ନୂଆଦିଲ୍ଲୀ: ଜାତିସଂଘର ପରବର୍ତ୍ତୀ ମୁଖ୍ୟ ଚୟନ ପୂର୍ବରୁ ଶକ୍ତିଶାଳୀ ଦେଶଗୁଡ଼ିକ ମଧ୍ୟରେ ଆରମ୍ଭ ହୋଇଛି ମନାସମନ୍ଥନ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ମିଳିତ ଜାତିସଂଘ ମହାସଚିବ ପଦ ପାଇଁ ହଙ୍ଗେରୀର ପୂର୍ବତନ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନଙ୍କୁ ପ୍ରାର୍ଥୀ କରିବାକୁ ବିଚାର କରୁଛନ୍ତି । 'ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍'ର ରିପୋର୍ଟ ଅନୁଯାୟୀ, ଏଥିପାଇଁ ଟ୍ରମ୍ପ ପ୍ରଶାସନ ରୁଷ ଏବଂ ଚୀନ୍ ସହିତ ମିଳିତ ଭାବେ ବିଚାରବିମର୍ଷ କରୁଛି ।

ରିପୋର୍ଟ ଅନୁଯାୟୀ, ଆମେରିକୀୟ ଅଧିକାରୀମାନେ ରୁଷ ଏବଂ ଚୀନ ପ୍ରତିପକ୍ଷମାନଙ୍କ ସହ ଆଲୋଚନାରେ ଓର୍ବାନଙ୍କୁ ପ୍ରାର୍ଥୀ କରିବା ପ୍ରସଙ୍ଗ ଉଠାଇଛନ୍ତି । ୱାଶିଂଟନର ପ୍ରସ୍ତାବକୁ ମସ୍କୋ ଏବଂ ବେଜିଂରୁ ସକାରାତ୍ମକ ପ୍ରତିକ୍ରିୟା ମିଳିଥିବା ଅଧିକାରୀମାନେ ମଧ୍ୟ କହିଛନ୍ତି । ଏହାପରେ ୱାଶିଂଟନ୍ ସିଧାସଳଖ ଓର୍ବାନଙ୍କ ସହ ଏହି ସମ୍ଭାବନା ବିଷୟରେ ଆଲୋଚନା କରିଛି ବୋଲି ରିପୋର୍ଟରେ କୁହାଯାଇଛି ।

'ହଙ୍ଗେରିଆନ୍ କନଜର୍ଭେଟିଭ୍'ର ଏକ ରିପୋର୍ଟ ଅନୁଯାୟୀ, ଓର୍ବାନ୍ ଏଥିପାଇଁ ଆଗ୍ରହୀ । କିନ୍ତୁ ବିଜୟର ପ୍ରକୃତ ସମ୍ଭାବନା ନଥିଲେ ସେ ଏଥିରେ ଭାଗ ନେବାକୁ ରାଜି ନୁହନ୍ତି । ଆଶା କରାଯାଉଛି ଯେ ଟ୍ରମ୍ପ ଏବଂ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବେ । ନଭେମ୍ବର ମାସରେ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଏହାର ଘୋଷଣା କରାଯାଇପାରେ ।

'ହଙ୍ଗେରିଆନ୍ କନ୍ଜର୍ଭେଟିଭ୍'ର ରିପୋର୍ଟ ଅନୁଯାୟୀ, ଆମେରିକାର ବୈଦେଶିକ ବିଭାଗର ଜଣେ ଅଧିକାରୀ ଆକଳନ କରିଛନ୍ତି ଯେ ଓର୍ବାନ୍ ୧୫ ଜଣିଆ ଜାତିସଂଘ ନିରାପତ୍ତା ପରିଷଦରେ ସହଜରେ ଆଠଟି ଭୋଟ୍ ହାସଲ କରିପାରିବେ ଏବଂ ୧୦ଟି ଭୋଟ୍ ମଧ୍ୟ ପାଇପାରନ୍ତି । ଜଣେ ପ୍ରାର୍ଥୀଙ୍କୁ ଅତି କମରେ ନଅଟି ଭୋଟ୍ ଆବଶ୍ୟକ ହୁଏ ଏବଂ ପାଞ୍ଚଟି ସ୍ଥାୟୀ ସଦସ୍ୟଙ୍କ ଭିଟୋ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ ୨୦୨୬ ଏପ୍ରିଲରେ ହଙ୍ଗେରୀ ନିର୍ବାଚନରେ ଓର୍ବାନ୍ ପରାଜିତ ହୋଇଥିଲେ । ପରାଜୟ ପରେ ୧୬ ବର୍ଷର ତାଙ୍କର କ୍ଷମତା ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ପୂର୍ବରୁ ଆସିଥିବା ରିପୋର୍ଟରୁ ଜଣାପଡିଥିଲା ଯେ ସେ ଫିଫା କିମ୍ବା ଜାତିସଂଘର ଉପ-ମହାସଚିବ ଭାବରେ ଅନ୍ୟାନ୍ୟ ଅନ୍ତର୍ଜାତୀୟ ପଦବୀଗୁଡ଼ିକ ମଧ୍ୟ ବିଚାର କରୁଛନ୍ତି ।