ନୂଆଦିଲ୍ଲୀ: ଭାରତୀୟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ପ୍ରାୟ ୪ ବର୍ଷର ଦୀର୍ଘ ବ୍ୟବଧାନ ପରେ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ସେ ଖେଳୁଥିବା ବେଳେ  ପ୍ରଥମ ଦୁଇଟି ମ୍ୟାଚରେ ତାଙ୍କ ପ୍ରଦର୍ଶନ ଆଶାନୁରୂପ ହୋଇନାହିଁ। ପ୍ରଥମ ଦୁଇଟି ମ୍ୟାଚରେ ଭୁବି ମହଙ୍ଗା ସାବ୍ୟସ୍ତ ହୋଇଥିବାବେଳେ ୨ଟି ମ୍ୟାଚରୁ ସେ ମାତ୍ର ୧ଟି ୱିକେଟ୍ ପାଇଛନ୍ତି ଏବଂ ତାଙ୍କର ଇକୋନୋମି ମଧ୍ୟ ୧୦ରୁ ଅଧିକ ରହିଛି। ଏଭଳି ପ୍ରଦର୍ଶନ ପରେ ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ମୋର୍ନି ମୋର୍କେଲ ତାଙ୍କୁ  ଗୁରୁତ୍ଵପୂର୍ଣ୍ଣ ଟିପ୍ସ ଦେଇଛନ୍ତି।

ଚାପରୁ ମୁକ୍ତ ରହିବାକୁ ପରାମର୍ଶ

ତୃତୀୟ ଟି-୨୦ ମ୍ୟାଚ୍ ପୂର୍ବରୁ ଗଣମାଧ୍ୟମ ସହ କଥା ହୋଇ ବୋଲିଂ କୋଚ୍ ମୋର୍ନି ମୋର୍କେଲ କହିଛନ୍ତି ଯେ, ସେ ଭୁବିଙ୍କ ସ୍ଥିତିକୁ ସମ୍ପୂର୍ଣ୍ଣ ବୁଝିପାରୁଛନ୍ତି। ୪ ବର୍ଷ ପରେ ଦଳକୁ ଫେରିଥିବାରୁ ପ୍ରଶଂସକ ଏବଂ ବିଶ୍ୱର ବହୁତ ଆଶା ରହିବା ସ୍ୱାଭାବିକ। କିନ୍ତୁ ଭୁବିଙ୍କୁ ଏହି ବାହ୍ୟ ଚାପ ଏବଂ ଲୋକଙ୍କ ଆଶାକୁ ଗୁରୁତ୍ଵ ନ ଦେଇ  ନିଜର ସ୍ୱାଭାବିକ ଖେଳ ଉପରେ ଧ୍ୟାନ ଦେବାକୁ ପଡିବ। ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଭୁବନେଶ୍ୱରଙ୍କ ପାଖରେ ଯଥେଷ୍ଟ ଅଭିଜ୍ଞତା ଓ କୌଶଳ ରହିଛି, କିନ୍ତୁ ଲୟକୁ ଫେରିବା ପାଇଁ ତାଙ୍କୁ ଟିକିଏ ସମୟ ଦେବା ଜରୁରୀ ବୋଲି ମୋର୍କେଲ ମତ ଦେଇଛନ୍ତି।

Also Read: ଗୋଆରେ ଅନୁଷ୍ଠିତ ହେବ IPL-2027 ଲାଗି ମିନି ଅକ୍ସନ୍‌, ନଭେମ୍ବର ୧୫ରେ ଆସିବ ରିଟେନସନ୍‌ ଲିଷ୍ଟ

କୌଣସି ଜିନିଷର ପିଛା କରନ୍ତୁ ନାହିଁ

ଭୁବିଙ୍କୁ ସ୍ୱତନ୍ତ୍ର ବାର୍ତ୍ତା ଦେଇ କୋଚ୍ କହିଛନ୍ତି, "ଆରମ୍ଭରୁ ମୋର ସନ୍ଦେଶ ସ୍ପଷ୍ଟ ଥିଲା ଯେ କୌଣସି ଜିନିଷର ଅଧିକ ପିଛା କରନ୍ତୁ ନାହିଁ। ନିଜ ଭିତରେ ରୁହନ୍ତୁ। ପ୍ରତ୍ୟେକ ମ୍ୟାଚ୍ ସହିତ ଆପଣଙ୍କ ଖେଳରେ ସୁଧାର ଆସିବ ଏବଂ ଲୟ ଫେରିବ। ତେଣୁ ବାହାରର କଥା କିମ୍ବା ସମାଲୋଚନା ପ୍ରତି ଧ୍ୟାନ ନଦେଇ ନିଜ କାମରେ ଫୋକସ୍ କରନ୍ତୁ।

ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଭୁବନେଶ୍ୱର ୪ ଓଭରରେ ୪୯ ରନ୍ ଦେଇଥିବାବେଳେ ଦ୍ୱିତୀୟ ମ୍ୟାଚରେ ମଧ୍ୟ ୪ ଓଭରରେ ୫୦ ରନ୍ ଖର୍ଚ୍ଚ କରି ୧ଟି ୱିକେଟ୍ ଅକ୍ତିଆର କରିଥିଲେ।