ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟାସୁଓ ଫୁକୁଡାଙ୍କର ୯୦ ବର୍ଷ ବୟସରେ ପରଲୋକ ହୋଇଛି। ସେ ମାତ୍ର ବର୍ଷକ ପାଇଁ ଦେଶର ଶାସନ ଡୋର ସମ୍ଭାଳିଥିଲେ। ଏହା ପରେ ଅନେକ ବର୍ଷ ସେ ଚୀନ୍ ସହ ସମ୍ପର୍କ ସୁଧାର ଉଦ୍ୟମରେ ବିତାଇଥିଲେ। ଶାସକ ଲିବରାଲ ଡେମୋକ୍ରାଟିକ୍ ପାର୍ଟ ସୋମବାର ଦେଇଥିବା ସୂଚନାରେ ତାଙ୍କ ମୃତ୍ୟୁ ଗତ ଗୁରୁବାର ହୋଇଥିଲା। ତେବେ ପାର୍ଟି ମୃତ୍ୟୁର କାରଣ ଅଥବା ଅନ୍ୟ କୌଣସି ସୂଟନା ଦେଇ ନାହିଁ।

ଫୁକୁଡାଙ୍କ ଜନ୍ମ ୧୯୩୬ ମସିହାରେ ହୋଇଥିଲା। ତାଙ୍କ ପିତା ତାକେଓ ଫୁକୁଡା ମଧ୍ୟ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ସେ ମଧ୍ୟ ଟୋକିଓ ଏବଂ ବେଜିଂ ମଧ୍ୟରେ ସମ୍ପର୍କ ସୁଧାର ପାଇଁ କାମ କରିଥିଲେ। ୟାସୁଓ ଫୁକୁଡା ରାଜନୀତିକୁ ଆସିବା ପୂର୍ବରୁ ଦେଶର ଏକ ତୈଳ କମ୍ପାନୀରେ କାର୍ଯ୍ୟ କରୁଥିଲେ। ୧୯୭୬ ମସିହାରେ ଯେତେବେଳେ ତାଙ୍କ ପିତା ପ୍ରଧାନମନ୍ତ୍ରୀ ହେଲେ ସେ ତୈଳ କମ୍ପାନୀ ଚାକିରିରୁ ଇସ୍ତଫା ଦେଇ ତାଙ୍କର ବ୍ୟକ୍ତିଗତ ସଚିବ ରୂପେ କାମ କରିବା ଆରମ୍ଭ କରିଥିଲେ।

ଫୁକୁଡା ୧୯୯୦ ମସିହାରେ ପ୍ରଥମ ଥର ସଂସଦକୁ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ୟେଶିରୋ ମୋରୀଙ୍କ ମନ୍ତ୍ରୀମଣ୍ଡଳରେ ମୁଖ୍ୟ କ୍ୟାବିନେଟ୍ ସଚିବ ଭାବେ ପ୍ରଥମ ମନ୍ତ୍ରୀପଦ ପାଇଥିଲେ। ଫୁକୁଡା ପରିହାସରେ ନିଜକୁ ‘ସ୍ପଷ୍ଟିକରଣ ଦେଉଥିବା ସଚିବ’ ବୋଲି କହୁଥିଲେ। ସେ ନିଜ ପିତାଙ୍କ ପରି ଏସିୟ ଦେଶଙ୍କ ମଧ୍ୟରେ ମିତ୍ରତା ବଢାଇବା ଲାଗି ଗୁରୁତ୍ୱ ଦେଉଥିଲେ।