ନୂଆଦିଲ୍ଲୀ: ଲୋକପ୍ରିୟ ପଞ୍ଜାବୀ ଗାୟିକା ୟଶିନ୍ଦର କୌରଙ୍କୁ ନିର୍ମମ ହତ୍ୟା ଘଟଣାରେ ସ୍ତବ୍ଧ ପଞ୍ଜାବ ସଙ୍ଗୀତ ଇଣ୍ଡଷ୍ଟ୍ରି। ୬ ଦିନ ଧରି ନିଖୋଜ ଥିବା ପ୍ରସିଦ୍ଧ ପଞ୍ଜାବୀ ଗାୟିକା ୟଶିନ୍ଦର କୌରଙ୍କୁ ନିର୍ମମ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ପୋଲିସ ନିଲୋ କେନାଲରୁ ତାଙ୍କ ମୃତଦେହ ଉଦ୍ଧାର କରିଛି। ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ପଛରେ ଏକତରଫା ପ୍ରେମ କାରଣ ଥିବା ଜଣାପଡ଼ିଥିବା ବେଳେ, ପୋଲିସ ମୃତଦେହକୁ ହେପାଜତକୁ ନେଇ ସମରାଲା ସିଭିଲ୍ ହସ୍ପିଟାଲର ଶବ ସଂରକ୍ଷଣ ଗୃହରେ ରଖିଛି। ସେପଟେ ଗାୟିକାଙ୍କ ମୃତ୍ୟୁ ଖବର ଆସିବା ପରେ ପଞ୍ଜାବ ମ୍ୟଜିକ ଇଣ୍ଡଷ୍ଟ୍ରି ଏବଂ ତାଙ୍କ ପରିବାର ଲୋକେ ଶୋକ ପ୍ରକାଶ କରିଛନ୍ତି। ୟଶିନ୍ଦର, ଇନ୍ଦର କୌର ନାମରେ ମଧ୍ୟ ବେଶ ଜଣାଶୁଣା ଥିଲେ।

କିଣାକିଣି ପାଇଁ ବାହାରକୁ ଯାଇଥିବା ବେଳେ ହୋଇଥିଲେ ଅପହରଣ

ମୃତକଙ୍କ ଭାଇ ଜୋତିନ୍ଦର ସିଂହଙ୍କ ଏତଲା ଅନୁସାରେ, ଇନ୍ଦର କୌର ମେ ୧୩ ତାରିଖ ରାତି ପ୍ରାୟ ସାଢ଼େ ୮ଟା ସମୟରେ କିଛି ଘରୋଇ ସାମଗ୍ରୀ କିଣିବାକୁ କାରରେ ବଜାରକୁ ଯାଇଥିଲେ। ମାତ୍ର ସେ ଦୀର୍ଘ ସମୟ ପରେ ବି ଘରକୁ ଫେରି ନଥିଲେ। ଏମିତିରେ ତାଙ୍କ ପରିବାର କିଛି ଅଘଟଣ ଆଶଙ୍କା କରି ତାଙ୍କୁ ଖୋଜାଖୋଜି କରିଥିଲେ ବି ନିରାଶ ହୋଇଥିଲେ। ଏହା ପରେ ଥାନାରେ ଅଭିଯୋଗ କରିଥିଲେ। ତଦନ୍ତରୁ ଜଣାପଡିଛି ଯେ, ମୋଗାର ଭାଲୁର ଗ୍ରାମର ସୁଖବିନ୍ଦର ସିଂହ ଓରଫ ସୁଖା, ଇନ୍ଦର କୌରଙ୍କୁ ବିବାହ କରିବାକୁ ଚାପ ପକାଉଥିଲା। ହେଲେ ଇନ୍ଦର କୌର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ, କ୍ରୋଧରେ ସୁଖବିନ୍ଦର ଏହି ହତ୍ୟା ଷଡ଼ଯନ୍ତ୍ର ରଚିଥିଲା।

Also Read: ଝିଅ ଇଲେକ୍ଟ୍ରିସିଆନକୁ ଭଲ ପାଇବାରୁ ରାଗିଗଲା ବାପା, ବାଟରୁ କଣ୍ଟା ହଟାଇବା ହେବା ନେଲା ଚରମ ନିଷ୍ପତ୍ତି

ହତ୍ୟା ପାଇଁ କାନାଡାରୁ ଆସିଥିଲା

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ସୁଖବିନ୍ଦର ସିଂହ ପ୍ରତିଶୋଧ ନେବା ପାଇଁ କାନାଡାରୁ ପଞ୍ଜାବ ଆସିଥିଲା। ସେ ତା’ର ଅନ୍ୟ ସହଯୋଗୀଙ୍କ ସହିତ ମିଶି ବାଟରେ ଗାୟିକାଙ୍କ କାର ଉପରେ ଆକ୍ରମଣ କରିଥିଲା ଏବଂ ବନ୍ଧୁକ ମୁନରେ ଅପହରଣ କରିଥିଲା। ଏହା ପରେ ଅଭିଯୁକ୍ତମାନେ ତାଙ୍କୁ ନିର୍ମମ ଭାବରେ ହତ୍ୟା କରି ମୃତଦେହକୁ ନିଲୋ କେନାଲରେ ଫିଙ୍ଗି ଦେଇଥିଲେ। ଆଉ ଅପରାଧ ଘଟାଇ ତୁରନ୍ତ ମୁଖ୍ୟ ଅଭିଯୁକ୍ତ ସୁଖବିନ୍ଦର ସିଂହ କାନାଡା ଫେରି ଯାଇଥିଲା।

ଏଫଆଇଆର ପରେ ବି ଖସି ପଳାଇଥିଲା ହତ୍ୟାକାରୀ

ସେପଟେ ଏହି ସମ୍ପୂର୍ଣ୍ଣ ଘଟଣା ସ୍ଥାନୀୟ ପୋଲିସର କାର୍ଯ୍ୟକାରିତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ପୀଡିତାଙ୍କ ପରିବାର ଦାବି କରିଛନ୍ତି ଯେ, ସେମାନେ ମେ ୧୫ ତାରିଖରେ ମୁଖ୍ୟ ଅଭିଯୁକ୍ତ ସୁଖବିନ୍ଦର ସିଂହ ଏବଂ ତାଙ୍କ ସହଯୋଗୀ କରମଜିତ ସିଂହଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲେ। ଏହା ସତ୍ତ୍ୱେ, ପୋଲିସର ଶିଥିଳତା ଯୋଗୁ ମୁଖ୍ୟ ଅଭିଯୁକ୍ତ ଦେଶ ଛାଡ଼ି ପଳାଇବାରେ ସଫଳ ହୋଇଥିଲା।

Also Read: ଆତ୍ମଘୋଷିତ ବାବାର କଳା କାରନାମା, ମହିଳା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ନିର୍ମମ ଭାବେ କଲା ହତ୍ୟା

ପୋଲିସ ରଖିଲା ସ୍ପଷ୍ଟୀକରଣ

ପୋଲିସ କହିଛି, ନାଳରେ ଜଣେ ମହିଳାଙ୍କ ମୃତଦେହ ମିଳିବା ସୂଚନା ପାଇବା ପରେ ଏକ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପରିବାର ସଦସ୍ୟମାନେ ମୃତକଙ୍କ ପୋଷାକ ଏବଂ ବାହ୍ୟ ରୂପକୁ ଆଧାର କରି ମୃତକଙ୍କୁ ଇନ୍ଦର କୌର ବୋଲି ଚିହ୍ନଟ କରିଥିଲେ। ତେବେ IPCର ବିଭିନ୍ନ ଧାରାରେ ତଦନ୍ତ ଚାଲିଛି, ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଖୋଜ୍ ଜାରି ରହିଛି ଏବଂ ମୁଖ୍ୟ ଅଭିଯୁକ୍ତକୁ ବିଦେଶରୁ ଫେରାଇ ଆଣିବା ପାଇଁ ଆଇନଗତ ଏବଂ କୂଟନୈତିକ ପ୍ରୟାସ ଆରମ୍ଭ କରାଯାଇଥିବା କହିଛନ୍ତି ଜମାଲପୁର ଥାନା ଆଇଆଇସି ବଲବୀର ସିଂହ।