ନୂଆଦିଲ୍ଲୀ: ନିର୍ବାଚନରେ ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କ କଣ ମୃତ୍ୟୁ ପରେ ବି ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ? ଭାରତୀୟ ନିର୍ବାଚନ ବ୍ୟାବସ୍ଥାରେ ଏହାର ଉତ୍ତର, ନାଁ । କିନ୍ତୁ ଆମେରିକାର ଟେକ୍ସାସରେ ଜଣେ ମୃତ ବ୍ୟକ୍ତି ମଧ୍ୟ ନିର୍ବାଚନ ଜିତି ପାରିବେ । ରପବ୍ଲିକାନ୍ ଜୁଡିସିଆଲ୍ କ୍ୟାଡିଡେଟ୍ ରିଚାର୍ଡ ଡେଭିସଙ୍କ ମତଦାନ ଦିନର କିଛି ସପ୍ତାହ ପୂର୍ବରୁ ମୃତ୍ୟୁବରଣ କରିଥିଲେ । ସେ ରାଜ୍ୟ ଆଇନ ଅନୁଯାୟୀ ନଭେମ୍ବର ୩ର ମତଦାନ ପତ୍ରରେ ରହିବେ ଏବଂ ସେ ନିର୍ବାଚନ ଜିତି ମଧ୍ୟ ପାରିବେ ।

ବ୍ରୋଜୋରିଆ କାଉଣ୍ଟିର ପ୍ରିସିଙ୍କ୍ଟ ୨ ପ୍ଲେସ୍ ୨ ପାଇଁ କାର୍ଯ୍ୟରତ ଜଷ୍ଟିସ୍ ଅଫ୍ ଦି ପିସ୍ ଡେଭିସ୍ ସେପ୍ଟେମ୍ବର ୧୪ ତାରିଖରେ ମୃତ୍ୟୁବରଣ କରିଥିଲେ । ତାଙ୍କର ସରକାରୀ କାଉଣ୍ଟି ପ୍ରୋଫାଇଲ୍ ଅନୁଯାୟୀ, ସେ ୨୦୧୧ ଜାନୁଆରୀ ୧ରୁ ଏହି ପଦବୀରେ ଥିଲେ ।

ଟେକ୍ସାସ ନିର୍ବାଚନ ଆଇନରେ ନିର୍ଦ୍ଦିଷ୍ଟ ସମୟସୀମା ପରେ ତାଙ୍କର ମୃତ୍ୟୁ ହୋଇଥିବାରୁ ତାଙ୍କ ନାମ ମତଦାନ ପତ୍ରରେ ରହିବ । ଏହି ଅସାଧାରଣ ପରିସ୍ଥିତି ପ୍ରାଥମିକ ମତଦାନ ସମୟରେ ଭୋଟରମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଏକ ଟେକ୍ସଟ୍ ମେସେଜରେ ଦାବି କରାଯାଉଥିଲା ଯେ ରିପବ୍ଲିକାନ୍ ପ୍ରାର୍ଥୀ ଡେଭିସଙ୍କ ପାଇଁ ପଡ଼ିଥିବା ଭୋଟଗୁଡ଼ି ଗଣନା କରାଯିବ ନାହିଁ ।

ଟେକ୍ସାସ ନିର୍ବାଚନ କୋଡର ଧାରା ୧୪୫.୦୩୯ ଅନୁଯାୟୀ, ନିର୍ବାଚନର ୭୪ ଦିନ ପୂର୍ବରୁ ମୃତ୍ୟୁବରଣ କରିଥିବା ଜଣେ ପ୍ରାର୍ଥୀଙ୍କୁ ମତଦାନପତ୍ରରେ ରଖିବାକୁ ପଡ଼ିବ । ଯଦି ଜଣେ ପ୍ରାର୍ଥୀ ସେହି ସମୟସୀମା ମଧ୍ୟରେ କିମ୍ବା ତାହା ପୂର୍ବରୁ ମୃତ୍ୟୁବରଣ କରନ୍ତି, ତେବେ ତାଙ୍କ ନାଁ ହଟାଇବା ପାଇଁ ଧାରା ୧୪୫.୦୩୫ ବ୍ୟବସ୍ଥା ରହିଛି । ନଭେମ୍ବର ୩ ନିର୍ବାଚନ ପାଇଁ ସମୟସୀମା ଅଗଷ୍ଟ ୨୧ରେ ଥିଲା । ଡେଭିସ୍ ସେପ୍ଟେମ୍ବର ୧୪ରେ ମୃତ୍ୟୁବରଣ କରିଥିଲେ, ତାଙ୍କ ନାମ ମତଦାନପତ୍ରରେ ରହିବ ଏବଂ ତାଙ୍କ ପାଇଁ ପଡ଼ିଥିବା ଭୋଟଗୁଡ଼ିକୁ ଗଣନା କରାଯିବ ।

'ହୁଷ୍ଟନ୍ କ୍ରୋନିକାଲ୍' ଅନୁଯାୟୀ, ଯଦି ଡେଭିସ୍ ଜିତନ୍ତି ତେବେ ବ୍ରୋଜୋରିଆ କାଉଣ୍ଟି କମିଶନର୍ସ କୋର୍ଟ ଦୁଇ ବର୍ଷ ପାଇଁ କାର୍ଯ୍ୟ କରିବାକୁ ଜଣେ ଯୋଗ୍ୟ ବିକଳ୍ପ ବ୍ୟକ୍ତି ନିଯୁକ୍ତି ଦେବ । ଏହାପରେ ଭୋଟରମାନେ ପରବର୍ତ୍ତୀ ସାଧାରଣ ନିର୍ବାଚନରେ ଜଣେ ସ୍ଥାୟୀ ଉତ୍ତରାଧିକାରୀଙ୍କୁ ଚୟନ କରିବେ । ତେଣୁ ଡେଭିସ୍ ନିର୍ବାଚନ ଦିନ ପୂର୍ବରୁ ମୃତ୍ୟୁବରଣ କରିଥିଲେ ମଧ୍ୟ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶେନେକ୍ୱା ହାର୍ସନ୍ ଏହି ପ୍ରତିଯୋଗିତାରେ ପରାଜିତ ହୋଇପାରନ୍ତି ।