ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପ୍ରେମୀଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି । ଖୁବଶୀଘ୍ର ଦଳକୁ ଫେରୁଛନ୍ତି ରୁଷଭ ପନ୍ତ ଏବଂ ଜସପ୍ରୀତ ବୁମରା । ଉଭୟ ଖେଳାଳି ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ମୈଦାନକୁ ଫେରିବେ ବୋଲି ଜଣାପଡ଼ିଛି । ନଭେମ୍ବର ୭ ରୁ ୧୦ ମଧ୍ୟରେ ଲିଙ୍କନଠାରେ ନ୍ୟୁଜିଲାଣ୍ଡ 'ଏ' ବିପକ୍ଷରେ ଖେଳାଯିବାକୁ ଥିବା ତୃତୀୟ ଅନଅଫିସିଆଲ୍ ଟେଷ୍ଟ ମ୍ୟାଚ୍ ପାଇଁ 'ଇଣ୍ଡିଆ ଏ' ଦଳରେ ଦୁଇ ଖେଳାଳି ସାମିଲ ହୋଇପାରନ୍ତି। 

ରୁଷଭ ପନ୍ତ ଏହି ମ୍ୟାଚ୍‌ରେ ଖେଳିବା କି ନାହିଁ, ବିସିସିଆଇ ମେଡିକାଲ୍ ଟିମ୍‌ର ଅନୁମତି ଉପରେ ନିର୍ଭର କରିବ। ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ନଭେମ୍ବର ୧୯ ରୁ ୱେଲିଂଟନଠାରେ ପ୍ରଥମ ଟେଷ୍ଟ ଏବଂ ନଭେମ୍ବର ୨୭ ରୁ କ୍ରାଇଷ୍ଟଚର୍ଚ୍ଚଠାରେ ଦ୍ୱିତୀୟ ଟେଷ୍ଟ ଖେଳିବ। ଏହି ସିରିଜ୍ ପାଇଁ ଉଭୟ ଖେଳାଳି ବେଙ୍ଗାଲୁରୁସ୍ଥିତ ବିସିସିଆଇର ସେଣ୍ଟର ଅଫ୍ ଏକ୍ସେଲିନ୍ସ ରେ କଠିନ ପରିଶ୍ରମ କରୁଛନ୍ତି। ଜାତୀୟ ଦଳକୁ ଫେରିବା ନିୟମ ଅନୁଯାୟୀ, ବୁମରା କ୍ୟାମ୍ପରେ ଯୋଗଦେଇଛନ୍ତି ।  ନଭେମ୍ବର ୧ ରେ ସେ ନ୍ୟୁଜିଲାଣ୍ଡ ଅଭିମୁଖେ ଯାତ୍ରା କରିପାରନ୍ତି।

ଜସପ୍ରୀତ ବୁମରା ଭାରତ ପାଇଁ ଶେଷ ଥର ଅକ୍ଟୋବରରେ ଜାପାନରେ ଆୟୋଜିତ ଏସିଆନ୍‌ ଗେମ୍ସରେ ଖେଳିଥିଲେ । ସେଠାରେ ଭାରତୀୟ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଥିଲା । ଏହା ପରେ ତାଙ୍କୁ ଓ୍ବେଷ୍ଟ ଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ୍‌ ଆରାମ ଦିଆଯାଇଥିଲା । ଅନ୍ୟପଟେ ଇରାନୀ କପ୍‌ରେ ରୁଷଭ ପନ୍ତ ଆହତ ହୋଇଥିଲେ । ଏଥିପାଇଁ ପନ୍ତ ଦିଲ୍ଲୀର ପ୍ରଥମ ରଣଜୀ ଟ୍ରଫି ଏବଂ ନ୍ୟଜିଲାଣ୍ଡ -ଏ ବିପକ୍ଷ ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିଲେ । ଏବେ ପନ୍ତ ବୋଲିଂ ପ୍ରାକ୍ଟିସ୍‌ କରୁଥିବା ବେଳେ ଓ୍ବିକେଟ କିପିଂ କରୁନାହାନ୍ତି । ସେ ଫିଟ୍‌ ହୋଇଯିବା ପରେ ପୁଣି ଥରେ ପଡ଼ିଆକୁ ଓହ୍ଲାଇ​‌ବେ ।