ମୁମ୍ବାଇ ୨୭।୧୦ : ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆଜି ଖେଳାଯିବ ତୃତୀୟ ଟି ଟ୍ୱେଣ୍ଟି । ପ୍ରଥମ ୨ଟି ମ୍ୟାଚ ଜିତି ସାରିଥିବା ଭାରତୀୟ ଦଳ ବିଜୟ ଜାରି ରଖି ସିରିଜ ଅକ୍ତିଆର କରିବାକୁ ଚେଷ୍ଟା କରିବ । ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ ‘କର ବା ମର’ । ସିରିଜ ବଞ୍ଚାଇବାକୁ ହେଲେ ଘରୋଇ ଦଳକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ । ପ୍ରଥମ ୨ଟି ଯାକ ମ୍ୟାଚରେ ଭାରତ ଟସ୍ ଜିତିଥିଲା ଓ ଦ୍ୱିତୀୟ ଭାଗରେ ବ୍ୟାଟିଂ କରି ବିଜୟ ହାସଲ କରିଥିଲା । ପ୍ରଥମ ମ୍ୟାଚ ତୁଳନାରେ ଦ୍ୱିତୀୟ ମ୍ୟାଚରେ ଭାରତର ବୋଲିଂରେ ସାମାନ୍ୟ ସୁଧାର ଦେଖିବାକୁ ମିଳିଥିଲା । ତଥାପି ନ୍ୟୁଜିଲାଣ୍ଡକୁ ଅଟକାଇବା ଭଳି ବୋଲିଂ ରଣନୀତି ପ୍ରସ୍ତୁତ ହୋଇନଥିବା ଏକ ପ୍ରକାର ସ୍ପଷ୍ଟ ପ୍ରମାଣିତ ହୋଇଥିଲା ।

ଭୁବନେଶ୍ୱର କୁମାର ୪ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ୨ଟି ମ୍ୟାଚରେ ମୋଟ୍ ୯୯ ରନ ପ୍ରଦାନ କରି ସାରିଥିବା ବେଳେ ଅନ୍ୟ ବୋଲରମାନେ ମଧ୍ୟ ବ୍ୟୟବହୁଳ ସାବ୍ୟସ୍ତ ହୋଇଛନ୍ତି । ଆଜି ଗ୍ରାଉଣ୍ଡକୁ ଓହ୍ଲାଇବା ପୂର୍ବରୁ ଭାରତ ବୋଲିଂରେ ଉନ୍ନତି ଆଣିବ । ନ୍ୟୁଜିଲାଣ୍ଡ ସ୍ପିନରମାନଙ୍କୁ ସଠିକ୍ ଭାବେ ଉପଯୋଗ କରି ୱିକେଟ୍ ହାସଲ କରିବାରେ ସଫଳ ହୋଇଥିବାବେଳେ ଭାରତ ପ୍ରମୁଖ ସ୍ପିନରଙ୍କୁ ଏକାଦଶରେ ସାମିଲ ନ କରିବା ସମସ୍ତଙ୍କୁ ଚକିତ କରିଛି । ଆଜି ମଧ୍ୟ କୁଲଦୀପ ଯାଦବ କିମ୍ବା ବରୁଣ ଚକ୍ରବର୍ତ୍ତୀ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ନାହିଁ । ଇଶାନ କିଷନ ଇତି ମଧ୍ୟରେ ଅଭ୍ୟାସ ଆରମ୍ଭ କରିଛନ୍ତି । ତଥାପି ସେ ସମ୍ପୂର୍ଣ୍ଣ ମ୍ୟାଚ ଫିଟ୍‌ନେସ୍‌ ଫେରି ପାଇନଥିବା ବିସିସିଆଇ ଘୋଷଣା କରିଛି । ଆଜି ସେ ଖେଳିବେ ନାହିଁ । ଯାହା ଫଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉ ଏକ ସୁଯୋଗ ମିଳିବ ।

Also Read:-୪ ବର୍ଷ ପରେ କମବ୍ୟାକ୍: ଫ୍ଲପ୍ ରହିବା ପରେ ଭୁବନେଶ୍ୱର କୁମାରଙ୍କୁ ମୋର୍ନ ମୋର୍କେଲଙ୍କ ବଡ଼ ପରାମର୍ଶ

ନ୍ୟୁଜିଲାଣ୍ଡ ମଧ୍ୟ ଏକାଦଶରେ ପରିବର୍ତ୍ତନ କରିବ । ମାଟ୍ ହେନରୀ ଖେଳିବେ ନାହିଁ । ଲୋକି ଫର୍ଗୁସନ ମଧ୍ୟ ଏକାଦଶକୁ ଫେରିବା ସମ୍ଭାବନା ନାହିଁ । ଫଳରେ କେଲି ଜାମିସନ ଓ ଆଡାମ ମିଲନେ ପେସ୍ ବୋଲିଂ ବିଭାଗ ସମ୍ଭାଳିବା ଏକ ପ୍ରକାର ନିଶ୍ଚିତ । ୱେଲିଂଟନ ପିଚ୍ ପେସ୍ ବୋଲରଙ୍କୁ ଭରପୁର ସହାୟତା କରିବ । ଏଠାରେ ବଲ୍ ଅତିରିକ୍ତ ବାଉନ୍ସ ହେଉଥିବାବେଳେ ପବନ ଯୋଗୁଁ ନୂଆ ବଲ୍ ସୁଇଂ ହେବା ନିଶ୍ଚିତ । ତେଣୁ ଟସ୍ ସେଭଳି ଗୁରୁତ୍ୱ ରଖିବ ନାହିଁ ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଏକାଦଶ: ଫିନ ଆଲେନ, ଟିମ ସାଇଫର୍ଟ, ଡେଭନ କନୱେ/ବେଭନ ଜାକବ୍ସ, ଗ୍ଲେନ ଫିଲିପ୍ସ, ଡାରିଲ୍ ମିଚେଲ, ମାଇକେଲ ବ୍ରେସୱେଲ୍, ମିଚେଲ ସାଣ୍ଟନର (ଅଧିନାୟକ), ନାଥାନ ସ୍ମିଥ୍, କେଲି ଜାମିସନ, ଆଡାମ ମିଲନେ, ଜାକବ ଡଫି ।

ସମ୍ଭାବ୍ୟ ଭାରତୀୟ ଏକାଦଶ : ଅଭିଷେକ ଶର୍ମା, ସଞ୍ଜୁ ସାମସନ, ବୈଭବ ସୂର୍ଯ୍ୟବଂଶୀ, ଶ୍ରେୟାସ ଆୟର (ଅଧିନାୟକ), ତିଳକ ବର୍ମା, ନମନ ଧିର, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ପ୍ରିନ୍ସ ଯାଦବ/ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ ।