷ୍ଟେସନ୍ ସ୍ଥାପନ କରାଯାଇଛି ।  ମତଦାନ​‌ରେ ସ୍ବଚ୍ଛତା ବଜାୟ ରଖିବାକୁ ୨,୧୪୦ଟି ତାଲିମ୍ ସେସନ୍‌ରେ ପ୍ରାୟ ୫୦,୦୦୦ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ନିର୍ବାଚନର ସ୍ୱଚ୍ଛତା, ସୁରକ୍ଷା ଓ ମିଥ୍ୟା ପ୍ରଚାର ରୋକିବା ଲାଗି ୧୫,୦୦୦ କ୍ୟାମେରା  ସିସିଟିଭି କ୍ୟାମେରା ଲଗାଯାଇଛି । 

ଭୋଟରମାନେ ସହଜରେ ଭୋଟ୍ କେନ୍ଦ୍ରରେ ପହଞ୍ଚିବା ପାଇଁ ନିର୍ବାଚନ ଦିନ ୬୬୦ଟି  ବସ୍ ରୁଟ୍ ଏବଂ ରେଳ ସେବା ମାଗଣା କରାଯାଇଛି।  ବିଦେଶରେ ରହୁଥିବା ପ୍ରାୟ ୮.୧ ଲକ୍ଷ ଯୋଗ୍ୟ ଭୋଟରଙ୍କ ମଧ୍ୟରୁ ହଜାର ହଜାର ନାଗରିକ ଭୋଟ ଦେବା ଲାଗି ନିଜ ଦେଶକୁ ଫେରିଛନ୍ତି। ସୋସିଆଲ ମିଡିଆରେ ମିଥ୍ୟା ପ୍ରଚାରକୁ ନେଇ ଗଠିତ କମିଟି ନିକଟରେ ୨୭୬ରୁ ଅଧିକ ଅଭିଯୋଗ ଦାଖଲ ହୋଇଛି । ଏହା ୨୦୨୨ ନିର୍ବାଚନ ତୁଳନାରେ ଖୁବ ଅଧିକ। 

ଏହି ନିର୍ବାଚନ କାହିଁକି ଗୁରୁତ୍ୱପୂର୍ଣ୍ଣ? 
୨୦୨୩ ଅକ୍ଟୋବର ୭ ହମାସ୍ ଆକ୍ରମଣ ଏବଂ ପରବର୍ତ୍ତୀ ଯୁଦ୍ଧ ପରେ ଏହା ଇସ୍ରାଏଲ୍‌ର ପ୍ରଥମ ସଂସଦୀୟ ନିର୍ବାଚନ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଙ୍କ ନେତୃତ୍ୱାଧୀନ ମେଣ୍ଟକୁ ପୂର୍ବତନ ସେନାଧ୍ୟକ୍ଷ ଗାଦି ଆଇଜେନକୋଟ୍ ଏବଂ ବିରୋଧୀ ନେତାମାନେ କଡ଼ା ଚ୍ୟାଲେଞ୍ଜ ଦେଉଛନ୍ତି।  ସୁରକ୍ଷା ବିଫଳତାର ସ୍ୱାଧୀନ ତଦନ୍ତ ପାଇଁ ବିରୋଧୀ ଦାବି କରୁଥିବା ବେଳେ ନେତାନ୍ୟାହୁ ନିଜର ଦୀର୍ଘ ଅଭିଜ୍ଞତାକୁ ଅସ୍ତ୍ର କରିଛନ୍ତି।

ଇସ୍ରାଏଲ୍‌ରେ 'ସମାନୁପାତିକ ପ୍ରତିନିଧିତ୍ୱ' ନିୟମରେ ଭୋଟ୍ ଗ୍ରହଣ ହୁଏ । ନାଗରିକମାନେ କୌଣସି ବ୍ୟକ୍ତିଙ୍କ ବଦଳରେ ସୀଧାସଳଖ 'ରାଜନୈତିକ ଦଳ'କୁ ଭୋଟ୍ ଦିଅନ୍ତି । ସଂସଦରେ ପ୍ରବେଶ ପାଇଁ ଗୋଟିଏ ଦଳକୁ ଅତିକମ‌ରେ ୩.୨୫% ଭୋଟ୍ ପାଇବା ବାଧ୍ୟତାମୂଳକ। ସରକାର ଗଠନ ପାଇଁ ୧୨୦ଟି ଆସନରୁ ଅତିକମରେ ୬୧ଟି ଆସନର ସମର୍ଥନ ଦରକାର । ତେବେ ଅକ୍ଟୋବର ୨୭ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମତଦାନ ହେବ । ମତଦାନ ଶେଷ ହେବା ପରେ, ଏକଜିଟ୍‌ ପୋଲ୍‌ ପ୍ରକାଶ ପାଇବ । ଏଥିରୁ ପ୍ରାୟତଃ ବିଜୟୀ ଦଳ ସଂପର୍କରେ ଏକ ଚିତ୍ର ସ୍ପଷ୍ଟ ହୋଇଯିବ ।  କିନ୍ତୁ ମତଦାନ କେନ୍ଦ୍ର ବନ୍ଦ ହେବା ପରେ ଭୋଟ ଗଣତି ହେବ । ସବୁଠାରୁ ବଡ଼ କଥା ହେଉଛି, ବିଜୟୀ ଦଳ ସଂପର୍କରେ ସ୍ପଷ୍ଟ ହେବା ପରେ ମଧ୍ୟ ସରକାର ଗଠନ ଲାଗି ସମୟ ଲାଗିବ ।