ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (IPL) ୨୦୨୭ ପାଇଁ ଏକ ଛୋଟ ନିଲାମୀ ପ୍ରକ୍ରିୟା ନେଇ ତାରିଖ ଘୋଷଣା ହୋଇଛି । ଡିସେମ୍ବର ୧୬ରେ ଗୋଆରେ ଏହି ମିନି ଅକ୍ସନ ହେବ । ସେହି ଦିନ ଭାରତ ଏବଂ ଶ୍ରଲଙ୍କା ମଧ୍ୟ ଦ୍ବିମୀୟ ଦିନିକିଆ ମ୍ୟାଚ୍‌ ମଧ୍ୟ ହେବ । ତେବେ ଅକ୍ସନ ପୂର୍ବରୁ ନଭେମ୍ବର ୧୫ ସୁଦ୍ଧା ଦଳଗୁଡ଼ିକ ନିଜ ନିଜର ରିଟେନ୍‌ ଖେଳାଳିଙ୍କ ତାଲିକା ପ୍ରକାଶ କରିବାକୁ ହେବ । ଏହା ପରେ ବୋର୍ଡ  ପଞ୍ଜୀକୃତ ଖେଳାଳିଙ୍କ ତାଲିକା ସବୁ ଦଳକୁ ଦେବ ବୋଲି ଜଣାପଡ଼ିଛି ।  

ନିଲାମୀର ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ଚୂଡ଼ାନ୍ତ ଖେଳାଳି ତାଲିକା ପ୍ରକାଶ ପାଇବ। IPL ନିୟମ ଅନୁଯାୟୀ, ସିଜନ୍ ଶେଷ ହେବାର ଗୋଟିଏ ମାସ ପରେ ଟ୍ରେଡିଂ ୱିଣ୍ଡୋ ଖୋଲିଥାଏ । ନିଲାମୀର ଗୋଟିଏ ସପ୍ତାହ ପୂର୍ବରୁ ଏହା ବନ୍ଦ ହୁଏ ।  ୨୦୨୬ ସିଜନ୍ ଶେଷ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ୨ଟି ବଡ଼ ଟ୍ରେଡ୍ ହୋଇଛି ।

ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (LSG) ନିଜର ଅଧିନାୟକ ଋଷଭ ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ (DC) କୁ ଟ୍ରେଡ୍ କରିଛି ।  ବଦଳରେ  ସ୍ପିନର କୁଲଦୀପ ଯାଦବଙ୍କୁ ନିଜ ଦଳରେ ସାମିଲ କରିଛି।   ସେହିଭଳି ଦିଲ୍ଲୀ କ୍ୟାପିଟାଲ୍ସ (DC) ଦ୍ରୁତ ବୋଲର ଟି ନଟରାଜନ୍‌ଙ୍କୁ ସନରାଇଜର୍ସ ହାଇଦ୍ରାବାଦ (SRH) କୁ ପଠାଇ ଅନକ୍ୟାପ୍ଡ ଲେଗ୍-ସ୍ପିନର ଜୀଶାନ୍ ଅନସାରୀଙ୍କୁ ନିଜ ଟିମ୍‌ରେ ସାମିଲ କରିଛି । 

ସେପଟେ IPL ୨୦୨୭ ସଂସ୍କରଣ କେବେ ଠାରୁ ଆରମ୍ଭ ହେବ ସେନେଇ ସୂଚୀ ଘୋଷଣା ହୋଇନାହିଁ। ପୂର୍ବରୁ ମାର୍ଚ୍ଚ ୧୪ ରୁ ମେ ୩୦ ମଧ୍ୟରେ ସିଜନ୍ ଆୟୋଜନ ନେଇ କୁହାଯାଇଥିଲା । କିନ୍ତୁ ସେପ୍ଟେମ୍ବରରେ BCCI ବାର୍ଷିକ ସାଧାରଣ ସଭା ପରେ ସମ୍ପାଦକ ଦେବଜିତ୍ ସାଇକିଆ କହିଥିଲେ ଯେ, ୨୦୨୭ ସିଜନ୍ ମାର୍ଚ୍ଚ ଶେଷ ଭାଗରେ ଆରମ୍ଭ ହୋଇପାରେ। ଡିସେମ୍ବର ୧୬ରେ ହେବାକୁ ଥିବା ଏହି ନିଲାମୀ ବର୍ତ୍ତମାନ ସାଇକେଲ୍‌ର ଶେଷ ମିନି-ନିଲାମ ।

ଅନ୍ୟପଟେ ୨୦୨୮ ସିଜନ୍ ପୂର୍ବରୁ ଏକ ମେଗା-ନିଲାମ ଆୟୋଜିତ ହେବ । ସେତେବେଳେ ନୂଆ ସାଇକେଲର ମିଡିଆ ରାଇଟ୍ସ ଦିଆଯିବ । ୨୦୨୨ ମସିହାରେ IPL ର ମିଡିଆ ରାଇଟ୍ସ ୪୮,୩୯୦.୫ କୋଟି ଟଙ୍କାରେ ବିକ୍ରି ହୋଇଥିଲା । ଏହା ବିଶ୍ୱ କ୍ରୀଡ଼ା ଜଗତର ସବୁଠାରୁ ଅଧିକ ମୂଲ୍ୟ । ତେବେ ୨୦୨୮ ସିଜିନ ପୂର୍ବରୁ ହେବାକୁ ଥିବା ମେଗା ନିଲାମୀରେ ମିଡିଆ ରାଇଟ୍ସ କେତେ ଟଙ୍କାରେ ବିକ୍ରି ହେବ ତା ଉପରେ ମଧ୍ୟ ନଜର ରହିବ । ବର୍ତ୍ତମାନ ସ୍ଥିତିରେ, ମିନି ନିଲାମୀ ପୂର୍ବରୁ ଦଳଗୁଡ଼ିକ ଜାରି କରିବାକୁ ଥିବା ରିଟେନସନ୍‌ ତାଲିକାକୁ ନେଇ ମଧ୍ୟ ଖେଳପ୍ରେମୀଙ୍କ ଗହଣରେ ବେଶ ଉତ୍ସାହ ।